ଆସାମ (ସତ୍ୟପାଠବ୍ୟୁରୋ) : ଶୁକ୍ରବାର ସକାଳ ୮ଟାରୁ ଆସାମର ନଗାଁଓ ଲୋକସଭା ସମେତ ପଶ୍ଚିମବଙ୍ଗ, ତାମିଲନାଡୁ ଓ ପୁଡୁଚେରୀର ୫ଟି ବିଧାନସଭା ଆସନ ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଭୋଟ ଗଣତି ପ୍ରକ୍ରିୟା ଆରମ୍ଭ ହୋଇଛି। ପ୍ରଥମେ ପୋଷ୍ଟାଲ ବାଲାଟ୍ ଏବଂ ପରବର୍ତ୍ତୀ ସମୟରେ ଇଭିଏମ୍ ଗଣତି ଆରମ୍ଭ କରାଯାଇଛି। ଆସାମର ନଗାଁଓ ଆସନରେ ୭୬.୧୯ ପ୍ରତିଶତ ମତଦାନ ହୋଇଥିବା ବେଳେ ପଶ୍ଚିମବଙ୍ଗର ନନ୍ଦୀଗ୍ରାମରେ ୮୦.୮୯ ପ୍ରତିଶତ ଏବଂ ରେଜିନଗରରେ ୮୦.୦୮ ପ୍ରତିଶତ ଭୋଟର ନିଜର ମତାଧିକାର ସାବ୍ୟସ୍ତ କରିଛନ୍ତି। ଗତ ମେ” ମାସରେ ତୃଣମୂଳ କଂଗ୍ରେସର ୧୫ ବର୍ଷର ଶାସନର ଅନ୍ତ ଘଟାଇ ବିଜେପି ପଶ୍ଚିମବଙ୍ଗରେ କ୍ଷମତାସୀନ ହେବା ପରେ ଏହି ଉପ-ନିର୍ବାଚନ ଦଳ ପାଇଁ ପ୍ରଥମ ବଡ଼ ଅଗ୍ନିପରୀକ୍ଷା ହୋଇଥିବାରୁ ଏହାର ଫଳାଫଳ ଉପରେ ସମସ୍ତଙ୍କର ନଜର ରହିଛି।
ଅପରପକ୍ଷରେ ପଶ୍ଚିମବଙ୍ଗରେ ମତଦାନ ସମୟରେ ବିରୋଧୀ ଦଳଗୁଡ଼ିକ ଅନିୟମିତତା ନେଇ ଆଣିଥିବା ଅଭିଯୋଗକୁ ବିଜେପି ସମ୍ପୂର୍ଣ୍ଣ ପ୍ରତ୍ୟାଖ୍ୟାନ କରିଛି। ସେହିପରି ତାମିଲନାଡୁର ମାଦୁରାନ୍ତକାମ ଓ ଧରାପୁରମ୍ ଏବଂ ପୁଡୁଚେରୀର ତଟ୍ଟାନଚାଭାଡି ଆସନରେ ଶାସକ ଟିଭିକେ ଓ ଏଆଇଏନଆରସି ସରକାର ସମେତ ବିରୋଧୀ ଦଳଗୁଡ଼ିକ ନିଜ ନିଜର ରାଜନୈତିକ ସ୍ଥିତି ଆକଳନ କରିବା ପାଇଁ ଏହି ଫଳାଫଳକୁ ଗୁରୁତ୍ୱପୂର୍ଣ୍ଣ ମନେକରୁଛନ୍ତି।