କଳିଙ୍ଗନଗର, (ସତ୍ୟପାଠ ବ୍ୟୁରୋ): ଓଡ଼ିଶାରେ ଶିଳ୍ପ ବିକାଶର ବଢ଼ିବ ଗତି। ଆଜି ଯାଜପୁର କଳିଙ୍ଗନଗର ଗସ୍ତରେ ଯାଇ ୩୯ହଜାର ୩୮୨କୋଟି ଟଙ୍କାର ୪୬ ଟି ପ୍ରକଳ୍ପ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ୧୪ ଟି ଜିଲ୍ଲାର ବିଭିନ୍ନ ପ୍ରକଳ୍ପର ଉଦଘାଟନ ଏବଂ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। ଏସବୁ ପ୍ରକଳ୍ପ ଦ୍ବାରା ରାଜ୍ୟରେ ପାଖାପାଖି ୪୩ ହଜାର ନିଯୁକ୍ତି ସୃଷ୍ଟି ହେବା ନେଇ ଆଶା ରିହଛି। ଓଡ଼ିଶାର ଯୁବକ ମାନଙ୍କ ଭବିଷ୍ୟତ ଓ ସମୃଦ୍ଧ ଓଡ଼ିଶାର ନୂଆ ଠିକଣା ହେବ। ଇସ୍ପାତ, ଫେରୋଆଲଏଜ୍‌, ଇସ୍ପାତ ଡାଉନଷ୍ଟ୍ରିମ୍‌, କେମିକାଲ୍‌, ପେଟ୍ରୋକେମିକାଲ୍‌, ପ୍ଲାଷ୍ଟିକ୍‌, ଆଇଟି ଓ ଇଏସ୍‌ଡିଏମ୍‌ ଏବଂ କୃଷିଜାତ ଦ୍ରବ୍ୟ ପ୍ରକ୍ରିୟାକରଣ ଭଳି ବିଭିନ୍ନ କ୍ଷେତ୍ରରେ ପ୍ରକଳ୍ପ ଗୁଡ଼ିକର ଗ୍ରାଉଣ୍ଡ ବ୍ରେକିଂ କରାଯିବ ବୋଲି ସୂଚନା ଦେଇଛନ୍ତି ଶିଳ୍ପମନ୍ତ୍ରୀ ସମ୍ପଦ ସ୍ବାଇଁ। ଜିନ୍ଦଲ ଷ୍ଟେନଲେସ ଲିମିଟେଡ ଗ୍ରୁପ, ଇଣ୍ଡିଆନ ମେଟାଲ୍ସ ଆଣ୍ଡ ଫେରୋ ଆଲୋୟଜ୍ ଲିମିଟେଡ, ଡାଲମିଆ ଭାରତ ରିଫ୍ରାକ୍ଟୋରିଜ ଲିମିଟେଡ, ଲୁମିନସ ପାୱାର ଟେକନୋଲୋଜିଜ୍ ପ୍ରାଇଭେଟ ଲିମିଟେଡ, ଏମ ଜିଏମ ବାୟୋ ଫ୍ୟୁଏଲ୍ସ ପ୍ରାଇଭେଟ ଲିମିଟେଡ, ପ୍ରିମିୟମ ଗ୍ରୀନ ଇନୋଭେସନ୍ସ ପ୍ରାଇଭେଟ ଲିମିଟେଡ, ପାରାଦୀପ ଫସ୍ପେଟ୍ସ ଲିମିଟେଡ, ଟାଟାଷ୍ଟିଲ ଲିମିଟେଡ ଭଳି କମ୍ପାନୀଗୁଡ଼କର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ। ସେହିପରି ରିଲାଏନ୍ସ ବାୟୋ ଏନର୍ଜି ଲିମିଟେଡ, ଜିଓ ଫାଷ୍ଟ ଅଣ୍ଡଷ୍ଟ୍ରିଜ ଇଣ୍ଡିଆ ଲିମିଟେଡ, ଆଇନକ୍ସ ଏୟାର ପ୍ରଡକ୍ସ, ଶ୍ରୀ ମେଡାଲିକ୍ସ ଲିମିଟେଡ ଭଳି ଶିଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ରାଜ୍ୟ ସରକାରଙ୍କ ଶିଳ୍ପ ବିଭାଗ ପକ୍ଷରୁ ଆୟୋଜିତ ଏହି ରାଜ୍ୟସ୍ତରୀୟ ସମାରୋହରେ ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ, ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ବାଇଁ, ଯାଜପୁର ସଂସାଦ ରବୀନ୍ଦ୍ର ନାରାୟଣ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।