ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଦିଲ୍ଲୀର ଜନ୍ତରମନ୍ତରରେ ଜାତୀୟ ପତାକା ଉଡ଼ାଇବା ଓ ବିକ୍ଷୋଭ ପ୍ରଦର୍ଶନ ଘଟଣାରେ ଜେଲରେ ଥିବା କକ୍ ରୋଚ୍ ଜନତା ପାର୍ଟିର ଦୁଇ ନେତାଙ୍କ ସପକ୍ଷରେ ବାହାରିଛନ୍ତି ବିଜେଡି ସଭାପତି ତଥା ଓଡ଼ିଶା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଆଶୁତୋଷ ରାଙ୍କା ଓ ସୌରଭ ଦାସଙ୍କ ନ୍ୟାୟିକ ହେପାଜତର ତୁରନ୍ତ ସମୀକ୍ଷା କରିବା ସହ ସେମାନଙ୍କୁ ଅବିଳମ୍ବ ମୁକ୍ତ କରିବାକୁ ଦାବି କରିଛନ୍ତି ନବୀନ । ସୋସିଆଲ୍ ମିଡିଆ ପ୍ଲାଟଫର୍ମ Xରେ ‘ଜୟ ହିନ୍ଦ’ ଲେଖି ନବୀନ ଏହି ପ୍ରସଙ୍ଗରେ ନିଜ ମତ ରଖିଛନ୍ତି ।
ଆଶୁତୋଷ ରାଙ୍କା ଓ ସୌରଭ ଦାସଙ୍କ ନ୍ୟାୟିକ ହେପାଜତର ଜରୁରୀ ସମୀକ୍ଷା ହେବା ଆବଶ୍ୟକ ଏବଂ ସେମାନଙ୍କୁ ତୁରନ୍ତ ମୁକ୍ତ କରାଯିବା ଉଚିତ ବୋଲି ସେ କହିଛନ୍ତି। ନିଷିଦ୍ଧ ଅଞ୍ଚଳରେ ମଧ୍ୟ ଜାତୀୟ ପତାକା ଉଡ଼ାଇବା ପାଇଁ କାହାକୁ ଏତେ ଦୀର୍ଘ ସମୟ ଅଟକ ରଖିବା ଉଚିତ ନୁହେଁ। ଦେଶର ଯୁବପିଢ଼ି ଯେପରି ଆଇନର ଶାସନ ଓ ସାମ୍ବିଧାନିକ ଅଧିକାର ଉପରୁ ବିଶ୍ୱାସ ନ ହରାନ୍ତି, ସେଥିପାଇଁ ନ୍ୟାୟପାଳିକା ଓ କାର୍ଯ୍ୟପାଳିକା ଉଭୟଙ୍କୁ ନିଜ ଦାୟିତ୍ୱ ନିର୍ବାହ କରିବାକୁ ପଡ଼ିବ।ଅକ୍ଟୋବର ୧୩ ତାରିଖରେ ଦିଲ୍ଲୀର ଜନ୍ତରମନ୍ତର ଅଞ୍ଚଳରେ ବିକ୍ଷୋଭ ପ୍ରଦର୍ଶନ ବେଳେ ଆଶୁତୋଷ ରାଙ୍କା ଓ ସୌରଭ ଦାସଙ୍କୁ ଅଟକ ରଖାଯାଇଥିଲା।
ପୋଲିସର ଅଭିଯୋଗ ଅନୁସାରେ ସିଜେପିର କେତେକ ସଦସ୍ୟ ତାଲା ପଡ଼ିଥିବା ଗେଟ୍ ଡେଇଁ କିମ୍ବା ଘରୋଇ ପରିସର ଦେଇ ପ୍ରତିବନ୍ଧିତ ଅଞ୍ଚଳରେ ପ୍ରବେଶ କରିଥିଲେ। ସେଠାରେ ଜାତୀୟ ପତାକା ଧରି ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ସ୍ଲୋଗାନ ଦେଇଥିଲେ। ଅକ୍ଟୋବର ୧୪ ତାରିଖରେ ଭାରତୀୟ ନାଗରିକ ସୁରକ୍ଷା ସଂହିତାର ପ୍ରତିଷେଧମୂଳକ ବ୍ୟବସ୍ଥା ଅନୁଯାୟୀ ଉଭୟଙ୍କୁ ପାଞ୍ଚ ଦିନ ପାଇଁ ତିହାର ଜେଲ୍ କୁ ପଠାଯାଇଥିଲା। ପରେ ଅକ୍ଟୋବର ୧୯ରେ ସ୍ୱତନ୍ତ୍ର କାର୍ଯ୍ୟନିର୍ବାହୀ ମାଜିଷ୍ଟ୍ରେଟ୍ ସେମାନଙ୍କ ହେପାଜତ ଅବଧି ଆଉ ଦୁଇ ଦିନ ବଢ଼ାଇଥିଲେ।
ସିଜେପିପ୍ରତିଷ୍ଠାତା ଅଭିଜିତ ଦୀପକେ ଓ ବିଭିନ୍ନ ବିରୋଧୀ ଦଳର ନେତାମାନେ ଏହି ପଦକ୍ଷେପକୁ ଗଣତାନ୍ତ୍ରିକ ପ୍ରତିବାଦର ସ୍ୱର ଦମନ ପାଇଁ ଉଦ୍ୟମ ବୋଲି ଅଭିଯୋଗ କରିଛନ୍ତି। ତେବେ ଦିଲ୍ଲୀ ପୋଲିସର କହିବା ଅନୁସାରେ, ଏହି ମାମଲା କେବଳ ଜାତୀୟ ପତାକା ଉଡ଼ାଇବାକୁ ନେଇ ନୁହେଁ। ନିଷେଧାଜ୍ଞା ଓ ପୂର୍ବରୁ ଦିଆଯାଇଥିବା ବଣ୍ଡ୍ ର ଉଲ୍ଲଂଘନ ସହ ପୁଣି ଶାନ୍ତିଭଙ୍ଗ ହେବାର ଆଶଙ୍କା ଯୋଗୁଁ ଏହି ପଦକ୍ଷେପ ନିଆଯାଇଛି। ଏବେ ନବୀନ ପଟ୍ଟନାୟକଙ୍କ ହସ୍ତକ୍ଷେପ ପରେ ଏହି ମାମଲାକୁ ନେଇ ରାଜନୈତିକ ଆଲୋଚନା ଆହୁରି ଜୋର୍ ଧରିଛି।
