ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଦେଶରେ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ ବା SIRକୁ ନେଇ ପୁଣି ତେଜିଲା ରାଜନୈତିକ ଓ ସାମ୍ବିଧାନିକ ବିତର୍କ। ଭାରତୀୟ ନିର୍ବାଚନ ଆୟୋଗଙ୍କ କାର୍ଯ୍ୟପ୍ରଣାଳୀ ଉପରେ ଗୁରୁତର ପ୍ରଶ୍ନ ଉଠାଇଛନ୍ତି ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ୍ ଭି. ଗୋପାଳ ଗୌଡ଼ା। SIR ଆଳରେ ଦେଶର ୧୩ କୋଟି ଭୋଟରଙ୍କ ନାଁ ଭୋଟର ତାଲିକାରୁ ବେଆଇନ ଭାବେ ହଟାଯାଇଥିବା ଏବଂ ଏହାଦ୍ୱାରା ଏକ ନିର୍ଦ୍ଦିଷ୍ଟ ରାଜନୈତିକ ଦଳକୁ କ୍ଷମତାକୁ ଆସିବାରେ ସୁବିଧା କରାଯାଉଥିବା ସେ ଅଭିଯୋଗ କରିଛନ୍ତି।
ଭୁବନେଶ୍ୱରରେ ହରିଶ୍ଚନ୍ଦ୍ର ବକ୍ସିପାତ୍ରଙ୍କ ୯୩ତମ ଜୟନ୍ତୀ ଅବସରରେ ଆୟୋଜିତ ସଭାରେ ଯୋଗଦେଇ ଜଷ୍ଟିସ୍ ଗୋପାଳ ଗୌଡ଼ା କହିଛନ୍ତି, SIR ନାଁରେ ଦେଶର ୧୩ କୋଟି ଭୋଟରଙ୍କ ନାଁ ହଟାଇ ନିର୍ବାଚନ ଆୟୋଗ ଦେଶର ସାର୍ବଭୌମତ୍ୱକୁ ହାଇଜାକ୍ କରିବା ଭଳି କାର୍ଯ୍ୟ କରିଛନ୍ତି। ଏହା ଏକ ଗମ୍ଭୀର ଦୁର୍ଭାଗ୍ୟଜନକ ଘଟଣା ବୋଲି ସେ ମତ ଦେଇଛନ୍ତି।
ଗଣତନ୍ତ୍ରରେ ସାବାଳକ ମତାଧିକାର ଏକ ସାମ୍ବିଧାନିକ ଅଧିକାର। ଦେଶର ଜନସାଧାରଣ ହିଁ ସର୍ବୋଚ୍ଚ, ସୁପ୍ରିମକୋର୍ଟ କିମ୍ବା ନିର୍ବାଚନ ଆୟୋଗ ନୁହେଁ ବୋଲି ସେ କହିଛନ୍ତି। ଭୋଟରଙ୍କ ନାଁ ହଟାଇବା ପାଇଁ ନୁହେଁ, ବରଂ ଭୋଟର ତାଲିକାକୁ ସଠିକ୍ ଓ ନିର୍ଭୁଲ କରିବା ପାଇଁ SIR ପ୍ରକ୍ରିୟା ହେବା ଉଚିତ ବୋଲି ତାଙ୍କ ମତ।
ଏହି ଅବସରରେ ସେ ସେପ୍ଟେମ୍ବର ୨୩ରେ ‘ଦ ଇଣ୍ଡିଆନ୍ ଏକ୍ସପ୍ରେସ୍’ରେ ପ୍ରକାଶିତ ଏକ ତଦନ୍ତମୂଳକ ରିପୋର୍ଟର ମଧ୍ୟ ଉଲ୍ଲେଖ କରିଥିଲେ। SIR ପ୍ରକ୍ରିୟା ସହ ଜଡ଼ିତ କେତେକ ନିଷ୍ପତ୍ତିକୁ ଦୁଇ ନିର୍ବାଚନ ଆୟୁକ୍ତ ଆପତ୍ତି ଉଠାଇଥିବା ଏହି ରିପୋର୍ଟରେ ପ୍ରକାଶ ପାଇଥିଲା। ପରବର୍ତ୍ତୀ ସମୟରେ ମୁଖ୍ୟ ନିର୍ବାଚନ ଆୟୁକ୍ତଙ୍କ ପକ୍ଷରୁ କେତେକ ନିଷ୍ପତ୍ତିରେ ପରିବର୍ତ୍ତନ ଓ ସ୍ପଷ୍ଟୀକରଣ ଦିଆଯିବା ଘଟଣା ଏହି ରିପୋର୍ଟରେ ଉଠିଥିବା ପ୍ରଶ୍ନକୁ ଅଧିକ ଗୁରୁତ୍ୱ ଦେଉଛି ବୋଲି ଜଷ୍ଟିସ୍ ଗୋପାଳ ଗୌଡ଼ା କହିଛନ୍ତି।
ତାଙ୍କ ଅଭିଯୋଗ ଅନୁସାରେ, SIRକୁ ଅନୁମତି ଦେଇ ମେ’ ୨୭ରେ ସୁପ୍ରିମକୋର୍ଟ ଦେଇଥିବା ରାୟ ପୂର୍ବରୁ ନିର୍ବାଚନ ଆୟୋଗ ପ୍ରକ୍ରିୟା ସମ୍ପର୍କିତ କେତେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଠିକ୍ ଭାବେ ଉପସ୍ଥାପନ କରିନଥାଇପାରନ୍ତି। ଏହି ସମସ୍ତ ଘଟଣାକୁ ସୁପ୍ରିମକୋର୍ଟ ଗମ୍ଭୀରତାର ସହ ଯାଞ୍ଚ କରିବା ଉଚିତ ବୋଲି ସେ ଆଶା ପ୍ରକାଶ କରିଛନ୍ତି।
ଏଥିସହ ରାଜନୈତିକ ଦଳଗୁଡ଼ିକ ଯେପରି ବହୁ ସଂଖ୍ୟାରେ ଫର୍ମ-୭ ଦାଖଲ କରି ଭୋଟରଙ୍କ ନାଁ କାଟିବା ପାଇଁ ଏହି ପ୍ରକ୍ରିୟାର ଦୁରୁପଯୋଗ ନ କରନ୍ତି, ସେଥିପ୍ରତି ସତର୍କ କରାଇଛନ୍ତି ପୂର୍ବତନ ବିଚାରପତି। ଗଣତନ୍ତ୍ରର ସୁରକ୍ଷା ପାଇଁ SIRର ସମସ୍ତ ଦିଗକୁ ସୁପ୍ରିମକୋର୍ଟ ତନ୍ନତନ୍ନ କରି ଯାଞ୍ଚ କରିବା ଆବଶ୍ୟକ ବୋଲି ସେ ମତ ଦେଇଛନ୍ତି।
ତେବେ ଏଠାରେ ଉଲ୍ଲେଖନୀୟ, ୧୩ କୋଟି ଭୋଟରଙ୍କ ନାଁ ବେଆଇନ ଭାବେ ହଟାଯାଇଥିବା ଏବଂ ଏକ ରାଜନୈତିକ ଦଳକୁ ଫାଇଦା ଦେବା ପାଇଁ ଏପରି କରାଯାଇଥିବା ଅଭିଯୋଗ ଜଷ୍ଟିସ୍ ଗୋପାଳ ଗୌଡ଼ାଙ୍କ ବ୍ୟକ୍ତିଗତ ମତ। ଏହାକୁ ନିର୍ବାଚନ ଆୟୋଗଙ୍କ ଦ୍ୱାରା ସ୍ୱୀକୃତ ତଥ୍ୟ ଭାବେ ଧରାଯାଇପାରିବ ନାହିଁ।
