ସରକାରଙ୍କ ପ୍ରସ୍ତୁତି ବନାମ ବିରୋଧୀଙ୍କ କଣ୍ଟ୍ରୋଲ୍ ରୁମ କ୍ୟ|ମ୍ପେନ -ଲୋକଙ୍କ ସୁରକ୍ଷା ପାଇଁ ପ୍ରତିଯୋଗିତା, ନା ପ୍ରଚାର ପାଇଁ ପ୍ରତିଯୋଗିତା?
ମୂଳ ପ୍ରଶ୍ନ ହେଉଛି —ବାତ୍ୟା ପ୍ରସ୍ତୁତି ନିଶ୍ଚିତ ଆବଶ୍ୟକ, କିନ୍ତୁ ପ୍ରସ୍ତୁତିର ପ୍ରଚାର ଓ ପ୍ରକୃତ ପ୍ରସ୍ତୁତି ମଧ୍ୟରେ କେତେ ଫରକ ରହିଛି? ଏହି ମାନଦଣ୍ଡରେ ଉଭୟ ସରକାର ଓ ବିରୋଧୀଙ୍କୁ ପ୍ରଶ୍ନ କରାଯିବା ଦରକାର।
ଭୁବନେଶ୍ୱର, 20/11/2026-
ବଙ୍ଗୋପସାଗରରେ ବାତ୍ୟା ଆକ୍ୱାନ୍। ଆଉ ଓଡ଼ିଶାର ରାଜନୀତିରେ ପ୍ରଚାରର ଝଡ଼!
ମୁଖ୍ୟମନ୍ତ୍ରୀଙ୍କଠାରୁ ମୁଖ୍ୟ ଶାସନ ସଚିବ, ବରିଷ୍ଠ ଅଧିକାରୀଙ୍କଠାରୁ ଜିଲ୍ଲାପାଳ—ସମସ୍ତେ ବାତ୍ୟା ପ୍ରସ୍ତୁତିରେ ବ୍ୟସ୍ତ। ଆଉ ଏସବୁ କାମର ଫଟୋ, ଭିଡିଓ ଓ ସୋସିଆଲ୍ ମିଡିଆ ପୋଷ୍ଟ କୁ ତତକ୍ଷଣାତ ପୋଷ୍ଟ କରାଯାଉଛି |
କେବଳ ସରକାର ନୁହନ୍ତି। ବିଜେଡି ଓ କଂଗ୍ରେସ ମଧ୍ୟ ଏଥର ବାତ୍ୟା ପ୍ରସ୍ତୁତିରେ ନିଜର ଭୂମିକା ଦେଖାଇବାରେ ପଛରେନାହାନ୍ତି।
ବାତ୍ୟା ମୁକାବିଲା ପାଇଁ ସମସ୍ତେ ପ୍ରସ୍ତୁତ। କିନ୍ତୁ ପ୍ରଶ୍ନ—ବାତ୍ୟା ସହ ଲଢ଼େଇ ହେଉଛି, ନା ପରସ୍ପର ମଧ୍ୟରେ ପ୍ରଚାରର ଲଢ଼େଇ ଚାଲିଛି?
ଅର୍ଣ୍ଣବର ଅଭିଜ୍ଞତା, ଆକ୍ୱାନ୍ର ପ୍ରସ୍ତୁତି
ମାତ୍ର କିଛି ସପ୍ତାହ ତଳେ ବାତ୍ୟା ଅର୍ଣ୍ଣବ ଓ ପରବର୍ତ୍ତୀ ବନ୍ୟା ଦକ୍ଷିଣ ଓଡ଼ିଶାରେ ବ୍ୟାପକ କ୍ଷୟକ୍ଷତି କରିଥିଲା।
ଗଞ୍ଜାମର ବନ୍ୟା ପରିଚାଳନା, ଜଳଭଣ୍ଡାରରୁ ଜଳ ନିଷ୍କାସନ, ଉଦ୍ଧାର, ରିଲିଫ୍ ଓ କ୍ଷତିପୂରଣକୁ ନେଇ ମୋହନ ସରକାରଙ୍କୁ ବିରୋଧୀଙ୍କ ତୀବ୍ର ସମାଲୋଚନାର ସାମ୍ନା କରିବାକୁ ପଡ଼ିଥିଲା।
ନବୀନ ପଟ୍ଟନାୟକ ଏହାକୁ ମାନବକୃତ ବିପର୍ଯ୍ୟୟ ବୋଲି ଅଭିଯୋଗ କରିଥିଲେ। ସରକାର କିନ୍ତୁ ପ୍ରଶାସନିକ ବିଫଳତାର ଅଭିଯୋଗକୁ ଖଣ୍ଡନ କରିଛନ୍ତି।
ଆଉ ଏବେ ଆକ୍ୱାନ୍ ପାଇଁ ସରକାରଙ୍କ ବ୍ୟାପକ ପ୍ରସ୍ତୁତି।
ନଭେମ୍ବର ୧୮ର ସରକାରୀ ତଥ୍ୟ ଅନୁସାରେ ୭୪ଟି ଉଦ୍ଧାରକାରୀ ଦଳ ମୁତୟନ ହୋଇଥିଲେ। ୪୪୮ଟି ଆଶ୍ରୟସ୍ଥଳୀ କାର୍ଯ୍ୟକ୍ଷମ କରାଯାଇଥିଲା। ରିଲିଫ୍ ଓ ଉଦ୍ଧାର ପାଇଁ ୨୦ କୋଟି ୫୦ ଲକ୍ଷ ଟଙ୍କା ଆଗୁଆ ଦିଆଯାଇଥିଲା।
ପାହାଡ଼ ତଳେ ରହୁଥିବା ଲୋକଙ୍କ ସ୍ଥାନାନ୍ତରଣକୁ ଏଥର ଗୁରୁତ୍ୱ ଦିଆଯାଉଛି।
ଏସବୁ ନିଶ୍ଚିତ ଭାବେ ଆବଶ୍ୟକ ଓ ସ୍ୱାଗତଯୋଗ୍ୟ ପଦକ୍ଷେପ।
କିନ୍ତୁ ଏହି ପ୍ରସ୍ତୁତି ହିଁ ପୂର୍ବ ବାତ୍ୟା ପରିଚାଳନାକୁ ନେଇ କେତୋଟି ନୂଆ ପ୍ରଶ୍ନ ସୃଷ୍ଟି କରୁଛି।
ଏବେ ୨୪ ଘଣ୍ଟିଆ ବନ୍ୟା ଓ ବାତ୍ୟା ନଜରଦାରି—ପୂର୍ବରୁ ବ୍ୟବସ୍ଥାରେ ତ୍ରୁଟି ଥିଲା କି?
ଏବେ ପାହାଡ଼ ତଳି ଗାଁକୁ ସ୍ୱତନ୍ତ୍ର ଗୁରୁତ୍ୱ—ଅର୍ଣ୍ଣବ ସମୟରେ ସେହି ଗାଁଗୁଡ଼ିକର ବିପଦକୁ ଠିକ୍ ଭାବେ ଆକଳନ କରାଯାଇଥିଲା କି?
ଏବେ ବରିଷ୍ଠ IAS ଅଧିକାରୀଙ୍କୁ ଜିଲ୍ଲା ଦାୟିତ୍ୱ—ପୂର୍ବରୁ ବିଭାଗଗୁଡ଼ିକ ମଧ୍ୟରେ ସମନ୍ୱୟର ଅଭାବ ଥିଲା କି?
ଅର୍ଣ୍ଣବରୁ ସରକାର କ’ଣ ଶିଖିଲେ? କେଉଁ ତ୍ରୁଟିକୁ ସୁଧାରିଲେ?
ଏ ସମ୍ପର୍କରେ ସରକାର କୌଣସି ସମୀକ୍ଷା ରିପୋର୍ଟ ସାର୍ବଜନୀନ କରିବେ କି?
ଅର୍ଣ୍ଣବର କ୍ଷୟକ୍ଷତିର ହିସାବ ଦେବା ପରିବର୍ତ୍ତେ ଆକ୍ୱାନ୍ର ପ୍ରସ୍ତୁତିକୁ ସଫଳତାର ପ୍ରଚାରରେ ପରିଣତ କରାଯାଉନାହିଁ ତ?
ବିରୋଧୀଙ୍କ କଣ୍ଟ୍ରୋଲ୍ ରୁମ୍ କେତେ କାର୍ଯ୍ୟକ୍ଷମ?
ଏଥର ବାତ୍ୟା ପରିଚାଳନାର ରାଜନୀତିରେ ଆଉ ଏକ ରୋଚକ ଦୃଶ୍ୟ।
ନବୀନ ପଟ୍ଟନାୟକ ସାତଟି ଜିଲ୍ଲା ପାଇଁ ବିଜେଡିର ବରିଷ୍ଠ ନେତାଙ୍କୁ ଦାୟିତ୍ୱ ଦେଇଛନ୍ତି।
ସେପଟେ କଂଗ୍ରେସ ଭବନ ସମେତ ଆଠଟି ଜିଲ୍ଲାରେ କଣ୍ଟ୍ରୋଲ୍ ରୁମ୍ ଖୋଲିଛି କଂଗ୍ରେସ।
ଲୋକଙ୍କୁ ସହାୟତା କରିବା ଓ ପ୍ରଶାସନ ସହ ସମନ୍ୱୟ ରଖିବା ଏହାର ଘୋଷିତ ଉଦ୍ଦେଶ୍ୟ।
କିନ୍ତୁ ବିରୋଧୀଙ୍କୁ ମଧ୍ୟ ସତ୍ୟପାଠର କେତୋଟି ପ୍ରଶ୍ନ ଅଛି।
କଣ୍ଟ୍ରୋଲ୍ ରୁମ୍ ଖୋଲିଦେଲେ ବାତ୍ୟା ମୁକାବିଲା କରିହେବ କି?
ଆପଣଙ୍କ ପାଖରେ କେତେ ତାଲିମପ୍ରାପ୍ତ ସ୍ୱେଚ୍ଛାସେବୀ ଅଛନ୍ତି? କେତେ ରିଲିଫ୍ ସାମଗ୍ରୀ ମହଜୁଦ ଅଛି? ଆମ୍ବୁଲାନ୍ସ, ଗାଡ଼ି, ଡାକ୍ତରୀ ସହାୟତା ଓ ପାନୀୟ ଜଳ ଯୋଗାଇବା ପାଇଁ କି ବ୍ୟବସ୍ଥା କରିଛନ୍ତି?
ଦଳୀୟ ପାଣ୍ଠିରୁ କେତେ ଟଙ୍କା ବାତ୍ୟା ପୀଡ଼ିତଙ୍କ ପାଇଁ ବରାଦ କରିଛନ୍ତି?
ଯଦି କୌଣସି ଗାଁର ଜଣେ ଲୋକ ରାତି ଦୁଇଟାରେ ଫୋନ୍ କରି କହିବେ ଯେ ତାଙ୍କ ପରିବାର ପାଣି ଘେରରେ ଅଛନ୍ତି, ତେବେ ଦଳୀୟ କଣ୍ଟ୍ରୋଲ୍ ରୁମ୍ କି ସହାୟତା ଯୋଗାଇପାରିବ?
ସେହି ଅଭିଯୋଗକୁ ତୁରନ୍ତ ପ୍ରଶାସନ ପାଖରେ ପହଞ୍ଚାଇବା ମଧ୍ୟ ଏକ ଉପଯୋଗୀ କାମ। କିନ୍ତୁ ତା’ର ହିସାବ ରଖାଯିବ କି?
ରାଜନୈତିକ ଦଳର ସ୍ଥାନୀୟ କର୍ମୀମାନେ ଲୋକଙ୍କୁ ସତର୍କ କରାଇବା, ସୁରକ୍ଷିତ ସ୍ଥାନକୁ ଯିବାରେ ସହଯୋଗ କରିବା ଓ ରିଲିଫ୍ ପହଞ୍ଚାଇବାରେ ନିଶ୍ଚିତ ଭାବେ ସାହାଯ୍ୟ କରିପାରିବେ।
କିନ୍ତୁ ସେମାନେ ସରକାରୀ ଉଦ୍ଧାରକାରୀ ସଂସ୍ଥାର ବିକଳ୍ପ ନୁହନ୍ତି।
ବିଜେଡିର ଜିଲ୍ଲା ପର୍ଯ୍ୟବେକ୍ଷକ ଓ କଂଗ୍ରେସର କଣ୍ଟ୍ରୋଲ୍ ରୁମ୍—ଲୋକଙ୍କ ପାଇଁ ସହାୟତା କେନ୍ଦ୍ର ହେବେ, ନା କେବଳ ସରକାରଙ୍କୁ ଘେରିବା ପାଇଁ ରାଜନୈତିକ ତଥ୍ୟ ସଂଗ୍ରହ କେନ୍ଦ୍ର ହେବେ?
ବାତ୍ୟା ପରିଚାଳନା ନା ଭାବମୂର୍ତ୍ତି ପରିଚାଳନା?
ବିଜେପି ସରକାରଙ୍କ ବାତ୍ୟା ପ୍ରସ୍ତୁତି ଯେତିକି ଜରୁରୀ, ବିରୋଧୀଙ୍କ ଗଠନମୂଳକ ସହଯୋଗ ମଧ୍ୟ ସେତିକି ଆବଶ୍ୟକ।
କିନ୍ତୁ ସରକାରଙ୍କ ପାଖରେ ଅଛି ରାଷ୍ଟ୍ରୀୟ ସମ୍ବଳ, ପ୍ରଶାସନିକ କ୍ଷମତା ଓ ଆଇନଗତ ଦାୟିତ୍ୱ। ବିରୋଧୀଙ୍କ ପାଖରେ ଅଛି ସାଂଗଠନିକ ଶକ୍ତି ଓ ସରକାରଙ୍କୁ ଜବାବଦେହୀ କରିବାର ଦାୟିତ୍ୱ।
ଉଭୟଙ୍କ ଭୂମିକା ଅଲଗା।
ଯଦି ଉଭୟଙ୍କ ଲକ୍ଷ୍ୟ ଲୋକଙ୍କ ସୁରକ୍ଷା, ତେବେ ପରସ୍ପର ସହ ପ୍ରତିଯୋଗିତା ନକରି ସମନ୍ୱୟ ରଖିବାରେ ଅସୁବିଧା କେଉଁଠି?
ଆଉ ବାତ୍ୟା ଚାଲିଯିବା ପରେ ଉଭୟ ସରକାର ଓ ବିରୋଧୀ ନିଜ ନିଜ କାମର ହିସାବ ସାର୍ବଜନୀନ କରନ୍ତୁ।
କେତେ ଲୋକଙ୍କୁ ସହାୟତା ଦେଲେ, କେତେ ଅଭିଯୋଗର ସମାଧାନ କଲେ, କେତେ ଟଙ୍କା ଖର୍ଚ୍ଚ କଲେ?
ବାତ୍ୟା ପୂର୍ବରୁ ଫଟୋ ଓ ଭିଡିଓରେ ଯେତିକି ତତ୍ପରତା, ବାତ୍ୟା ପରେ କ୍ଷତିପୂରଣ ଓ ପୁନର୍ବାସରେ ସେତିକି ତତ୍ପରତା ଦେଖାଯିବ ତ?
ମନେ ରଖନ୍ତୁ—ବିପର୍ଯ୍ୟୟ ସମୟରେ ଜନସେବାର ପ୍ରମାଣ ପ୍ରେସ୍ ରିଲିଜ୍ରେ ନଥାଏ। ତାହା ଥାଏ ବିପନ୍ନ ଲୋକଙ୍କ ପାଖରେ ପହଞ୍ଚିଥିବା ସହାୟତାରେ।
ବାତ୍ୟାର ଦିଗ ସ୍ଥିର କରେ ପ୍ରକୃତି। କିନ୍ତୁ ବାତ୍ୟା ପରେ ଲୋକଙ୍କ ଦୁର୍ଦ୍ଦଶା କେତେ ଦିନ ରହିବ, ତାହା ଅନେକାଂଶରେ ସ୍ଥିର କରେ ସରକାରଙ୍କ କାର୍ଯ୍ୟ।
ବାତ୍ୟାକୁ ନେଇ ରାଜନୀତି ହେଉ, ଜବାବଦେହିତାକୁ ନେଇ ରାଜନୀତି ହେଉ। କିନ୍ତୁ ବାତ୍ୟା ବିପନ୍ନଙ୍କ ଦୁର୍ଦ୍ଦଶା ଯେମିତି କାହାର ଭାବମୂର୍ତ୍ତି ନିର୍ମାଣର ଉପକରଣ ନହୁଏ।
