ସତ୍ୟପାଠ ବ୍ୟୁରୋ, ଭୁବନେଶ୍ୱର, 20/11/2026:

ବିଧାନସଭାର ଦ୍ୱିତୀୟ ଦିନରେ ଗୃହ ଚାଲିଲା ମାତ୍ର ୧୪ ମିନିଟ୍। ସକାଳେ ୭ ମିନିଟ୍, ଅପରାହ୍ଣରେ ଆଉ ୭ ମିନିଟ୍। ଗଞ୍ଜାମ ବନ୍ୟା ବିପର୍ଯ୍ୟୟ ପ୍ରସଙ୍ଗରେ ବିଜେଡି ଓ କୋଟିଆ ପ୍ରସଙ୍ଗରେ କଂଗ୍ରେସର ପ୍ରତିବାଦ ଯୋଗୁଁ ଗୃହକାର୍ଯ୍ୟ ବାଧାପ୍ରାପ୍ତ ହୋଇଛି।

ପ୍ରଶ୍ନ ଉଠୁଛି—ସରକାର ଉତ୍ତର ଦେବାକୁ ନାରାଜ, ନା ବିରୋଧୀ ଆଲୋଚନା କରିବାକୁ ନାରାଜ?

୨୪,୧୫୦ କୋଟି ଟଙ୍କାର ଅତିରିକ୍ତ ବଜେଟ୍ ଆଣିଛନ୍ତି ମୋହନ ସରକାର। ଅଥଚ ସରକାରୀ ଖର୍ଚ୍ଚ ଓ ପ୍ରଶାସନିକ ସଫଳତା-ବିଫଳତାର ସମୀକ୍ଷା ପାଇଁ ବିଧାନସଭାରେ ସୁଯୋଗ ସୃଷ୍ଟି ହୋଇପାରୁନି।

ବନ୍ୟା ବିପନ୍ନଙ୍କୁ କେତେ କ୍ଷତିପୂରଣ ମିଳିଛି? କୋଟିଆବାସୀଙ୍କ ପାଇଁ ସରକାରୀ ପ୍ରତିଶ୍ରୁତି କେତେ ପୂରଣ ହୋଇଛି? ଏସବୁ କ’ଣ ବିଧାନସଭାରେ ଆଲୋଚନା ହେବା ଭଳି ପ୍ରସଙ୍ଗ ନୁହେଁ?

ବିଜେପି ବିରୋଧୀ ଦଳରେ ଥିବାବେଳେ ଯେଉଁ ଆଲୋଚନା ଓ ଉତ୍ତରଦାୟିତ୍ୱ ଦାବି କରୁଥିଲା, ଏବେ କ୍ଷମତାରେ ଥାଇ ସେହି ମାନଦଣ୍ଡକୁ ସମ୍ମାନ ଦେଉଛି କି?

ସେହିପରି, ଗୃହକୁ ଅଚଳ କରିଦେବା ହିଁ କ’ଣ ବିରୋଧୀ ଦଳର ଏକମାତ୍ର ରଣନୀତି?

ଗୃହ ଚଳାଇବା ସରକାରଙ୍କ ଦାୟିତ୍ୱ, ସରକାରଙ୍କଠାରୁ ଉତ୍ତର ଆଦାୟ କରିବା ବିରୋଧୀଙ୍କ ଦାୟିତ୍ୱ। ଉଭୟ ନିଜ ଦାୟିତ୍ୱ ନିର୍ବାହ ନକଲେ ଗଣତନ୍ତ୍ରରେ କ୍ଷତି କାହାର?

ବିଧାନସଭା ଶାସକ କିମ୍ବା ବିରୋଧୀ ଦଳର ସମ୍ପତ୍ତି ନୁହେଁ। ଏହା ଓଡ଼ିଶାବାସୀଙ୍କ ସ୍ୱର ଉଠାଇବାର ସାମ୍ବିଧାନିକ ମଞ୍ଚ।

ରାଜନୈତିକ ଲଢ଼େଇରେ ଉଭୟ ପକ୍ଷ ନିଜ ନିଜର ବିଜୟ ଦାବି କରିପାରନ୍ତି। କିନ୍ତୁ ବିଧାନସଭା ଅଚଳ ହେଲେ ପରାଜିତ ହୁଅନ୍ତି ଜନତା।