ନୂଆଦିଲ୍ଲୀ, (ସତ୍ୟପାଠ ବ୍ୟୁରୋ) : ଗୁଜରାଟରେ ସ୍ଥାନୀୟ ନିର୍ବାଚନରେ ବିଜେପିର ବିଜୟ ପରେ ଏବେ ରାଜନୈତିକ ଲଢ଼େଇ ତୀବ୍ର ହୋଇଛି। କେନ୍ଦ୍ରୀୟ ଗୃହମନ୍ତ୍ରୀ ଅମିତ ଶାହ ନିର୍ବାଚନୀ ଫଳାଫଳକୁ ନେଇ ସିଧାସଳଖ ରାହୁଲ ଗାନ୍ଧୀ ଓ କଂଗ୍ରେସକୁ ଟାର୍ଗେଟ୍ କରିଛନ୍ତି। ଗୁଜରାଟରେ କ୍ରମାଗତ ନିର୍ବାଚନୀ ପରାଜୟ ପାଇଁ କଂଗ୍ରେସ କ’ଣ ଏବେ ଏସ୍‌ଆଇଆର୍‌କୁ ମଧ୍ୟ ଦାୟୀ କରିବ ବୋଲି ଶାହ ପ୍ରଶ୍ନ କରିଛନ୍ତି। ଗୁଜରାଟଠାରୁ ଆରମ୍ଭ କରି ରାଜସ୍ଥାନ ଓ ତ୍ରିପୁରା ପର୍ଯ୍ୟନ୍ତ ବିଭିନ୍ନ ନିର୍ବାଚନର ଫଳାଫଳ ଉଦାହରଣ ଦେଇ ସେ କଂଗ୍ରେସକୁ ଆତ୍ମସମୀକ୍ଷା କରିବାକୁ ପରାମର୍ଶ ଦେଇଛନ୍ତି। ୨୦୨୯ ଲୋକସଭା ନିର୍ବାଚନରେ ମଧ୍ୟ ବିଜେପି ବିଜୟୀ ହେବ ବୋଲି ଶାହ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ଅର୍ଥାତ୍ ସ୍ଥାନୀୟ ନିର୍ବାଚନର ଫଳାଫଳ ପରେ ରାଜନୈତିକ ଲଢ଼େଇ ଏବେ ଏସ୍‌ଆଇଆର୍‌, ଅନୁପ୍ରବେଶ ଏବଂ ବିରୋଧୀ ଦଳର ରଣନୀତି ପର୍ଯ୍ୟନ୍ତ ପହଞ୍ଚିଛି।

 

ଗୁଜରାଟର ନିର୍ବାଚନୀ ଫଳାଫଳକୁ ନେଇ ଅମିତ ଶାହ କହିଛନ୍ତି ଯେ ୧୯୮୫ ପରଠାରୁ କଂଗ୍ରେସ ଗୁଜରାଟରେ ବିଜୟ ହାସଲ କରିପାରିନାହିଁ ଏବଂ ୪୧ ବର୍ଷ ପରେ ମଧ୍ୟ ଦଳର ସ୍ଥିତିରେ ପରିବର୍ତ୍ତନ ହୋଇନାହିଁ। ଏହି ପରାଜୟ ପାଇଁ ମଧ୍ୟ କ’ଣ ରାହୁଲ ଗାନ୍ଧୀ ସ୍ୱତନ୍ତ୍ର ଗଭୀର ଭୋଟର ତାଲିକା ସଂଶୋଧନ ବା ଏସ୍‌ଆଇଆର୍‌କୁ ଦାୟୀ କରିବେ ବୋଲି ଶାହ ପ୍ରଶ୍ନ ଉଠାଇଛନ୍ତି। ଗାନ୍ଧୀନଗର ମହାନଗର ନିଗମରେ ବିଜେପି ୪୪ଟି ଆସନରୁ ୩୮ଟିରେ ବିଜୟ ହାସଲ କରିଛି।  ଅମିତ ଶାହଙ୍କ ଦାବି ଅନୁଯାୟୀ, ଗାନ୍ଧୀନଗରରେ ବିଜେପିର ଭୋଟ୍ ପ୍ରତିଶତ ୧୦ ପ୍ରତିଶତ ବୃଦ୍ଧି ପାଇଛି। ଏହି ଫଳାଫଳ ବିରୋଧୀ ଦଳଗୁଡ଼ିକୁ ନିଜ ନିର୍ବାଚନୀ ରଣନୀତି ଉପରେ ପୁନର୍ବିଚାର କରିବାର ସଙ୍କେତ ଦେଉଛି ବୋଲି ଶାହ ମତ ଦେଇଛନ୍ତି।  ତାମିଲନାଡୁ, ପଶ୍ଚିମବଙ୍ଗ ଓ ପୁଡୁଚେରୀର ଉପନିର୍ବାଚନର ଉଲ୍ଲେଖ କରି କହିଛନ୍ତି ଯେ ଏହି ନିର୍ବାଚନଗୁଡ଼ିକରେ କଂଗ୍ରେସ ଗୋଟିଏ ମଧ୍ୟ ଆସନ ଜିତିପାରିନାହିଁ। ଆସାମର ନଗାଓଁରେ ବିଜେପିର ବିଜୟ, ପଶ୍ଚିମବଙ୍ଗର ନନ୍ଦୀଗ୍ରାମରେ ବିଜେପି ପ୍ରାର୍ଥୀଙ୍କ ସଫଳତା ଏବଂ ରେଜିନଗରରେ ତୃଣମୂଳ କଂଗ୍ରେସ ଆସନ ହାତଛଡ଼ା କରିଥିବା ଘଟଣାକୁ ମଧ୍ୟ ସେ ନିଜ ଯୁକ୍ତିର ସମର୍ଥନରେ ଉପସ୍ଥାପନ କରିଛନ୍ତି। ପୁଡୁଚେରୀରେ ଏନ୍‌ଡିଏର ସହଯୋଗୀ ଦଳ ଏଆଇଏନ୍‌ଆର୍‌ସିର ପ୍ରାର୍ଥୀଙ୍କ ବିଜୟକୁ ଉଲ୍ଲେଖ କରି ଶାହ କହିଛନ୍ତି ଯେ ଏହି ଫଳାଫଳ କଂଗ୍ରେସ ପାଇଁ ଆତ୍ମସମୀକ୍ଷାର ବାର୍ତ୍ତା ଦେଉଛି। ତେବେ ଏହି ସଂଖ୍ୟା ଓ ଉଦାହରଣଗୁଡ଼ିକୁ ଶାହ ନିଜର ରାଜନୈତିକ ଯୁକ୍ତିର ସମର୍ଥନରେ ଉପସ୍ଥାପନ କରିଛନ୍ତି। ତ୍ରିପୁରାରେ ବାଲଟ୍‌ ବକ୍ସ ମାଧ୍ୟମରେ ହୋଇଥିବା ନିର୍ବାଚନକୁ ବିଶେଷ ଭାବେ ଉଲ୍ଲେଖ କରି ଶ୍ରୀ ଶାହ ନିର୍ବାଚନ ପ୍ରକ୍ରିୟା ଉପରେ ପ୍ରଶ୍ନ ଉଠାଉଥିବା ଲୋକଙ୍କୁ ଟାର୍ଗେଟ୍ କରିଛନ୍ତି। କ୍ରମାଗତ ନିର୍ବାଚନୀ ପରାଜୟର କାରଣ ଖୋଜିବା ପାଇଁ କଂଗ୍ରେସକୁ ସେ ପରାମର୍ଶ ଦେଇଛନ୍ତି। ଏସ୍‌ଆଇଆର୍‌କୁ ଆଳ କରି କଂଗ୍ରେସ ଅନୁପ୍ରବେଶକାରୀଙ୍କୁ ସୁରକ୍ଷା ଦେବାକୁ ଚେଷ୍ଟା କରୁଥିବା ମଧ୍ୟ ଶାହ ଅଭିଯୋଗ କରିଛନ୍ତି। ଶେଷରେ ଶ୍ରୀ ଶାହ ଦାବି କରିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ବିଜେପି ଓ ଏନ୍‌ଡିଏ ୨୦୨୯ ଲୋକସଭା ନିର୍ବାଚନରେ ପୁଣି ଥରେ ବିପୁଳ ଜନମତ ସହ କ୍ଷମତାକୁ ଫେରିବ ବୋଲି ସେ କହିଛନ୍ତି।