(ସତ୍ୟପାଠ ବ୍ୟୁରୋ): କ୍ରିକେଟ୍ ମଇଦାନରେ ୧୫ ବର୍ଷୀୟ ବିସ୍ମୟ ବାଳକ ବୈଭବ ସୂର୍ଯ୍ୟବଂଶୀଙ୍କ ମହାବିସ୍ଫୋରଣ। UAE ବିପକ୍ଷରେ ବ୍ୟାଟ୍ରେ ରନ୍ର ବର୍ଷା କରି ଇତିହାସ ରଚିଛନ୍ତି ଭାରତ-ଏ’ର ଏହି ଯୁବ ଓପନର। ମାତ୍ର ୫୩ଟି ବଲ୍ରୁ ୨୦୪ ରନ୍ର ଧୂଆଁଧାର ଇନିଂସ ଖେଳି କ୍ରିକେଟ୍ ଜଗତକୁ ଚକିତ କରିଛନ୍ତି ସୂର୍ଯ୍ୟବଂଶୀ।
ଦୋହାରେ ଚାଲିଥିବା ACC Men’s Asia Cup Rising Stars 2026ରେ UAE ବିପକ୍ଷ ମ୍ୟାଚ୍ରେ ଏହି ଐତିହାସିକ ଇନିଂସ ଖେଳିଛନ୍ତି ସେ। ତାଙ୍କ ବ୍ୟାଟିଂରେ ଚୌକା ଓ ଛକାର ବର୍ଷା ହୋଇଥିଲା। ମାତ୍ର ୧୬ଟି ବଲ୍ରେ ଅର୍ଦ୍ଧଶତକ ଏବଂ ୨୮ଟି ବଲ୍ରେ ଶତକ ପୂରଣ କରିଥିଲେ। ଏହା ସହ ଲିଷ୍ଟ-ଏ କ୍ରିକେଟ୍ରେ ସବୁଠାରୁ ଦ୍ରୁତତମ ଶତକ ହାସଲ କରିଥିବା ବ୍ୟାଟର ହୋଇଛନ୍ତି। ଅଷ୍ଟ୍ରେଲିଆର ଜେକ୍ ଫ୍ରେଜର-ମ୍ୟାକଗର୍କଙ୍କ ୨୯ ବଲ୍ର ରେକର୍ଡକୁ ଭାଙ୍ଗିଛନ୍ତି।
ଏହି ଇନିଂସରେ ସେ ମୋଟ ୨୭ଟି ଛକା ମାରିଥିଲେ। ଲିଷ୍ଟ-ଏ କ୍ରିକେଟ୍ରେ ଗୋଟିଏ ଇନିଂସରେ ସର୍ବାଧିକ ଛକା ମାରିବାର ନୂଆ ବିଶ୍ୱ ରେକର୍ଡ ମଧ୍ୟ ନିଜ ନାଁରେ କରିଛନ୍ତି। ମାତ୍ର ୫୨ଟି ବଲ୍ରେ ଦ୍ୱିଶତକ ପୂରଣ କରି ସବୁଠାରୁ ଦ୍ରୁତତମ ଦ୍ୱିଶତକର ରେକର୍ଡ ଭାଙ୍ଗିଛନ୍ତି।
ଅନ୍ୟପଟେ ପ୍ରଥମେ ବ୍ୟାଟିଂ କରି UAE ୫୦ ଓଭରରେ ୮ ୱିକେଟ୍ ହରାଇ ୨୪୯ ରନ୍ କରିଥିଲା। ହରପ୍ରୀତ ସିଂହ ଭାଟିଆ ୧୩୦ ରନ୍ର ଶତକୀୟ ଇନିଂସ ଖେଳିଥିବା ବେଳେ ଭାରତ ପକ୍ଷରୁ ଅର୍ଶଦ ଖାନ୍ ୪ଟି ୱିକେଟ୍ ନେଇଥିଲେ।
୨୫୦ ରନ୍ର ବିଜୟ ଲକ୍ଷ୍ୟକୁ ପିଛା କରି ଭାରତ-ଏ ମାତ୍ର ୧୪.୨ ଓଭରରେ ୩ ୱିକେଟ୍ ହରାଇ ହାସଲ କରିନେଇଥିଲା। ଭାରତ ୭ ୱିକେଟ୍ରେ ଏହି ମ୍ୟାଚ୍ ଜିତିଥିଲା। ସୂର୍ଯ୍ୟବଂଶୀଙ୍କ ଏହି ଇନିଂସ ଭାରତୀୟ କ୍ରିକେଟ୍ର ଭବିଷ୍ୟତକୁ ନେଇ ନୂଆ ଆଶା ସଞ୍ଚାର କରିଛି।
