ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ‘ଦିଲ୍ଲୀରେ ଦଉଡି ତୁମେ ହେଲ ଗାଈ, ଯେଣିକି ଟାଣଇ ତେଣିକି ଯାଇ..’ କିଛି ଏଭଳି କହି ବିଧାନସଭାରେ ବିଜେପିର ସଦସ୍ୟ ମାନଙ୍କୁ କଟାକ୍ଷ କରିଛନ୍ତି ବିଜେଡି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ | ଗୁରୁବାର ଗୃହରେ ଅତିରିକ୍ତ ବଜେଟ୍ର ଅନୁଦାନ ଦାବି ଉପରେ ଆଲୋଚନା ଚାଲିଥିଲା | ଏହି ସମୟରେ ବହୁ ଚର୍ଚ୍ଚିତ MMDR ଆଇନ ସମ୍ପର୍କରେ ଆଲୋଚନା କରି ବିଜେପିକୁ ଟାର୍ଗେଟ କରିଥିଲେ ରାଜା ସ୍ୱାଇଁ |
ଏହି MMDR ଆଇନ ଦ୍ୱରା ଓଡିଶା ଭଳି ଖଣି ଖାଦାନରେ ଭରପୁର ରାଜ୍ୟ ବିପୁଳ ରାଜସ୍ବ କ୍ଷତି ସହିବାକୁ ଯାଉଛି | ଏହାକୁ ଝାଡ଼ଖଣ୍ଡ ଓ କର୍ଣ୍ଣାଟକ ଭଳି ରାଜ୍ୟ ଖୋଲାଖୋଲି ବିରୋଧ କରି ଏହି ଆଇନ ବିରୋଧରେ ବିଧାନସଭାରେ ପ୍ରସ୍ତାବ ଆଣିବାକୁ ଯୋଜନା କରୁଥିବା ବେଳେ ଆମ ରାଜ୍ୟରେ ଥିବା ସରକାର ଦିଲ୍ଲୀରେ ଥିବା ତାଙ୍କ ଆକ୍କାଙ୍କ ନିର୍ଦ୍ଦେଶରେ ଚୁପ ବସିଛନ୍ତି | ଏଭଳି ଓଡିଶା ସ୍ୱାର୍ଥ ବିରୋଧୀ ଆଇନ ବିରୋଧରେ ପଦେ କହିବାକୁ ଏମାନଙ୍କର ସାହସ ନାହିଁ | ଓଡ଼ିଆରେ ଏକ ଢଗ ଅଛି ‘ଦଇବ ଦଉଡି ମଣିଷ ଗାଈ, ଯେଣିକି ଟାଣଇ ତେଣିକି ଯାଇ’ ହେଲେ ତୁମ ମାନଙ୍କ ପାଇଁ ‘ଦିଲ୍ଲୀରେ ଦଉଡି ଓଡ଼ିଶା ବିଜେପି ଗାଈ, ଯେଣିକି ଟାଣଇ ତେଣିକି ଯାଇ..’ ଢଗ ଟି ପ୍ରଯୁଜ୍ୟ ବୋଲି ରାଜା କହିଥିଲେ | ଆଉ ରାଜାଙ୍କ ଏଭଳି କଟାକ୍ଷ ଗୃହ ଭିତରେ ମାହୋଲ ବଦଳାଇ ଦେଇଥିଲା |
