• ୨୦୦୪ରେ ଅଧିକାର ପାଇଁ ଆଇନ, ୨୦୨୬ରେ ଅଧିକାର ଉପରେ କଟକଣା!

  • ୧୯ ବର୍ଷର ଆଇନଗତ ଲଢ଼େଇ ପରେ ଓଡ଼ିଶା କ’ଣ ପାଇଲା?

  • ୨୦ ବିଜେପି ସାଂସଦ—ଓଡ଼ିଶାର ଖଣି ରାଜସ୍ୱ ପାଇଁ କ’ଣ କଲେ?

  • କ୍ଷତି ଆକଳନ ନାହିଁ, କ୍ଷତି ଅଭିଯୋଗକୁ ଖଣ୍ଡନ କେମିତି?

  • ଖଣିଜ ସମ୍ପଦ ଉପରେ ଆର୍ଥିକ ଅଧିକାର—ଓଡ଼ିଆ ଅସ୍ମିତାର ଅଂଶ ନୁହେଁ କି?

satyapatha (Bureau) : ଗତକାଲି ଝାଡ଼ଖଣ୍ଡ ବିଧାନସଭାରେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ପାରିତ ହୋଇଛି। କେନ୍ଦ୍ର ସରକାରଙ୍କ ସଂଶୋଧିତ MMDR ଆଇନ ପ୍ରତ୍ୟାହାର ବା ପୁନର୍ବିଚାର ପାଇଁ ଦାବି କରିଛି ଝାଡ଼ଖଣ୍ଡ।

ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଯୁକ୍ତି, ଏହି ଆଇନ ଯୋଗୁଁ ତାଙ୍କ ରାଜ୍ୟ ବାର୍ଷିକ ପ୍ରାୟ ୧୩ ହଜାର କୋଟି ଟଙ୍କା ରାଜସ୍ୱ ହରାଇପାରେ।

ବିଜେପି ଏହି ଆକଳନକୁ ଚ୍ୟାଲେଞ୍ଜ କରିଛି।

କିନ୍ତୁ ଓଡ଼ିଶାର ପ୍ରଶ୍ନ ହେଉଛି—ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିଜସ୍ୱ ଆଭିମୁଖ୍ୟ କ’ଣ?

ଝାଡ଼ଖଣ୍ଡ ନିଜ ଖଣିଜ ସମ୍ପଦରୁ ରାଜସ୍ୱ ପାଇବାର ଅଧିକାର ପାଇଁ ବିଧାନସଭାରେ ପ୍ରସ୍ତାବ ଆଣିଲା। ଓଡ଼ିଶା ସେଭଳି ପ୍ରସ୍ତାବ ଆଣିବାରେ ଅସୁବିଧା କେଉଁଠି?

୨. ଯେଉଁ ଅଧିକାର ପାଇଁ ଓଡ଼ିଶା ୧୯ ବର୍ଷ ଲଢ଼ିଥିଲା

ଏହି ବିବାଦର ଇତିହାସ ବେଶ୍ ରୋଚକ।

୨୦୦୪ ମସିହାରେ ବିଜେଡି-ବିଜେପି ମେଣ୍ଟ ସରକାର ସମୟରେ ଓଡ଼ିଶାରେ ORISED ଆଇନ ପ୍ରଣୟନ ହୋଇଥିଲା। ଖଣିଜ ସମ୍ପଦ ଥିବା ଜମିର ବାର୍ଷିକ ମୂଲ୍ୟ ଉପରେ ୨୦ ପ୍ରତିଶତ ପର୍ଯ୍ୟନ୍ତ ଟିକସ ଲାଗୁ କରିବାର ବ୍ୟବସ୍ଥା ଥିଲା।

୨୦୦୫ରେ ଓଡ଼ିଶା ହାଇକୋର୍ଟ ଏହି ଆଇନକୁ ରଦ୍ଦ କରିଥିଲେ। ଓଡ଼ିଶା ସରକାର ସୁପ୍ରିମକୋର୍ଟ ଯାଇଥିଲେ।

୨୦୨୪ ଜୁଲାଇ ୨୫ରେ ସୁପ୍ରିମକୋର୍ଟଙ୍କ ୯ ଜଣିଆ ସାମ୍ବିଧାନିକ ଖଣ୍ଡପୀଠ ଖଣିଜ ଅଧିକାର ଓ ଖଣିଜ ସମ୍ପଦ ଥିବା ଜମି ଉପରେ ଟିକସ ଲାଗୁ କରିବାର ରାଜ୍ୟର ସାମ୍ବିଧାନିକ କ୍ଷମତାକୁ ସ୍ୱୀକୃତି ଦେଇଥିଲେ।

ଅଗଷ୍ଟ ୧୪ରେ ୨୦୦୫ ଏପ୍ରିଲ ୧ରୁ ବକେୟା ଟିକସ ଆଦାୟ ପାଇଁ ମଧ୍ୟ ଅଦାଲତ ବାଟ ଖୋଲିଥିଲେ।

କିନ୍ତୁ ୨୦୨୬ରେ କେନ୍ଦ୍ର ସରକାର MMDR ଆଇନରେ ସଂଶୋଧନ ଆଣି ଧାରା 9D ଜରିଆରେ ରାଜ୍ୟର ଏହି ଟିକସ ଆଦାୟ କ୍ଷମତା ଉପରେ କଟକଣା ଲଗାଇଛନ୍ତି।

୨୦୦୪ରେ ଯେଉଁ ଅଧିକାର ପାଇଁ ବିଜେପି ଓଡ଼ିଶାରେ ଆଇନ ତିଆରି କରିବାରେ ଅଂଶୀଦାର ଥିଲା, ୨୦୨୬ରେ ସେହି ଅଧିକାର ଉପରେ କଟକଣାକୁ ବିଜେପି କେଉଁ ଯୁକ୍ତିରେ ସମର୍ଥନ କରୁଛି?

୩. ଓଡ଼ିଶାର କ୍ଷତି କେତେ? ସରକାରଙ୍କ ପାଖରେ ହିସାବ ଅଛି ତ?

ଗତ ସେପ୍ଟେମ୍ବରରେ ଖଣିମନ୍ତ୍ରୀ ବିଭୂତି ଭୂଷଣ ଜେନା ବିଧାନସଭାରେ କହିଥିଲେ ଯେ ସରକାର ଆର୍ଥିକ କ୍ଷତିର ପରିମାଣ ଆକଳନ କରିନାହାନ୍ତି।

ଏବେ ବିଜେଡି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ଦାବି, ଓଡ଼ିଶା ପ୍ରାୟ ଦେଢ଼ ଲକ୍ଷ କୋଟି ଟଙ୍କାର ସେସ୍ ଏବଂ ବାର୍ଷିକ ପ୍ରାୟ ୧୫ ହଜାର କୋଟି ଟଙ୍କାର ସମ୍ଭାବ୍ୟ ରାଜସ୍ୱ ହରାଇପାରେ।

ଖଣିମନ୍ତ୍ରୀ ଏହି ଆକଳନକୁ ଖଣ୍ଡନ କରିଛନ୍ତି। ସଂଶୋଧିତ ଆଇନ ଦ୍ୱାରା ଖଣିଜ ଉତ୍ପାଦନ ବଢ଼ିବ, ଆମଦାନୀ କମିବ ଓ ଟିକସ ବ୍ୟବସ୍ଥା ସରଳ ହେବ ବୋଲି ସରକାରଙ୍କ ଯୁକ୍ତି।

ତେବେ ସତ୍ୟପାଠର ପ୍ରଶ୍ନ—

ସରକାର ନିଜେ କ୍ଷତିର ଆକଳନ କରିନଥିବା କଥା ସେପ୍ଟେମ୍ବରରେ କହିଥିଲେ। ଏବେ ବିରୋଧୀଙ୍କ ଆକଳନ ଭୁଲ୍ ବୋଲି କେଉଁ ହିସାବ ଆଧାରରେ କହୁଛନ୍ତି?

ବିରୋଧୀଙ୍କ ହିସାବ ଭୁଲ୍ ହୋଇପାରେ। କିନ୍ତୁ ସରକାରଙ୍କ ସଠିକ୍ ହିସାବ କେଉଁଠି?

୪. କୋଡ଼ିଏ ବିଜେପି ସାଂସଦଙ୍କ ଦାୟିତ୍ୱ କ’ଣ?

ଓଡ଼ିଶାରୁ ବିଜେପିର ୨୦ ଜଣ ଲୋକସଭା ସାଂସଦ ଅଛନ୍ତି।

ଅଗଷ୍ଟ ମାସରେ ଲୋକସଭାରେ ଏହି ବିଲ୍ ବିନା ବିତର୍କରେ ପାରିତ ହୋଇଥିଲା।

ଓଡ଼ିଶାର ସାଂସଦମାନେ ଏହି ଆଇନର ଆର୍ଥିକ ପ୍ରଭାବ ସମ୍ପର୍କରେ କେନ୍ଦ୍ର ସରକାରଙ୍କଠାରୁ ସ୍ପଷ୍ଟୀକରଣ ମାଗିଥିଲେ କି?

ଧର୍ମେନ୍ଦ୍ର ପ୍ରଧାନ, ଅଶ୍ୱିନୀ ବୈଷ୍ଣବ ଓ ଜୁଏଲ ଓରାମଙ୍କ ଭଳି ଓଡ଼ିଶା ସହ ସମ୍ପୃକ୍ତ କେନ୍ଦ୍ରମନ୍ତ୍ରୀମାନେ ଓଡ଼ିଶାର ଆର୍ଥିକ ସ୍ୱାର୍ଥ ସୁରକ୍ଷିତ ରହିବା ପାଇଁ କ’ଣ ପଦକ୍ଷେପ ନେଇଛନ୍ତି?

ଡବଲ୍ ଇଞ୍ଜିନ୍ ସରକାରର ଅର୍ଥ କେନ୍ଦ୍ର ସହ ସମନ୍ୱୟ, ନା କେନ୍ଦ୍ରର ପ୍ରତ୍ୟେକ ନିଷ୍ପତ୍ତିକୁ ବିନା ପ୍ରଶ୍ନରେ ଗ୍ରହଣ କରିବା?

୫. ମୋହନ ମାଝୀଙ୍କୁ ସତ୍ୟପାଠର ଛଅଟି ସିଧା ପ୍ରଶ୍ନ

୧. MMDR ଆଇନ ସଂଶୋଧନ ପୂର୍ବରୁ କେନ୍ଦ୍ର ସରକାର ଓଡ଼ିଶାର ମତାମତ ନେଇଥିଲେ କି? ନେଇଥିଲେ ଓଡ଼ିଶା କ’ଣ ମତ ଦେଇଥିଲା?

୨. ସଂଶୋଧିତ ଆଇନର ଧାରା 9Dକୁ ମୋହନ ସରକାର ସମର୍ଥନ କରୁଛନ୍ତି ନା ବିରୋଧ କରୁଛନ୍ତି?

୩. ୨୦୦୫ରୁ ଆଦାୟ ହୋଇପାରିବାକୁ ଥିବା ବକେୟା ଖଣି ଟିକସର ମୋଟ ପରିମାଣ କେତେ? ସେଥିରୁ କେତେ ଆଦାୟ ଅନିଶ୍ଚିତ ହୋଇପଡ଼ିଛି?

୪. ଯଦି ଓଡ଼ିଶାର କୌଣସି ଆର୍ଥିକ କ୍ଷତି ହେବନାହିଁ, ତେବେ ମୁଖ୍ୟମନ୍ତ୍ରୀ ଏକ ଶ୍ୱେତପତ୍ର ପ୍ରକାଶ କରିବେ କି?

୫. ନବୀନ ପଟ୍ଟନାୟକ ସର୍ବଦଳୀୟ ବୈଠକ ଓ ସ୍ୱତନ୍ତ୍ର ବିଧାନସଭା ଅଧିବେଶନ ଡାକିବାକୁ ଦାବି କରିଥିଲେ। ମୋହନ ମାଝୀ ସେହି ପ୍ରସ୍ତାବକୁ ଗ୍ରହଣ କରିବେ କି?

୬. ସଂଶୋଧିତ ଆଇନ ଦ୍ୱାରା ଖଣି କମ୍ପାନୀଙ୍କ ଆର୍ଥିକ ଦାୟିତ୍ୱ କେତେ କମିବ ଏବଂ ଓଡ଼ିଶାର ସମ୍ଭାବ୍ୟ ରାଜସ୍ୱ କେତେ ପ୍ରଭାବିତ ହେବ—ସେହି ତୁଳନାତ୍ମକ ହିସାବ ସରକାର ଦେବେ କି?

୬. ଓଡ଼ିଆ ଅସ୍ମିତା ଓ ଓଡ଼ିଶାର ଆର୍ଥିକ ଅଧିକାର

ଓଡ଼ିଆ ଅସ୍ମିତାର କଥା କହି ବିଜେପି ଓଡ଼ିଶାରେ କ୍ଷମତାକୁ ଆସିଛି।

ଓଡ଼ିଆ ଅସ୍ମିତା କେବଳ ଭାଷା, ସଂସ୍କୃତି ଓ ପରମ୍ପରାରେ ସୀମିତ ନୁହେଁ। ଓଡ଼ିଶାର ପ୍ରାକୃତିକ ସମ୍ପଦରୁ ରାଜ୍ୟର ନ୍ୟାୟସଙ୍ଗତ ଆର୍ଥିକ ଅଧିକାର ମଧ୍ୟ ଏହାର ଅଂଶ।

ଖଣି ଖନନର ପ୍ରଭାବ ଭୋଗୁଛନ୍ତି କେନ୍ଦୁଝର, ସୁନ୍ଦରଗଡ଼, କୋରାପୁଟ ଓ ରାୟଗଡ଼ାର ଲୋକ। ବିସ୍ଥାପନ, ଜଙ୍ଗଲ ନଷ୍ଟ, ଜଳ ଓ ବାୟୁ ପ୍ରଦୂଷଣର ସାମାଜିକ ମୂଲ୍ୟ ବହନ କରୁଛନ୍ତି ସ୍ଥାନୀୟ ଲୋକ।

ତେଣୁ ଖଣି ରାଜସ୍ୱ ଉପରେ କୌଣସି କଟକଣାର ଆର୍ଥିକ ଓ ସାମାଜିକ ପ୍ରଭାବ ଜାଣିବାର ଅଧିକାର ସେମାନଙ୍କର ରହିଛି।

ମୋହନ ମାଝୀ ଦଳର ଆଭିମୁଖ୍ୟ ସହ ଏକମତ ହୋଇପାରନ୍ତି। କିନ୍ତୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ସେହି ଆଭିମୁଖ୍ୟ ରାଜ୍ୟ ପାଇଁ କିପରି ଲାଭଦାୟକ, ତାହାର ହିସାବ ଦେବା ତାଙ୍କର ଦାୟିତ୍ୱ।

ଝାଡ଼ଖଣ୍ଡ ତା’ର ଆଭିମୁଖ୍ୟ ବିଧାନସଭାରେ ସ୍ପଷ୍ଟ କରିଛି।

ଓଡ଼ିଶା କେବେ କରିବ?