ନୂଆଦିଲ୍ଲୀ, ୨୭ ନଭେମ୍ବର: ଭାରତୀୟ ନ୍ୟାୟପାଳିକାରେ ବିଚାରପତି ନିଯୁକ୍ତିକୁ ନେଇ ଏକ ବଡ଼ ବିବାଦ ସାମ୍ନାକୁ ଆସିଛି। ସୁପ୍ରିମକୋର୍ଟ କଲେଜିୟମ୍‌ର ସାମ୍ପ୍ରତିକ ସୁପାରିସ୍‌ରେ ଯୋଗ୍ୟତା, ସାମାଜିକ ବିବିଧତା ଓ ସମାବେଶୀ ନୀତିକୁ ଅଣଦେଖା କରି ଗୋଟିଏ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟକୁ ଅଧିକ ପ୍ରାଧାନ୍ୟ ଦିଆଯାଉଥିବା ଅଭିଯୋଗ ଆଣିଛନ୍ତି ପୂର୍ବତନ ମୁଖ୍ୟ ବିଚାରପତି ଜଷ୍ଟିସ୍ ବି.ଆର୍. ଗଭାଇ। ଏନେଇ ସେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ତିନି ପୃଷ୍ଠାର ଚିଠି ଲେଖି ହସ୍ତକ୍ଷେପ ଲୋଡ଼ିଛନ୍ତି।

ଚିଠିରେ ଜଷ୍ଟିସ୍ ଗଭାଇ ଉଲ୍ଲେଖ କରିଛନ୍ତି ଯେ, ଦେଶର ମୋଟ ଜନସଂଖ୍ୟାର ୫ ପ୍ରତିଶତରୁ କମ୍ ଥିବା ଏକ ସମ୍ପ୍ରଦାୟର ସୁପ୍ରିମକୋର୍ଟରେ ୪୦ ପ୍ରତିଶତରୁ ଅଧିକ ପ୍ରତିନିଧିତ୍ୱ ରହିଛି। ତେବେ ସେ ନିଜ ଚିଠିରେ ସମ୍ପ୍ରଦାୟର ନାମ ଉଲ୍ଲେଖ କରିନାହାନ୍ତି। ଏହି ଅସମାନତା ଦୀର୍ଘଦିନରୁ ରହିଥିଲେ ମଧ୍ୟ ସାମ୍ପ୍ରତିକ ସମୟରେ ଏହା ଆହୁରି ବଢ଼ିଥିବା ନେଇ ସେ ଉଦ୍‌ବେଗ ପ୍ରକାଶ କରିଛନ୍ତି।

ନ୍ୟାୟପାଳିକାରେ ପଛୁଆ ବର୍ଗ, ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି, ସଂଖ୍ୟାଲଘୁ ଓ ମହିଳାଙ୍କ ପ୍ରତିନିଧିତ୍ୱ ଅତ୍ୟନ୍ତ କମ୍ ଥିବା ନେଇ ମଧ୍ୟ ସେ ପ୍ରଶ୍ନ ଉଠାଇଛନ୍ତି। ଚିଠିରେ ସେ ସଂସଦରେ ଉପସ୍ଥାପିତ ତଥ୍ୟକୁ ଉଦ୍ଧୃତ କରି କହିଛନ୍ତି, ୨୦୧୮ରୁ ନିଯୁକ୍ତ ୭୧୫ ଜଣ ହାଇକୋର୍ଟ ବିଚାରପତିଙ୍କ ମଧ୍ୟରୁ ମାତ୍ର ୨୨ ଜଣ ଅନୁସୂଚିତ ଜାତି, ୧୬ ଜଣ ଅନୁସୂଚିତ ଜନଜାତି, ୮୯ ଜଣ ଓବିସି ଏବଂ ୩୭ ଜଣ ସଂଖ୍ୟାଲଘୁ ବର୍ଗର।

ସେହିପରି ୨୦୨୧ ଜାନୁଆରୀରୁ ୨୦୨୬ ଜାନୁଆରୀ ମଧ୍ୟରେ ହୋଇଥିବା ନ୍ୟାୟିକ ନିଯୁକ୍ତିରେ ଅଗ୍ରଣୀ ବର୍ଗର ପ୍ରତିନିଧିତ୍ୱ ପ୍ରାୟ ୮୦ ପ୍ରତିଶତ ଥିବା ବେଳେ ଓବିସିଙ୍କ ପ୍ରତିନିଧିତ୍ୱ ୧୪ ପ୍ରତିଶତରୁ କମ୍ ରହିଥିବା ସେ ଚିଠିରେ ଦର୍ଶାଇଛନ୍ତି।

କେବଳ ନିଯୁକ୍ତି ନୁହେଁ, ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କ ବଦଳିକୁ ନେଇ ମଧ୍ୟ ଜଷ୍ଟିସ୍ ଗଭାଇ ପ୍ରଶ୍ନ ଉଠାଇଛନ୍ତି। କେତେକ ବିଚାରପତିଙ୍କୁ ପୂର୍ବରୁ ଛୋଟ ହାଇକୋର୍ଟକୁ ବଦଳି କରାଯାଇଥିବା ସତ୍ତ୍ୱେ ପରବର୍ତ୍ତୀ ସମୟରେ ଏକ ପ୍ରମୁଖ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ନିଯୁକ୍ତି ସୁପାରିସ୍ କରାଯାଇଥିବା ନେଇ ସେ ଆପତ୍ତି ଜଣାଇଛନ୍ତି। ଏହା ମେଧାବୀ ଓ ପରିଶ୍ରମୀ ବିଚାରପତିଙ୍କ ମନୋବଳ ଉପରେ ପ୍ରଭାବ ପକାଇବ ବୋଲି ତାଙ୍କ ମତ।

ଜଷ୍ଟିସ୍ ଗଭାଇ କହିଛନ୍ତି, କଲେଜିୟମ୍‌ର ସୁପାରିସ୍‌କୁ ପ୍ରାଧାନ୍ୟ ଦିଆଯାଉଥିବା ଅର୍ଥ ଏହା ନୁହେଁ ଯେ କଲେଜିୟମ୍ ଉତ୍ତରଦାୟିତ୍ୱରୁ ମୁକ୍ତ। ସମ୍ବିଧାନର ଧାରା ୧୨୪(୨) ଉଲ୍ଲେଖ କରି ସେ ରାଷ୍ଟ୍ରପତିଙ୍କ ସାମ୍ବିଧାନିକ ଦାୟିତ୍ୱ ଓ ନ୍ୟାୟପାଳିକାରେ ସମାନ ପ୍ରତିନିଧିତ୍ୱ ସୁନିଶ୍ଚିତ କରିବାର ଆବଶ୍ୟକତା କଥା ଉଠାଇଛନ୍ତି। ଏହି ଚିଠିର ନକଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ କେନ୍ଦ୍ର ଆଇନ ରାଷ୍ଟ୍ରମନ୍ତ୍ରୀ ଅର୍ଜୁନ ରାମ ମେଘୱାଲଙ୍କୁ ମଧ୍ୟ ପଠାଯାଇଛି।

ଜଣେ ପୂର୍ବତନ ମୁଖ୍ୟ ବିଚାରପତିଙ୍କ ଏଭଳି ଚିଠି ପରେ ନ୍ୟାୟପାଳିକାରେ ସାମାଜିକ ପ୍ରତିନିଧିତ୍ୱ, କଲେଜିୟମ୍‌ର ସ୍ୱଚ୍ଛତା ଓ ବିଚାରପତି ନିଯୁକ୍ତିର ମାନଦଣ୍ଡକୁ ନେଇ ନୂଆ ବିତର୍କ ସୃଷ୍ଟି ହୋଇଛି।