କେନ୍ଦ୍ରକୁ ବମ୍ବେ ହାଇକୋର୍ଟଙ୍କ ନିର୍ଦ୍ଦେଶ : “କରୋନା ମହାମାରୀ ମୁକାବିଲାରେ ଭାଇରାସ ବିରୋଧରେ ‘ସର୍ଜିକାଲ୍ ଷ୍ଟ୍ରାଇକ୍’ ଭଳି ଲଢେଇ କର”

(ସତ୍ୟାପାଠ ବ୍ଯୁରୋ) ଭୁବନେଶ୍ୱର : ବର୍ତ୍ତମାନ ମନୁଷ୍ୟ ସମାଜର ସବୁଠାରୁ ବଡ଼ ଶତ୍ରୁ ହେଉଛି କରୋନା ଭାଇରସ୍। ତେଣୁ ସୀମାରେ ଠିଆ ହୋଇ ଅପେକ୍ଷା କରିବା ପରିବର୍ତ୍ତେ କରୋନାଭାଇରସ୍ ବିରୋଧରେ କେନ୍ଦ୍ରର ଆଭିମୁଖ୍ୟ, ‘ସର୍ଜିକାଲ୍ ଷ୍ଟ୍ରାଇକ୍’ ହେବା ଉଚିତ୍। ଆଜି କେନ୍ଦ୍ର ସରକାରଙ୍କୁ ଏଭଳି ନିର୍ଦ୍ଦେଶ ଦେଇଛନ୍ତି ବମ୍ବେ ହାଇକୋର୍ଟ। ପ୍ରଧାନ ବିଚାରପତି ଦୀପଙ୍କର୍ ଦତ୍ତା ଏବଂ ଜଷ୍ଟିସ୍ ଜି.ଏସ୍ କୁଲକର୍ଣ୍ଣିଙ୍କ ଏକ ଡିଭିଜନ୍ ବେଞ୍ଚ କହିଛନ୍ତି ଯେ, କେନ୍ଦ୍ର ସରକାରଙ୍କ “ଘର ନିକଟରେ” ଟୀକାକରଣ କାର୍ଯ୍ୟକ୍ରମ ହେଉଛି ଭାଇରସ୍ କୁ ଅଧିକ ପ୍ରଭାବୀ ହେବାକୁ ସୁଯୋଗ ଦେବା ଭଳି। ଜଷ୍ଟିସ୍ ଦତ୍ତା କହିଛନ୍ତି ଯେ, “କରୋନାଭାଇରସ୍ ହେଉଛି ଆମର ସବୁଠାରୁ ବଡ ଶତ୍ରୁ। ଆମକୁ ଏହାର ବିନାଶ କରିବା ଆବଶ୍ୟକ। ଶତ୍ରୁ କିଛି ନିର୍ଦ୍ଦିଷ୍ଟ ଅଞ୍ଚଳରେ ବାସ କରୁଛି ଏବଂ ଆଉ କିଛି ଲୋକଙ୍କୁ ଆଟାକ୍ କରୁଛି ଯେଉଁ ମାନେ ଘରୁ ବାହାରିବାକୁ ଅସମର୍ଥ ଅଟନ୍ତି। ତେଣୁ ସରକାରଙ୍କ ଆଭିମୁଖ୍ୟ ସର୍ବଦା ସର୍ଜିକାଲ୍ ଷ୍ଟ୍ରାଇକ୍ ପରି ହେବା ଉଚିତ୍ । ସରକାର ଭାଇରସ୍ ପ୍ରବେଶ କରିବା ପାଇଁ ଅପେକ୍ଷା କରିବା ପରିବର୍ତ୍ତେ ଶତ୍ରୁର ଇଲାକାରେ ପ୍ରବେଶ କରି ଏହାର ନଷ୍ଟ କରାଯିବା ଆବଶ୍ୟକ। ଜନସାଧାରଣଙ୍କ କଲ୍ୟାଣ ପାଇଁ ସରକାର ନିଷ୍ପତ୍ତି ନେଉଛନ୍ତି, କିନ୍ତୁ ନିଷ୍ପତ୍ତି ବିଳମ୍ବ ହେବା କାରଣରୁ ଅନେକ ଲୋକଙ୍କ ପ୍ରାଣ ଚାଲିଯାଇଛି। ଧ୍ରୁତି କାପଡିଆ ଏବଂ କୁନାଲ ତିୱାରୀ ଦୁଇ ଜଣ ଓକିଲଙ୍କ ଦ୍ବାରା ଦାଖଲ କରାଯାଇଥିବା ଏକ ଜନସ୍ୱାର୍ଥ ମାମଲା ଉପରେ ଆଜି ବମ୍ବେ ହାଇକୋର୍ଟରେ ଶୁଣାଣି ହୋଇଥିଲା । ଆବେଦାନକାରୀ କହିଥିଲେ ଯେ ୭୫ ବର୍ଷରୁ ଅଧିକ ବୟସ୍କ ତଥା ବରିଷ୍ଠ ନାଗରିକ ଏବଂ ବିଶେଷ ଭାବେ ଯେଉଁମାନେ ହ୍ବିଲ୍ ଚେୟାରର ସାହାରା ନେଉଛନ୍ତି ସେମାନଙ୍କ ପାଇଁ ସରକାର ଘରେ ଘରେ ଟୀକାକରଣ ଅଭିଯାନ ଆରମ୍ଭ କରିବାକୁ ହାଇକୋର୍ଟ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେବାକୁ ଅନୁରୋଧ କରିଥିଲେ। ଅନ୍ୟପକ୍ଷରେ କେନ୍ଦ୍ର ସରକାର ଜୁନ୍ ୮ ରେ କୋର୍ଟଙ୍କୁ କହିଛନ୍ତି ଯେ ବର୍ତ୍ତମାନ ଘରେ ଘରେ ଟୀକାକରଣ ସମ୍ଭବ ନୁହେଁ, କିନ୍ତୁ “ଘର ନିକଟରେ” ଟୀକାକରଣ କେନ୍ଦ୍ର ଆରମ୍ଭ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ଏହାର କାଉଣ୍ଟରରେ ବମ୍ବେ ହାଇକୋର୍ଟ ଆଜି କେରଳ, ଜାମ୍ମୁ-କାଶ୍ମୀର, ବିହାର ଏବଂ ଓଡିଶା ଦ୍ବାରା ଆରମ୍ଭ ହୋଇଥିବା ଘରେ ଘରେ ଟୀକାକରଣ କାର୍ଯ୍ୟକ୍ରମର ଉଦାହରଣ ଦେଇଛନ୍ତି। କୋର୍ଟ କହିଛନ୍ତି ଯେ, ” ଡୋର୍ ଟୁ ଡୋର ଟୀକାକରଣ ପାଇଁ ଅନେକ ରାଜ୍ୟ ଇଚ୍ଛୁକ ଅଛନ୍ତି। ସେମାନେ ଏଥିପାଇଁ କେବଳ କେନ୍ଦ୍ର ସରକାରଙ୍କ ଅନୁମତିକୁ ଅପେକ୍ଷା କରିଛନ୍ତି। ତେବେ ଅନ୍ୟ ରାଜ୍ୟ ଗୁଡ଼ିକରେ ଏଭଳି ଟୀକାକରଣ ଅଭିଯାନ କାହିଁକି ଆରମ୍ଭ କରାଯାଇ ନାହିଁ ବୋଲି କୋର୍ଟ କେନ୍ଦ୍ରକୁ ପ୍ରଶ୍ନ କରିଛନ୍ତି ବମ୍ବେ ହାଇକୋର୍ଟ ଆହୁରି ମଧ୍ୟ ପ୍ରଶ୍ନ କରିଛନ୍ତି ଯେ, ଉତ୍ତର, ଦକ୍ଷିଣ ଏବଂ ପୂର୍ବାଞ୍ଚଳର ଅନେକ ରାଜ୍ୟମାନେ ଏହା ଅଭିଯାନ ଆରମ୍ଭ କରିସାରିଥିବା ବେଳେ କେବଳ ମହାରାଷ୍ଟ୍ର ଏବଂ ବିଏମସି ଏଥିପାଇଁ କାହିଁକି କେନ୍ଦ୍ର ସରକାରଙ୍କ ଅନୁମତିକୁ ଅପେକ୍ଷା କରିଛି ବୋଲି ପ୍ରଧାନ ବିଚାରପତି ପ୍ରଶ୍ନ କରିଥିଲେ। କୋର୍ଟ କହିଛନ୍ତି ଯେ ଆମେ ସର୍ବଦା ବିଏମସିକୁ ପ୍ରଶଂସା କରୁଛୁ ଏବଂ ଏହା ଅନ୍ୟ ରାଜ୍ୟ ପାଇଁ ଏକ ମଡେଲ ବୋଲି କହିଛୁ। ମୁମ୍ବାଇରେ ଜଣେ ବରିଷ୍ଠ ରାଜନେତାଙ୍କୁ ତାଙ୍କ ଘରେ ଟିକା ଦିଆଗଲା। ଏହି ଭୁଲ୍ ପାଇଁ କିଏ ଦୋଷ ମୁଣ୍ଡାଇବ ରାଜ୍ୟ ସରକାର ନା ବିଏମସି ବୋଲି ହାଇକୋର୍ଟ ପଚାରିଛନ୍ତି। ବେଞ୍ଚ ବିଏମସିର ପକ୍ଷ ରଖୁଥିବା ଓକିଲ ଅନିଲ ସାଖରେ ଏବଂ ରାଜ୍ୟ ସରକାରଙ୍କ ପକ୍ଷ ରଖୁଥିବା ଆଡଭୋକେଟ ଜେନେରାଲ ଗୀତା ଶାସ୍ତ୍ରୀଙ୍କୁ ଏହି ଘଟଣା ସମ୍ପର୍କରେ ଜବାବ ଦାଖଲ କରିବା ପାଇଁ ନିର୍ଦେଶ ଦେଇଛନ୍ତି। ଦେଶର ସାମ୍ପ୍ରତିକ ପରିସ୍ଥିତିକୁ ଦୃଷ୍ଟିରେ ରଖି ବରିଷ୍ଠ ନାଗରିକଙ୍କୁ ସୁବିଧାରେ ଟିକା ଦେବା ପାଇଁ ସରକାର ଠିକ୍ ନିଷ୍ପତ୍ତି ନେବେ ବୋଲି କୋର୍ଟ ଆଶା ବ୍ୟକ୍ତ କରିଛନ୍ତି।

Related Posts