(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର : କରୋନାର ଦ୍ବିତୀୟ ଲହର ସମୟରେ ଅମ୍ଳଜାନ ଅଭାବ ହେତୁ ଜାତୀୟ ରାଜଧାନୀ ଦିଲ୍ଲୀରେ ବହୁ ସଂଖ୍ୟାରେ ଲୋକ ପ୍ରାଣ ହରାଇଥିଲେ। ତେବେ ଅମ୍ଳଜାନ ଅଭାବରୁ କେତେ ଜଣଙ୍କର ମୃତ୍ୟୁ ଘଟିଛି ତାକୁ ନେଇ କୌଣସି ସୂଚନା ନଥିବା ବେଳେ ରାଜନୀତି ଜୋର ଧରିଛି। ଅମ୍ଳଜାନ ଅଭାବ ଜନିତ ମୃତ୍ୟୁ ଘଟଣାର ଯାଞ୍ଚ ପାଇଁ ଏକ ଉଚ୍ଚ ସ୍ତରୀୟ କମିଟି ଗଠନ କରିବାକୁ ଦିଲ୍ଲୀ ସରକାର ପୁଣି ଥରେ ଲେଫ୍ଟନାଣ୍ଟ ଗଭର୍ଣ୍ଣର ଅନିଲ ବୈଜଲଙ୍କ ନିକଟକୁ ଏକ ଫାଇଲ ପଠାଇଥିଲେ। ଏହି ସୂଚନା ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆ ସୋମବାର ପ୍ରଦାନ କରିଛନ୍ତି।

ସିସୋଡିଆ କହିଛନ୍ତି ଯେ କୋଭିଡ -19 ମହାମାରୀର ଦ୍ୱିତୀୟ ତରଙ୍ଗ ସମୟରେ ଜାତୀୟ ରାଜଧାନୀରେ ଅମ୍ଳଜାନ ଅଭାବ ଜନିତ ମୃତ୍ୟୁର ଯାଞ୍ଚ ପାଇଁ ସେ କେନ୍ଦ୍ର ଗୃହମନ୍ତ୍ରୀଙ୍କୁ ଏକ ଚିଠି ଲେଖିଛନ୍ତି ଏବଂ କମିଟି ଗଠନ ପ୍ରସ୍ତାବକୁ ଅନୁମୋଦନ କରିବାକୁ ଲେଫ୍ଟନାଣ୍ଟ ଗଭର୍ଣ୍ଣରଙ୍କୁ ନିର୍ଦ୍ଦେଶ ଦେବାକୁ ଅନୁରୋଧ କରିଛନ୍ତି।

ସିସୋଡିଆ କହିଛନ୍ତି ଯେ ଅମ୍ଳଜାନ ଅଭାବ ଜନିତ ମୃତ୍ୟୁ ସଂଖ୍ୟା ଜାଣିବାକୁ କେନ୍ଦ୍ର ସରକାର ଏବଂ କୋର୍ଟ ଜାଣିବାକୁ ଚାହାଁନ୍ତି କିନ୍ତୁ ମହାମାରୀର ଦ୍ୱିତୀୟ ତରଙ୍ଗ ସମୟରେ ଅମ୍ଳଜାନ ଅଭାବ ହେତୁ ପ୍ରକୃତ ମୃତ୍ୟୁ ସଂଖ୍ୟା ଆକଳନ କରିବା ସମ୍ଭବ ନୁହେଁ। ସେଥିପାଇଁ ମୁଁ ପୁଣି ଥରେ ଅମ୍ଳଜାନ କାରଣରୁ ମୃତ୍ୟୁ ଘଟଣାର ଅନୁସନ୍ଧାନ ପାଇଁ ଏକ କମିଟି ଗଠନ କରିବାକୁ ଲେଫ୍ଟନାଣ୍ଟ ଗଭର୍ଣ୍ଣରଙ୍କ ନିକଟକୁ ଫାଇଲ ପଠାଇଛି। ମୁଁ ଆଶା କରୁଛି ଏହା ଶୀଘ୍ର ଅନୁମୋଦନ ହେବ |

ଉପମୁଖ୍ୟମନ୍ତ୍ରୀ ଶିଶୋଡିଆ ଏହାପୂର୍ବରୁ କହିଥିଲେ ଯେ ଅମ୍ଳଜାନ ଅଭାବ ହେତୁ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ସମ୍ପର୍କୀୟଙ୍କୁ 5 ଲକ୍ଷ ଟଙ୍କା କ୍ଷତିପୂରଣ ଯାଞ୍ଚ ପାଇଁ କମିଟି ଗଠନ କରିବାକୁ ଉପ ରାଜ୍ୟପାଳ ବୈଜଲ ଅନୁମୋଦନ କରିନାହାଁନ୍ତି।