ମନ୍ତ୍ରୀ ପ୍ରତାପ ଜେନାଙ୍କ ଇସ୍ତଫା ଦାବିରେ ବିଧାନସଭା ଅଚଳ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ମନ୍ତ୍ରୀ ପ୍ରତାପ ଜେନାଙ୍କ ଇସ୍ତଫା ଦାବିରେ ଆଜି ବିଧାନସଭାର ପ୍ରଥମାର୍ଦ୍ଧ ଅଚଳ କରିଛି ବିରୋଧୀ ବିଜେପି । ମନ୍ତ୍ରୀ ପ୍ରତାପ ଜେନାଙ୍କୁ ବହିଷ୍କାର କରନ୍ତୁ ସରକାର । ମାହାଙ୍ଗା ଡବଲ ମର୍ଡର ଘଟଣାରେ ୧୩ ନମ୍ବର ମୁଦାଲା ଥିବା ମନ୍ତ୍ରୀ ପ୍ରତାପ ଜେନାଙ୍କୁ ବହିଷ୍କାର କରିବାକୁ ବାଚସ୍ପତି ତୁରନ୍ତ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦିଅନ୍ତୁ ବୋଲି ବିଜେପି ପକ୍ଷରୁ ଦାବି କରାଯାଇଥିଲା । ସେହିପରି କଂଗ୍ରେସ ବିଧାୟକମାନେ ମଧ୍ୟ ମରୁଡି ପ୍ରସଙ୍ଗରେ ଆଲୋଚନା ଦାବି କରି ହଟଗୋଳ କରିଥିଲେ । ଫଳରେ ଗୃହ ଅଚଳ ହୋଇପଡିଥିଲା। 

ଆଜି ବିଧାନସଭାର ଗୃହକାର୍ଯ୍ୟ ଆରମ୍ଭ ହେବା ମାତ୍ରେ ଉଭୟ ବିଜେପି ଏବଂ କଂଗ୍ରେସ ଡବଲ ମର୍ଡର ଏବଂ ମରୁଡ଼ି ପ୍ରସଙ୍ଗରେ ସରକାରଙ୍କୁ ଘେରିବା ସଙ୍ଗେ ସଙ୍ଗେ ଗୃହ ମଧ୍ୟଭାଗକୁ ଆସି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। କଂଗ୍ରେସ ସଦସ୍ୟମାନେ ମରୁଡି ଉପରେ ଅଧିକ ଆଲୋଚନ ଦାବି କରିଥିବାବେଳେ ବିଜେପି ସଦସ୍ୟମାନେ ହାତରେ ପ୍ଲାକାର୍ଡ ଧରି ମନ୍ତ୍ରୀ ପ୍ରତାପ ଜେନାଙ୍କ ବହିଷ୍କାର ଓ ଇସ୍ତଫା ଦାବି କରିଥିଲେ ।

ବାଚସ୍ପତି ଏପ୍ରସଙ୍ଗରେ ମନ୍ତ୍ରୀଙ୍କୁ ପଦରୁ ବହିଷ୍କାର କରିବାକୁ ସରକାରଙ୍କୁ ନିର୍ଦ୍ଦେଶ ନଦେଲେ ଗୃହ ଭିତରେ ବିଜେପିର ଏଭଳି ଆଭିମୁଖ୍ୟ ଜାରି ରହିବ ବୋଲି ବିଜେପି ବିଧାୟକ ମୋହନ ଚରଣ ମାଝୀ ଚେତାବନୀ ଦେଇଥିଲେ । ଏହାଛଡା ଅନ୍ୟ ମନ୍ତ୍ରୀଙ୍କ ନାଁରେ ମଧ୍ୟ ସଙ୍ଗୀନ ଅଭିଯୋଗ ରହିଛି । ତେଣୁ ମୁଖ୍ୟମନ୍ତ୍ରୀ ଏପ୍ରସଙ୍ଗରେ ସ୍ପଷ୍ଟୀକରଣ ନରଖିଲେ କିମ୍ବା ବହିଷ୍କାର ପାଇଁ ପଦକ୍ଷେପ ନନେଲେ ଗୃହ ଭିତରେ ବିକ୍ଷୋଭ ଜାରି ରହିବ ବୋଲି ସେ କହିଛନ୍ତି ।

ତେବେ ବାଚସ୍ପତି ଡକ୍ଟର ସୂର୍ଯ୍ୟ ନାରାୟଣ ପାତ୍ର ଗୃହ କାର୍ଯ୍ୟ ସ୍ବାଭାବିକ କରିବା ପାଇଁ ସର୍ବଦଳୀୟ ବୈଠକ ଡାକିବା ସହିତ ଗୃହକୁ ପୂର୍ବାହ୍ନ ୧୧ଟା ୩୦ ପର୍ଯ୍ୟନ୍ତ ମୁଲତବି ଘୋଷଣା କରିଥିଲେ । ପୁଣି ଥରେ ଗୃହକାର୍ଯ୍ୟ ଆରମ୍ଭ ହେବା ପରେ ବିରୋଧି ସଦସ୍ୟମାନେ ଗୃହ ମଧ୍ୟଭାଗକୁ ଆସି ହୋହାଲ୍ଲା କରିଥିଲେ । ତେବେ ମରୁଡି ଉପରେ ପୁଣି ଥରେ ଆଲୋଚନା ହେବବୋଲି ବାଚସ୍ପତି କହିବା ପରେ କଂଗ୍ରେସ ସଦସ୍ୟମାନେ ନିଜ ନିଜ ଆସନକୁ ଫେରିଥିଲେ । ହେଲେ ବିଜେପି ସଦସ୍ୟମାନେ ମନ୍ତ୍ରୀଙ୍କ ଇସ୍ତଫା ଦାବିରେ ଅଟଳ ରହିବା ସହିତ ଗୃହ ମଧ୍ୟଭାଗରେ ପ୍ଲାକାର୍ଡ ଦେଖାଇ ହଟଗୋଳ କରିଥିଲେ । ଏହା ଫଳରେ ବାଚସ୍ପତି ଗୃହକୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମୁଲତବି ଘୋଷଣା କରିଥିଲେ ।

ସୂଚନାଯୋଗ୍ୟ ଯେ, ଗତକାଲି ଗୃହରେ ମରୁଡି ଉପରେ ଆସିଥିବା ମୁଲତବି ପ୍ରସ୍ତାବ ଆଲୋଚନା ହୋଇଥିଲେ ମଧ୍ୟ ରାଜସ୍ୱମନ୍ତ୍ରୀ ଓ ଏସ୍‍ଆରସିଙ୍କ ଅନୁପସ୍ଥିତ ନେଇ କଂଗ୍ରେସ ବିଧାୟକ ସନ୍ତୋଷ ସିଂହ ସାଲୁଜା ପ୍ରଶ୍ନ ଉଠାଇବା ସହିତ ଏହି ପ୍ରସଙ୍ଗରେ ଦଳର ସଦସ୍ୟମାନେ କକ୍ଷତ୍ୟାଗ କରିଥିଲେ ।

ଗୋଟିଏ ପଟେ ବିରୋଧୀଙ୍କ ହଟ୍ଟଗୋଳ ପରେ ଗୃହ ମୁଲତବି ହୋଇଥିବା ବେଳେ ଗୃହ ବାହାରେ ବିଜେପି ସଦସ୍ୟ ବ୍ୟାନର ଦେଖାଇ ପ୍ରତିବାଦ କରିଛନ୍ତି ।

Related Posts