ଦେଶବାସୀଙ୍କୁ ଏବେ ଘାରିଛି ଓମିକ୍ରନ ଭୟ | ଦେଶରେ ଏବେ କରୋନା ର ତୃତୀୟ ଲହର ଆରମ୍ଭ ହୋଇଯାଇଥିବା ବେଳେ, ସଂକ୍ରମିତଙ୍କ ସଂଖ୍ୟା ମଧ୍ୟ ବଢିବାକୁ ଲାଗୁଛି | ସେପଟେ ଓମିକ୍ରନକୁ ନେଇ ଚେତାବନୀ ଦେଇଛି WHO | ଏହାକୁ ହାଲୁକା ନେବା ଭାରି ପଡିପାରେ । ଡେଲଟା ଭାରିଏଣ୍ଟଠୁ ଏହା କମ୍ ଘାତକ ହୋଇପାରେ ମାତ୍ର ଏହା ସାମାନ୍ୟ ନୁହେଁ ବୋଲି କହିଛନ୍ତି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ମୁଖ୍ୟ ଟେଡ୍ରୋସ ଏଡନାମ ଘେବ୍ରେୟସସ ।

ସାମ୍ବାଦିକ ସମ୍ମିଳନୀରେ ବିବୃତ୍ତି ରଖି ହୁ ମୁଖ୍ୟ କହିଛନ୍ତି ବର୍ତ୍ତମାନ ୧୦୯ ଦେଶରେ ସମ୍ପୂର୍ଣ୍ଣ ଟୀକାକରଣ ଶେଷ ହୋଇନାହିଁ । ଗତ ସପ୍ତାହ ହେବ କୋରୋନା ମହାମାରୀ ସଂକ୍ରମଣ ବଢିବାରେ ଲାଗିଛି । ବିଶେଷ କରି ଟିକା ନେଇଥିବା ବ୍ୟକ୍ତିଙ୍କ ପକ୍ଷେ ଡେଲଟାଠୁ ଓମିକ୍ରନ କମ ଗୁରୁତର ହୋଇପାରେ ତାର ମାନେ ନୁହେଁ ଯେ ଏହାକୁ ସାମାନ୍ୟରେ ଅନ୍ତର୍ଭୁକ୍ତ କରାଯିବ ବୋଲି ଚେତାବନୀ ଦେଇଛନ୍ତି ହୁ ମୁଖ୍ୟ ।

ସେ ଆହୁରି କହିଛନ୍ତି ଓମିକ୍ରନ ଆକ୍ରାନ୍ତ ହସ୍ପିଟାଲରେ ଭର୍ତ୍ତି ହେଉଛନ୍ତି । କିଛି ଆକ୍ରାନ୍ତଙ୍କ ଜୀବନ ମଧ୍ୟ ନେଲାଣି ଏହି ଭାରିଏଣ୍ଟ । ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ଗତିରେ ମାଡିଲାଣି । ଯାହା ବିଶ୍ବରେ ଆତଙ୍କ ଖେଳାଇଛି । ବିଶ୍ୱକୁ ଥରହର କରିଛି କୋରୋନାର ନୂଆ ମ୍ୟୁଟାଣ୍ଟ ଓମିକ୍ରନ । ଯଦିଓ ମୃତ୍ୟୁ ସଂଖ୍ୟା ଏତେଟା ହୋଇନି ତଥାପି ଓମିକ୍ରନ ପ୍ରଭାବରେ କିଛି ମୃତ୍ୟୁ ହେଉଛି ।

ଓମିକ୍ରନ ନଯାଉଣୁ ଆଉ ଏକ ନୂଆ ଭାରିଏଣ୍ଟର ଭୟ ସୃଷ୍ଟି ହୋଇଛି । ଫ୍ରାନ୍ସରୁ ଚିହ୍ନଟ ହୋଇଛି କୋରୋନାର ନୂଆ ମ୍ୟୁଟାଣ୍ଟ IHU । ଏହି ଭାରିଏଣ୍ଟ ଖାଲି ଚିହ୍ନଟ ହୋଇନାହିଁ ଏଥିରେ ୧୨ ଜଣ ସଂକ୍ରମିତ ହୋଇଛନ୍ତି ।