ରାୟଗଡ଼ା ଭୁଜବଳସ୍ଥିତ ଏକ ଘରୋଇ ଇଞ୍ଜିନିୟରିଂ କଲେଜ ହଷ୍ଟେଲରେ କରୋନା, ୪୬ ଛାତ୍ର ଆକ୍ରାନ୍ତ

ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢୁଥିବା ବେଳେ, ଆଜିଠୁ ରାଜ୍ୟର ସମସ୍ତ କଲେଜ ଓ ବିଶ୍ୱବିଦ୍ୟାଳୟ ବନ୍ଦ ହୋଇଛି | ଅନେକ ଶିକ୍ଷାନୁଷ୍ଠାନ ରୁ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ, ଯାହାକୁ ନେଇ ରାଜ୍ୟ ସରକାରଙ୍କ ଚିନ୍ତା ବଢିଯାଇଛି | ସେପଟେ ଆଜି ରାୟଗଡ଼ା ଜିଲ୍ଲା କୋଲନରା ବ୍ଲକ ଭୁଜବଳସ୍ଥିତ ଏକ ଘରୋଇ ଇଞ୍ଜିନିୟରିଂ କଲେଜ ହଷ୍ଟେଲରୁ ୪୬ଜଣ ଛାତ୍ର କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି | ଏକାଥରକେ ୪୬ ଜଣ ଛାତ୍ର କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ପ୍ରଥମେ ୩୦୦ ଜଣ ଛାତ୍ରଛାତ୍ରୀଙ୍କ କୋଭିଡ ପରୀକ୍ଷଣ ହୋଇଥିଲା ।ତେବେ ସେଥି ମଧ୍ୟରୁ ୪୬ ଜଣ କୋଭିଡ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାପରେ ସେହି ହଷ୍ଟେଲ୍‌କୁ କଣ୍ଟେନ୍‌ମେଣ୍ଟ୍‌ ଜୋନ ଘୋଷଣା କରିଛି ପ୍ରଶାସନ ।

ହଷ୍ଟେଲରେ ବାହାର ଲୋକଙ୍କ ପ୍ରବେଶ ଉପରେ ନିଷେଧାଦେଶ ଜାରି ହୋଇଛି । ମେଡିକାଲ୍‌ ଟିମ୍‌ ହଷ୍ଟେଲ୍‌ରେ ପହଞ୍ଚି ଆକ୍ରାନ୍ତ ଛାତ୍ରଙ୍କୁ କିଛି ଚିକିତ୍ସା କରିଛନ୍ତି । ହଷ୍ଟେଲ୍‌ରେ ଏତେ ମାତ୍ରାରେ କୋଭିଡ ସଂକ୍ରମିତ ଚିହ୍ନଟ ହେବାପରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଛି । ସେପଟେ ପ୍ରଶାସନ ପକ୍ଷରୁ ସମସ୍ତ ଛାତ୍ରଛାତ୍ରୀଙ୍କୁ କୋଭିଡ ଗାଇଡଲାଇନ ମାନି ଚଳିବା ସହ ସୁରକ୍ଷିତ ରହିବାକୁ ପରାମର୍ଶ ଦିଆଯାଇଛି ।

ଘରୋଇ ଇଞ୍ଜିନିୟରିଂ କଲେଜରେ କରୋନା ଟେନ୍‌ସନ୍‌, ୪୬ ଛାତ୍ର ଆକ୍ରାନ୍ତ ଏତେ ସଂଖ୍ୟାରେ ଛାତ୍ର କୋଭିଡ ସଂକ୍ରମିତ ଛାତ୍ର ଚିହ୍ନଟ ହେବାପରେ ସେମାନଙ୍କ ପରିବାର ବର୍ତ୍ତମାନ ଚିନ୍ତାରେ ପଡ଼ି ଯାଇଛନ୍ତି । ବାହାର ଜିଲ୍ଳାରୁ ଆସି ଏହି ଛାତ୍ରମାନେ ହଷ୍ଟେଲରେ ରହି ପାଠ ପଢ଼ୁଥିଲେ । ଏକ ସପ୍ତାହ ପୂର୍ବରୁ ସେହି କଲେଜର ଦୁଇଜଣ ଛାତ୍ରୀ ପ୍ରଥମେ କରୋନା ଆକ୍ରାନ୍ତ ହୋଇଥିଲେ । ଏହାପରେ ଆଉ ୫ ଜଣ ଛାତ୍ରୀ କରୋନା ଆକ୍ରାନ୍ତ ହୋଇଥିଲେ । ସେମାନଙ୍କ ସଂସ୍ପର୍ଶରେ ଆସିଥିବା ଅନ୍ୟ ଛାତ୍ରମାନେ ମଧ୍ୟ ବର୍ତ୍ତମାନ ଆକ୍ରାନ୍ତ ହୋଇଥିବା ଅନୁମାନ କରାଯାଉଛି । ସେପଟେ ରାଜ୍ୟ ସରକାର କଲେଜ ବନ୍ଦ କରିବା ସହ ହଷ୍ଟେଲ ଛାଡ଼ିବାକୁ ନିର୍ଦ୍ଦେଶ ଦେଇଥିଲେ । ଶିକ୍ଷାନୁଷ୍ଠାନ ବନ୍ଦ ହୋଇଥିଲେ ସୁଦ୍ଧା କରୋନା ବ୍ୟାପିବା ଯୋଗୁଁ ସେହି ଇଞ୍ଜିନିୟରିଂ କଲେଜର କୌଣସି ଛାତ୍ରଛାତ୍ରୀ ହଷ୍ଟେଲ ଛାଡ଼ିନାହାନ୍ତି ।

Related Posts