ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଆଗକୁ ରାଜ୍ୟରେ ପଞ୍ଚାୟତ ନିର୍ବାଚନ ହେବାକୁ ଯାଉଛି । ଏନେଇ ସମସ୍ତ ରାଜନୈତିକ ଦଳ ଚଳଚଞ୍ଚଳ ହୋଇ ଉଠିଛନ୍ତି । ପ୍ରାର୍ଥୀମାନେ ବିଭିନ୍ନ ସ୍କିମ ନେଇ ଲୋକଙ୍କ ପାଖକୁ ଯିବାରେ ଲାଗିଛନ୍ତି । ଏହା ମଧ୍ୟରେ ଭୋଟରମାନେ ପ୍ରାର୍ଥୀଙ୍କୁ ସ୍କୁଲ ପାଇଁ ଦାବି କରିଥିବାର ଦେଖିବାକୁ ମିଳିଛି । କିଛି ଦିନ ପୂର୍ବରୁ ମୋବାଇଲ ଟାୱାର ପାଇଁ ଭୋଟରମାନେ ଦାବି କରିଥିଲେ । ଆଉ ବର୍ତ୍ତମାନ ସ୍କୁଲ । ତେବେ ବିଜିପୁର ଗାଁରେ ଥିବା ସ୍କୁଲରେ ଆବଶ୍ୟକ ସଂଖ୍ୟକ ଛାତ୍ରଛାତ୍ରୀ ନ ଥିବା କହି ୨ ବର୍ଷ ପୂର୍ବେ ଏହାକୁ ଗଣଶିକ୍ଷା ବିଭାଗ ପକ୍ଷରୁ ବନ୍ଦ କରି ଦିଆଗଲା। ମିଶ୍ରଣ ପର୍ବ ନାଁରେ ଏହାକୁ ନେଇ ଅନ୍ୟ ଏକ ସ୍କୁଲ ସହ ମିଶାଇ ଦେଲେ। ତେଣୁ ଏଥିଯୋଗୁ ଗାଁର ପିଲାଙ୍କ ପାଠ ପଢ଼ାରେ ସମସ୍ୟା ଉପୁଜିଛି । ସ୍କୁଲ ଖୋଲିଲେ ଦୂରକୁ ଯିବା ସମ୍ଭବପର ନୁହେଁ ବୋଲି କହିଛନ୍ତି ଗ୍ରାମବାସୀ ।

ବାରମ୍ବାର ଏସମ୍ପର୍କରେ ଜିଲ୍ଲାପାଳଙ୍କଠୁ ଆରମ୍ଭ କରି ଜନପ୍ରତିନିଧିଙ୍କୁ ଜଣାଇଲେବି କେହି ସମସ୍ୟା ଶୁଣୁ ନାହାନ୍ତି କି କୌଣସି ପଦକ୍ଷେପ ନିଆଯାଉନି । ତେଣୁ ବାଧ୍ୟ ହୋଇ ଏପରି ନିଷ୍ପତ୍ତି ନିଆଯାଇଥିବା କହିଛନ୍ତି ଗ୍ରାମବାସୀ । ଅନ୍ୟପଟେ ଫେବୃଆରୀ ୧୬ ତାରିଖରୁ ରାଜ୍ୟରେ ଆରମ୍ଭ ହେବ ପଞ୍ଚାୟତ ନିର୍ବାଚନ । ଆଗକୁ ନିର୍ବାଚନ ଥିବାରୁ ଏବେଠୁ ଜମିଲାଣି ମାହୋଲ । କେଉଁଠି ଲଢ଼େଇ ଜୋରଦାର ହେଉଥିବା ବେଳେ କେଉଁଠି ଖାଲି ପଡ଼ିଛି ମଇଦାନ । ବର୍ଷ ବର୍ଷ ଧରି ପୂରଣ ହୋଇ ନ ଥିବା ଦାବି ପ୍ରତିବାଦରେ ଭୋଟ ବର୍ଜନ କରିଛନ୍ତି ଭୋଟର।