କାହିଁକି ନବୀନ ଡେପୁଟି ସିଏମ ନିଯୁକ୍ତି କରିବେ ନାହିଁ ?

ସତ୍ୟପାଠ ବ୍ୟୁରୋ, ୨୯/ଗତ ୨୦୧୯ ନିର୍ବାଚନ ସମୟରୁ ଏପର୍ଯ୍ୟନ୍ତ ଯେଉଁ ଗୋଟିଏ ପ୍ରସଙ୍ଗ ବିଜେଡି ପାର୍ଟି ମହଲରେ, ବିରୋଧୀ କ୍ୟାମ୍ପରେ, ସରକାରୀ ଦପ୍ତରରେ ଏବଂ ହାଟ ବଜାରର ଚର୍ଚ୍ଚାରେ ରହିଛି ସେଇ ପ୍ରସଙ୍ଗଟି ହେଉଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱାସ୍ଥ୍ୟ ଖବର। କେତେବେଳେ ଏହି ଚର୍ଚ୍ଚା ଭାଇରାଲ ରୂପ ହେଉଛି ତ ଆଉ କେତେବେଳେ ଥମିଯାଉଛି । କିନ୍ତୁ ଏପ୍ରସଙ୍ଗ ଅନବରତ ରହିଆସୁଛି । ଗତ ନିର୍ବାଚନ ପୂର୍ବରୁ ଯେବେ “ମୋ ଗାଁ ମୋ ବିକାଶ, ପିଠା ଆଦି ବହୁ ସରକରୀ ଯୋଜନା ଏବଂ କାର୍ଯ୍ୟକ୍ରମର ଶୁଭାରମ୍ଭ ଉତ୍ସବରେ ନବୀନ ବାବୁ ବ୍ୟକ୍ତିଗତ ଭାବରେ ଯୋଗ ଦେଲେ ନାହିଁ ଏବଂ ଇ-ଲୋକାର୍ପଣ ଜରିଆରେ ନବୀନ ବାବୁଙ୍କର ଡିଜିଟାଲ ଆଟେନଡାନ୍ସ କାର୍ଯ୍ୟକ୍ରମ ଚାଲିଲା, ସେତେବେଳେ ସ୍ଵାସ୍ଥ୍ୟ କୁ ନେଇ ଟୁପୁରୁ ଟାପୁରୁ ଆରମ୍ଭ ହୋଇଥିଲା ।

ଠିକ ତାପରେ ଆସିଲା ନିର୍ବାଚନ। ସେତେବେଳେ ଲୋକଙ୍କ ଭିଡ଼ ରୁ ଦୂରେଇ ରହିବା ପାଇଁ ଏବଂ ଜନସଭାକୁ ଏଡ଼ାଇବା ପାଇଁ ଗୋଟିଏ କଷ୍ଟମ ମେଡ ହାଇଟେକ ବସ ଭିତରୁ ହିଁ ନବୀନ ଵାବୁ ପୁରା ଇଲେକ୍ସନର କ୍ୟାମ୍ପେନ କଭର କଲେ, ସେତେବେଳେ ସ୍ପଷ୍ଟ ହୋଇଗଲା ଯେ ନବୀନ ବାବୁଙ୍କର ସ୍ୱାସ୍ଥ୍ୟବସ୍ଥା ଓ ଫିଟନେସ ପୂର୍ବଭଳି ଠିକ୍ ନାହିଁ। ନିର୍ବାଚନ ଜିତିବା ପରେ ନବୀନ ବାବୁ ପୁଣିଥରେ ସରକାର ଗଠନ କଲେ । ଏବଂ ସେତେବେଳେ ବହୁ ଗୁରୁତ୍ୱପୂର୍ଣ୍ଣ ସରକାରୀ କାର୍ଯ୍ୟକ୍ରମ ଯେପରିକି ଦିଲ୍ଲୀ ରେ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ମୁଖ୍ୟମନ୍ତ୍ରୀ ମାନଙ୍କ ବୈଠକ, ନୀତି ଆୟୋଗର ଗୁରୁତ୍ୱପୂର୍ଣ୍ଣ ବୈଠକ ଆଦି ବହୁ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଭାବରେ ନବୀନ ବାବୁ ଅଂଶଗ୍ରହଣ କଲେ ନାହିଁ। ଏହାର କିଛି ଦିନପରେ କରୋନା ମହାମାରୀ ଆସିଲା । ସେବେଠାରୁ ଆଜିଯାଏ ପ୍ରାୟ ଦୁଇ ବର୍ଷରୁ ଅଧିକ ସମୟ ହେଲା ନୀବନ ବାବୁ ଲୋକସଭା ଭବନର ତୃତୀୟ ମହଲାରେ ଅବସ୍ଥିତ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଯିବା ବନ୍ଦ କରିଦେଇଛନ୍ତି । ଏହାଠାରୁ ଆହୁରୀ ଅଧିକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ହେଉଛି ଓଡ଼ିଶା ବିଧାନସଭା । ମୁଖ୍ୟମନ୍ତ୍ରୀ ଭାବରେ ନବୀନ ବାବୁ ହେଉଛନ୍ତି ବିଧାନସଭା ଗୃହର ନେତା । ସେଠାକୁ ମଧ୍ୟ ପ୍ରାୟ ଦୁଇ ବର୍ଷ ହେଲା ଯାଉନାହାନ୍ତି କି ଗୃହରେ ବ୍ୟକ୍ତିଗତ ଭାବରେ ଉପସ୍ଥିତ ରହି ଗୃହକାର୍ଯ୍ୟରେ ମଧ୍ୟ ଅଂଶଗ୍ରହଣ କରିନାହାନ୍ତି । ଏହାକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ସ୍ୱାସ୍ଥ୍ୟବସ୍ଥା ସମ୍ପର୍କରେ ଅନେକ କଥା ଟୁପୁରୁଟାପୁରୁ ଆଲୋଚନା ଚାଲିଛି ।

ଅନେକଙ୍କର ପ୍ରଶ୍ନ ନବୀନ ବାବୁ ଏଭଳି ସ୍ଥିତିରେ ଦୈନନ୍ଦିନ ସରକାରୀ ବା ପ୍ରଶାସନିକ କାର୍ଯ୍ୟରେ ତାଙ୍କର ସହାୟତା ଏବଂ ତାଙ୍କ ଅନୁପସ୍ଥିତିରେ ତାଙ୍କ ପାଇଁ ପ୍ରତିନିଧିତ୍ଵ କରିବା ପାଇଁ ଜଣେ ଡେପୁଟି ଚିଫ୍ ମିନିଷ୍ଟର ବା ଉପମୁଖ୍ୟମନ୍ତ୍ରୀଙ୍କୁ କାହିଁକି ନିଯୁକ୍ତି ଦେଉନାହାନ୍ତି ?

୧୬ ଅକ୍ଟୋବର ୧୯୪୬ ରେ ଜନ୍ମିତ ନବୀନ ପଟ୍ଟନାୟକଙ୍କୁ ଏବେ ୭୫ ପୁରି ୭୬ ବର୍ଷ ଚାଲିଛି । ବିଗତ ୨୨ ବର୍ଷ ହେବ ଲଗାତାର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇ ଆସୁଛନ୍ତି । ଯେବେଠାରୁ ନବୀନ ବାବୁଙ୍କର ସକ୍ରିୟ ରାଜନୀତିରେ ପ୍ରବେଶ ହୋଇଛି, ସେବେଠାରୁ ଆଜିଯାଏଁ କେବେବି ସ୍ୱାସ୍ଥ୍ୟ ସମ୍ବନ୍ଧିତ ଚିକିତ୍ସା ପାଇଁ କୌଣସି ହସ୍ପିଟାଲରେ ଭର୍ତ୍ତି ହୋଇ ଚିକିତ୍ସିତ ହୋଇଥିବାର କୌଣସି ଉଲ୍ଲେଖିତ ତଥ୍ୟ ବା ସୂଚନା ନାହିଁ । ଅନ୍ୟପଟେ କାର୍ଯ୍ୟ ବ୍ୟସ୍ତତାରୁ ଅବ୍ୟାହତି ନେଇ ନୀବନ ବାବୁ ମନ ଆଉ ସ୍ୱାସ୍ଥ୍ୟ ପରିବର୍ତ୍ତନ ପାଇଁ କେବେବି କେଉଁଠିକି ଛୁଟି କାଟିବାପାଇଁ ହଲିଡେ ଟୁରରେ ଯାଇଥିବାର ମଧ୍ୟ ନଜିର ନାହିଁ । ଏସବୁକୁ ହିସାସବକୁ ନେଲେ ନବୀନ ବାବୁ ଜଣେ ଫିଟ ସିଏମ । ଯଦିଓ ତାଙ୍କର ସ୍ୱାସ୍ଥ୍ୟଗତ ସମସ୍ୟାକୁ ନେଇ ନିଦ୍ଦିଷ୍ଟ ଭାବରେ କୌଣସି ସୂଚନା ପବ୍ଲିକ ଡମେନରେ ଉପଲବ୍ଧ ନୁହଁ ହେଲେ ୨୦୧୯ ପୂର୍ବରୁ ଏଯାଏଁ ଲୋକସଭା ଭବନ ବିଧାନସଭା ଭବନ, ଅନ୍ୟାନ୍ୟ ଅଫିସିଆଲ କାର୍ଯ୍ୟକ୍ରମରେ ସନ୍ଦେହପୂର୍ଣ୍ଣ ଅନୁପସ୍ଥିତି ଏବଂ ସୋସିଆଲ ମିଡିଆରେ କେତେକ ସଭାସମିତି ରାଲିରେ ତାଙ୍କର କିଛି ଅପ୍ରତ୍ୟାଶିତ ବ୍ୟବହାର ବା ଆବଭାବର ଭାଇରାଲ ଭିଡିଓ ସ୍ୱାସ୍ଥ୍ୟ ଖରାପ ସମ୍ପର୍କିତ କଳ୍ପନା ଜଳ୍ପନାକୁ ଆହୁରୀ ଦାନା ଦେଇଦେଇଛି ।

ଅବଶ୍ୟ ଜଣେ ୭୬ ବର୍ଷ ବୟସ୍କ ବ୍ୟକ୍ତିଙ୍କ ଠାରେ କିଛି ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେବା ଏକ ସ୍ୱାଭାବିକ ଘଟଣା । ତେବେ ନବୀନଙ୍କର କଣ ସ୍ୱାସ୍ଥ୍ୟଗତ ସମମ୍ୟା ଅଛି ? ସେ କେତେ ଦୂର ଫିଟ ବା ଅନଫିଟ ? ତାର ବିଶ୍ଳେଷଣ କରିବା ଏହି ଆଲେଖ୍ୟର ଉଦ୍ଦେଶ୍ୟ ନୁହଁ । କିନ୍ତୁ ସାମ୍ପ୍ରତିକ ସ୍ଥିତିରେ ସାଧାରଣରେ ଯେଉଁ ପ୍ରଶ୍ନକୁ ନେଇ ଚର୍ଚ୍ଚା ଉଠୁଛି, ତାହାକୁ ରୋକ ଲଗାଇବା କଷ୍ଟ । ସରକାର ଏବଂ ଶାସକ ଦଳର ମୁଖ୍ୟଭାବରେ ସେ କାହାକୁ ଉପମୁଖ୍ୟମନ୍ତ୍ରୀ ରଖିବେ ବା ନରଖିବେ ଏହା ତାଙ୍କର ବିଶେଷ ଅଧିକାର । ତେବେ ମିଡିଆରେ ଏପ୍ରସଙ୍ଗର ଆକଳନ ଓ ବିଶ୍ଳେଷଣ ଜାରି ରହିବ । ଯଦି ମୁଖ୍ୟମନ୍ତ୍ରୀ ଏବଂ ତାଙ୍କର ସ୍ୱାସ୍ଥ୍ୟ ପରାମର୍ଶଦାତାଙ୍କର ଆଶଙ୍କା ଯେ କରୋନା ଏବଂ ତତ୍‌ସମ୍ପର୍କିତ ସଂକ୍ରମଣ ତାଙ୍କର ସ୍ୱାସ୍ଥ୍ୟ ପ୍ରତି ଅତି ରୁ ଅତି ବିପଦପୂର୍ଣ୍ଣ । ସେ ଦୃଷ୍ଟିରୁ ତାଙ୍କୁ ନବୀନ ନିବାସ ଭିତରେ ହିଁ ସୀମିତ ରହିବାକୁ ପଡ଼ିବ । ଏବଂ ଲୋକସଭା ଭବନ ବିଧାନସଭା ଭବନ ଓ ଅନ୍ୟାନ୍ୟ ସରକାରୀ ବୈଠକରେ ତାଙ୍କ ସ୍ୱାସ୍ଥ୍ୟ ଓ ଜୀବନ ପ୍ରତି ବିପଦ ଅଧିକ ରହିଛି । ତେଣୁ ସେସବୁ ସ୍ଥାନ ଓ କାର୍ଯ୍ୟକୁ ସିଏମ ଭାବରେ ଏଡ଼ାଇ ଦୂରରେ ରହିବା ଭଲ । ଏବଂ ଯେତେବେଳେ ଏହି ସତର୍କ ସୂଚନାର ଅବଧି ବହୁତ ଅଧିକ ବା ଅନିର୍ଦ୍ଦିଷ୍ଟ ଲାଗୁଛି, ସେତେବେଳେ ତାଙ୍କୁ ସହାୟତା କରିବା ପାଇଁ ଏବଂ ଆବଶ୍ୟକସ୍ଥଳେ ତାଙ୍କର ପ୍ରତିନିଧିତ୍ୱ କାଟିବା ପାଇଁ ଜଣେ ଉପମୁଖ୍ୟମନ୍ତ୍ରୀଙ୍କର ଆବଶ୍ୟକତା ଅଛି। ପ୍ରଶାସନରେ ଏଭଳି ବହୁ କାର୍ଯ୍ୟ ଅଛି ଯାହାକୁ କେବଳ ମୁଖ୍ୟମନ୍ତ୍ରୀ ଭାବରେ ତାଙ୍କୁ ହିଁ କରିବାକୁ ପଡ଼ିବ, ବା ତାଙ୍କ ଦ୍ୱାରା ପ୍ରଦତ୍ତ କ୍ଷମତା ଅନୁଯାୟୀ ଜଣେ ଉପମୁଖ୍ୟମନ୍ତ୍ରୀ ହିଁ କରିପାରିବେ । ସେପରିସ୍ଥଳେ ଜଣେ ଉପମୁଖ୍ୟମନ୍ତ୍ରୀଙ୍କର ଆବଶ୍ୟକତା ନିଶ୍ଚିତ ଭାବରେ ଅଛି ।

ଏକଥାକୁ ବିଜୁଜନତା ଦଳର ସଭାପତି ଭାବରେ ନବୀନ ପଟ୍ଟନାୟକ ଭଲ ଭାବରେ ଉପଲବ୍ଧି କରିଛନ୍ତି । ଯେଉଁଥିପାଇଁ ଦଳର ରାଜନୈତିକ କାର୍ଯ୍ୟକ୍ରମର ଦେଖରେଖ ପାଇଁ ତାଙ୍କର ଡେପୁଟି ଭାବରେ ଏବଂ ଦଳର ଦୁଇ ନମ୍ବର ନେତା ଭାବରେ ପ୍ରଣବ ପ୍ରକାଶ ଦାସଙ୍କୁ ଏହି ଦାୟିତ୍ୱ ବହୁ ଆଗରୁ ଦେଇ ସାରିଛନ୍ତି । ତେବେ ଏଇତ ଗଲା ଦଳର ସଭାପତି କଥା ସେପଟେ ମୁଖ୍ୟମନ୍ତ୍ରୀ ଭାବରେ ତାଙ୍କର ପ୍ରଶାସନିକ କାର୍ଯ୍ୟରେ ସହାୟତା କରିବା ପାଇଁ ନବୀନ ବାବୁ କାହିଁ କି ଡେପୁଟି ବାଛୁ ନାହାନ୍ତି ?

ଡେପୁଟି ସିଏମ ନିଯୁକ୍ତି ରେ ଅସୁବିଧା କେଉଁଠି?

ଯଦିଓ ଭାରତ ବର୍ଷର ସବୁଠାରୁ ଶୃଙ୍ଖଳିତ ରାଜନୈତିକ ଦଳ ଭାବରେ ବିଜୁ ଜନତା ଦଳର ନାମ ପ୍ରଥମ ଦ୍ୱିତୀୟ ଓ ତୃତୀୟରେ ଆସିବ, କିନ୍ତୁ ତାର ଅର୍ଥ ନୁହଁ କ୍ଷମତା ଓ ପଦବୀକୁ ନେଇ ବିଜେଡି ଭିତରେ କନ୍ଦଳ ବା ଗୁଟବାଜି ନାହିଁ । ଏକଥା ସମସ୍ତଙ୍କୁ ଜଣା ଯେ ଭୟରେ ବିଜେଡି ବିଭିନ୍ନ ଗୋଷ୍ଠୀ ଆଉ ନେତା ପ୍ରକାଶର ବିରୋଧ ଆରମ୍ଭ କରିନାହାନ୍ତି ।

ତା’ର ଗୋଟିଏ ବଡ଼ କାରଣ ହେଲା ନବୀନ ବାବୁଙ୍କ ଛଡ଼ା ତାଙ୍କ ଜୀବିତ ଅବସ୍ଥାରେ କୌଣସି ନେତା ପ୍ରକାଶ୍ୟରେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଲାଳାୟିତ ହେବା କଥା ଚିନ୍ତା କରିବା ଅବସ୍ଥାରେ ନାହାନ୍ତି କିନ୍ତୁ ଏହା ମଧ୍ୟ ସତ୍ୟ ଯେ ବହୁ ନେତା ନବୀନ ବାବୁଙ୍କ ପରେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଅବିରତ ସ୍ୱପ୍ନ ଦେଖିବାରେ ବ୍ୟସ୍ତ ଅଛନ୍ତି। ଏଭଳି ସ୍ଥିତିରେ ବୋଧହୁଏ ନବୀନ ବାବୁ ଓ ତାଙ୍କ ରାଜନୈତକ ପରାମର୍ଶଦାତାମାନେ ଏଇ ଡେପୁଟି ସିଏମ ବ୍ୟବସ୍ଥାକୁ ନେଇ ରିସ୍କ ନେବାକୁ ଚାହୁଁନାହାନ୍ତି । କାରଣ ଯେଉଁଦିନ ଯାହାକୁ ଡେପୁଟି ସିଏମ ଭାବରେ ମନୋନୀତ କରିବେ, ସେହିଦିନ ଠାରୁ ବିଜେଡିରେ ମୁଖ୍ୟମନ୍ତ୍ରୀ ପଦବୀ ପାଇଁ ନବୀନଙ୍କର ଉତ୍ତରାଧିକାରୀ କିଏ ଏହାକୁ ନେଇ ଦଳ ଭିତରେ ରାଜନୀତି ଓ ଗୋଷ୍ଠୀ କନ୍ଦଳ ତୀବ୍ର ଆକାର ଧାରଣା କରିବ । ବିଜେଡିରେ ବହୁ ରଥି ମହାରଥି ଯେଉଁମାନଙ୍କୁ ଦଳୀୟ ଏବଂ ସରକାରୀ ପଦପଦବୀରେ ଉପେକ୍ଷା କରାଯାଇଛି , ତଥାପି ସେମାନେ ବି ଚୁପ ହୋଇ ବସି ରହିଛନ୍ତି। ଏହାର ଗୋଟିଏ କାରଣ ହେଲା ସମସ୍ତେ ଦଳରେ ନେତୃତ୍ୱ କୁ ନେଇ ଜାରି ରହିଥିବା ଷ୍ଟାଟସ୍ କ୍ୟୁ ବା ସ୍ଥିତାବସ୍ତାରେ ଖୁସ୍ ଅଛନ୍ତି । କିନ୍ତୁ ଯେଉଁଦିନ ନବୀନ ବାବୁଙ୍କ ପରେ କିଏ ? ଏହି ପ୍ରଶ୍ନର ଉତ୍ତର ସାର୍ବଜନୀନ ହେଇଗଲା ସେବେ ଦଳର ଚେହେରା ଏବେ ଯୁଁଭଳି ଶାନ୍ତ ଆଉ ସୁଧାର ଦେଖାଦେଉଛି ତାହା ଯେ ସେହିଭଳି ରହିବ ଏହା କହିବା ମୁସକିଲ । ଏକଥାକୁ ବୋଧେ ନବୀନ ବାବୁ ଆଉ ତାଙ୍କ ରାଜନୀତି ପରାମର୍ଶଦାତା ଖୁବ ଭଲ ଭାବରେ ଆକଳନ କରିସାରିଛନ୍ତି ।

Related Posts