କୋଲକାତା(ସତ୍ୟପାଠ ବ୍ୟୁରୋ): ପଶ୍ଚିମବଙ୍ଗ ସରକାର ଓ ରାଜ୍ୟପାଳ ଜଗଦୀପ ଧନଖରଙ୍କ ମଧ୍ୟରେ ଦୀର୍ଘଦିନ ଧରି ବିବାଦ ଲାଗିରହିଛି । ଉଭୟ ପରସ୍ପର ବିରୋଧରେ ବୟାନ ଦେଉଥିବାର ଦେଖିବାକୁ ମିଳିଥାଏ । ଏହା ମଧ୍ୟରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନୀର୍ଜୀ ରାଜ୍ୟପାଳଙ୍କୁ ଟ୍ୱିଟରରେ ବ୍ଲକ କରିଦେଇଥିବାର ଦେଖିବାକୁ ମିଳିଛି । ଏ ଖବର ସାମ୍ନାକୁ ଆସିବା ସାରା ଦେଶର ରାଜନୈତିକ ମାହୋଲ ବେଶ ଚଳଚଞ୍ଚଳ ହୋଇ ଉଠିଛି । ଏହା ପରେ ମମତା ଏକ ବଡ଼ ବୟାନ ମଧ୍ୟ ଦେଇଛନ୍ତି । ତେବେ ରାଜ୍ୟପାଳ ପ୍ରତ୍ୟେକ ଦିନ ଏପରି ଜିନିଷ ଟୁଇଟ କରନ୍ତି, ଯାହା ତାଙ୍କୁ ବ୍ୟଥିତ କରିଥାଏ । ଏପରି ଦେଖି ସେ ଟ୍ୱିଟରରେ ତାଙ୍କୁ ବ୍ଲକ କରିଛନ୍ତି । ଏହା ସହ ରାଜ୍ୟପାଳଙ୍କ ନାଁରେ ଅନେକ ଥର କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଯୋଗେ ଦାବି କରିଛି ।
କିନ୍ତୁ କୌଣସି ପଦକ୍ଷେପ ନିଆଯାଇ ନାହିଁ । ଶେଷରେ ତାଙ୍କୁ ଏହି ନିଷ୍ପତ୍ତି ନେବାକୁ ପଡ଼ିଥିଲା । ଅନ୍ୟପଟେ ତୃଣମୂଳ କଂଗ୍ରେସ ସିଧାସଳଖ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଜଗଦୀପ ଧନଖରଙ୍କୁ ବଙ୍ଗଳା ରାଜ୍ୟପାଳ ପଦରୁ ହଟାଇବାକୁ ଅନୁରୋଧ କରିଛି । ସେପଟେ ପାର୍ଲାମେଣ୍ଟ ଅଧିବେଶନ ଆରମ୍ଭରେ ରାଷ୍ଟ୍ରପତିଙ୍କ ସମ୍ବୋଧନ ପରେ ତୃଣମୂଳ କଂଗ୍ରେସ ଲୋକସଭା ଏମପି ସୁଦୀପ ବନେ୍ଦାପାଧ୍ୟାୟ ଏହି ଅନୁରୋଧ କରିଛନ୍ତି । ତେବେ ବର୍ତ୍ତମାନ ରାଜ୍ୟପାଳଙ୍କୁ ବ୍ଲକ କରିବା ଘଟଣା ସାମ୍ନାକୁ ଆସିବା ପରେ ସାରା ଦେଶର ନଜର ବର୍ତ୍ତମାନ ପଶ୍ଚିମବଙ୍ଗ ଉପରେ ରହିଛି ।





