ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଭିଜିଲାନ୍ସ ଜାଲରେ କିନିଷ୍ଠ ଯନ୍ତ୍ରୀ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସର ଚଢ଼ାଉ। ତାଳଚେର ବ୍ଲକର କନିଷ୍ଠ ଯନ୍ତ୍ରୀ ବିରଞ୍ଚି ନାରାୟଣ ସାହୁ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗରେ ଆଜି ତାଙ୍କର ବାସଭବନ ସମେତ ୪ଟି ଜାଗାରେ ଭିଜିଲାନ୍ସ ଚଢ଼ାଉ କରିଛି। ବିରଞ୍ଚିଙ୍କ କୁମଣ୍ଡ ସ୍ଥିତ ବାସଭବନ, ଅମ୍ବାପାଳ ସ୍ଥିତ ଘର, ତାଳଚେର ବ୍ଲକ୍ ଅଫିସ, ମେରାମୁଣ୍ଡଳୀ ସ୍ଥିତ ଶ୍ୱଶୁର ଘରେ, ତାଳଚେର ବିଡିଓ ଅଫିସରେ ତାଙ୍କ ଚାମ୍ବରରେ ଏକକାଳୀନ ଚଢ଼ାଉ କରିଛି ଭିଜିଲାନ୍ସ ଟିମ। ଅନ୍ୟପଟେ ଅନୁଗୋଳ ସହ କଟକ, କେନ୍ଦ୍ରାପଡା, ଜଗତସିଂହପୁରର ଭିଜିଲାନ୍ସ ଟିମ ଏହି ଚଢ଼ାଉରେ ସାମିଲ ହୋଇଛନ୍ତି। ତେବେ ଏହି ଚଢ଼ାଉରେ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଭିଜିଲାନ୍ସ ଟିମ ହାସଲ କରିଛି। ୨୦୧୦ରେ ବିରଞ୍ଚି ଚୁକ୍ତିଭିତ୍ତିକ କନିଷ୍ଠ ଯନ୍ତ୍ରୀ ଭାବେ ନିଯୁକ୍ତି ପାଇଥିଲେ।
୨୦୧୫ ଯାଏ ଚୁକ୍ତିଭିତ୍ତିକ ଆଧାରରେ ସେ ମାସିକ ୧୨,୫୦୦ ଟଙ୍କା ପାଉଥିଲେ। ଆଉ ଏହା ପରେ ସେ ନିୟମିତ ନିଯୁକ୍ତି ପାଇଥିଲେ। ନିଜର ଚାକିରି କାଳ ଭିତରେ ତାଙ୍କର ଆୟ ୩୯ ଲକ୍ଷ ଟଙ୍କା ହୋଇଛି। ପ୍ରାଥମିକ ଆକଳନରୁ ତାଙ୍କର ଅଲଗା ଅଲଗା ଆକାଉଣ୍ଟରେ ଏଫଡି ଓ ଅନ୍ୟ ଡିପୋଜିଟ୍ ଆକାରରେ ମୋଟ ୯୬,୯୦,୧୯୩ ଟଙ୍କା ଥିବା ଜଣାପଡ଼ିଛି। ସେଥିମଧ୍ୟରୁ ୪୬ ଲକ୍ଷରୁ ଅଧିକ ଟଙ୍କାର ବ୍ୟାଙ୍କ ଜମା, ୫୦ ଲକ୍ଷରୁ ଅଧିକ ଟଙ୍କାର ସଞ୍ଚୟ ଜମା ଥିବା ଜଣାପଡିଛି। ଏହାସହ ଗୋଟିଏ ୨ ମହଲା କୋଠା, ଅନ୍ୟ ଏକ ବିଲ୍ଡିଂ, ଗୋଟିଏ କାର ଏବଂ ୫ଟି ବାଇକ୍ ଥିବା ଜଣାପଡିଛି।





