ମତଦାନ ପୂର୍ବରୁ ଅନ୍ଧାରୀବିଜେ କରୁଥିଲେ ସରପଞ୍ଚ ପ୍ରାର୍ଥୀ, ବାନ୍ଧିଲେ ଗ୍ରାମବାସୀ

ରାଜ୍ୟରେ ପଂଚାୟତ ନିର୍ବାଚନ ଜୋର ସୋରରେ ଚାଲିଥିବା ବେଳେ, ଦୁଇଟି ପର୍ଯ୍ୟାୟ ମତଦାନ ଶେଷ ହୋଇଛି | ଆଜି ତୃତୀୟ ପର୍ଯ୍ୟାୟ ମତଦାନ ଲାଗି ଚାଲିଛି ଭୋଟ ଗ୍ରହଣ ପକ୍ରିୟା | ତେବେ ଏହାରି ମଧ୍ୟରେ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ପ୍ରାଥୀ ମାନେ ନିର୍ବାଚନୀ ଚାଲ ଖେଳୁଥିବା ସମୟରେ ମୟୁରଭଞ୍ଜ ଜିଲ୍ଲାରେ ଜଣେ ସରପଞ୍ଚ ପ୍ରାର୍ଥୀଙ୍କୁ ବେଶ୍ ହଟହଟା ହେବାକୁ ପଡ଼ିଛି | ଭୋଟ ଗ୍ରହଣ ପୂର୍ବରୁ ଅନ୍ଧାରୀବିଜେ କରୁଥିବା ବେଳେ, ବାନ୍ଧି ଦେଇଛନ୍ତି ଗ୍ରାମବାସୀ | ଲୋକେ ତାଙ୍କୁ ରାତିସାରା ବାନ୍ଧି ରଖିଥିଲେ ଓ ପରେ ପୁଲିସ୍ ପହଞ୍ଚି ତାଙ୍କୁ ଉଦ୍ଧାର କରିଥିଲା |

ଏହି ସରପଞ୍ଚ ପ୍ରାର୍ଥୀଙ୍କ ନାଁ ଦଶରଥ ମୁର୍ମୁ। ସେ ଟଙ୍କାସୋଲ ପଞ୍ଚାୟତରୁ ପ୍ରାର୍ଥୀ ହୋଇଛନ୍ତି। ଗତକାଲି ରାତିରେ ସେ ପଞ୍ଚାୟତର ୭ ନମ୍ବର ୱାର୍ଡକୁ ଟଙ୍କା ବାଣ୍ଟିବାକୁ ଯାଇଥିବା ନେଇ ପ୍ରଚାର ହୋଇଥିଲା। ଏହା ପରେ ଲୋକେ ତାଙ୍କୁ ଧରି ଥିଲେ ଓ ଦଉଡ଼ିରେ ବାନ୍ଧି ଦେଇଥିଲେ |

ଏହି ଖବର ପ୍ରଚାର ହୋଇଯିବା ପରେ ଦଶରଥଙ୍କ ସମର୍ଥକମାନେ ଅନ୍ୟ ଏକ ଗାଁରେ ବିପକ୍ଷ ଦଳର ଲୋକଙ୍କୁ ଅଟକ ରଖିଥିଲେ। ଉଭୟ ଗୋଷ୍ଠୀ ମଧ୍ୟରେ ତୁ ତୁ ମେ ମେ ଲାଗି ରହିବାରୁ ରାତିସାରା ଉତ୍ତେଜନା ପ୍ରକାଶ ପାଇଥିଲା। ଖବର ପାଇ ଭୋର ସମୟରେ ବଡ଼ସାହି ପୁଲିସ୍ ପହଞ୍ଚି ଉଭୟ ଗୋଷ୍ଠୀଙ୍କୁ ବୁଝାସୁଝା କରିବା ସହିତ ସରପଞ୍ଚ ପ୍ରାର୍ଥୀ ଦଶରଥ ମୁର୍ମୁଙ୍କୁ ଉଦ୍ଧାର କରିଥିଲା | ଏହା ପରେ ସ୍ଥିତି ଶାନ୍ତ ପଡ଼ିଥିଲା ଏବଂ ଭୋଟ୍ ପ୍ରକ୍ରିୟା ଶାନ୍ତିଶୃଙ୍ଖଳାର ସହିତ ଚାଲିଛି |

Related Posts