ଭୁବନେଶ୍ୱରକ(ସତ୍ୟପାଠ ବ୍ୟୁରୋ): ଛେଳି ଚୋରିକୁ ନେଇ ଆନ୍ଧ୍ର ଓ ଓଡ଼ିଶା ପୁଲିସ ମୁହାଁମୁହିଁ । ଏପରି ଏକ ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ ଅନ୍ତର୍ଗତ ସୀମାନ୍ତ ଗଙ୍ଗାବାଡ଼ ପଞ୍ଚାୟତ ମାଣିକପାଟଣା ଗାଁରେ । ତେବେ ଗତ କିଛି ଦିନ ଧରି ଗାଁରେ ଛେଳି ଚୋରି ହେଉଥିଲା । କିଏ ଏହା କରୁଛି ତାହା ଜଣାପଡ଼ୁନଥିଲା । ଏହା ମଧ୍ୟରେ ଛେଳି ଚୋରକୁ ଧରିବା ପାଇଁ ଗାଁ ଲୋକମାନେ ରାତିତମାମ ଗାଁରେ ଜଗି ବସିଥିଲେ । ଏହା ପରେ ଛେଳି ଚୋରି କରିବାକୁ ଯାଇଥିବା ୨ ଜଣ ଚୋରଙ୍କୁ ସେମାନେ ଧରିଥିଲେ । ପରେ ଘଟଣା ସମ୍ପର୍କରେ ମାଣିକପାଟଣା ସରପଞ୍ଚ ହରିବନ୍ଧୁ କାର୍ଜୀ ସ୍ଥାନୀୟ ଗାରାବନ୍ଧ ଥାନାକୁ ଜଣାଇଥିଲେ । ଗାରାବନ୍ଧ ପୁଲିସ ପହଞ୍ଚି ଦୁଇ ଚୋରଙ୍କୁ ଥାନାକୁ ଆଣୁଥବାବେଳେ ଖବରପାଇ ପଡ଼ୋଶୀ ଆନ୍ଧ୍ର ପୁଲିସ ମାଣିକପାଟଣା ଗାଁରେ ପହଞ୍ଚି ଏହା ଆନ୍ଧ୍ର ସୀମା ହୋଇଥିବାରୁ ଓଡ଼ିଶା ପୁଲିସ ଚୋରକୁ ଗିରଫ କରିପାରିବ ନାହିଁ ବୋଲି କହିଥିଲେ ।
ଫଳରେ ଉଭୟ ରାଜ୍ୟର ପୁଲସିଙ୍କ ମଧ୍ୟରେ ଦୀର୍ଘ ସମୟ ଧରି ଯୁକ୍ତିତର୍କ ହୋଇଥିଲା । ସେପଟେ ଆନ୍ଧ୍ର ପୁଲିସମାନେ ଓଡ଼ିଶା ପୁଲିସ ନେଇ ଯାଇଥିବା ଗାଡ଼ିକୁ ସେଠାରେ ଅଟକାଇ ଦେଇଥିଲେ । ଏହା ପରେ ମାଣିକପାଟଣା ଗାଁ ଲୋକେ ଉକ୍ତତ୍ୟ ହୋଇ ଆନ୍ଧ୍ର ପୁଲିସକୁ ଠେଲାପେଲା କରି ଚୋରକୁ ମୁକୁଳାଇ ଓଡ଼ିଶା ପୁଲିସକୁ ହସ୍ତାନ୍ତର କରିଥିଲେ । ଏ ଖବର ସାମ୍ନାକୁ ଆସିବା ପରେ ସାରା ରାଜ୍ୟରେ ଏହା ଚର୍ଚ୍ଚାର ବିଷୟ ପାଲଟିଛି ।





