ପଞ୍ଜାବର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଆପ୍‌ର ଭଗୱନ୍ତ ସିଂହ ମାନ । ଆଜି ଏହି ଐତିହାସିକ ବିଜୟ ପରେ ମାନ ପଞ୍ଜାବବାସୀଙ୍କୁ ସମ୍ବୋଧନ କରିଛନ୍ତି। ଏହି ସମୟରେ ସେ ପୂର୍ବରୁ ରାଜ୍ୟରେ ମୁଖ୍ୟମନ୍ତ୍ରୀ ହୋଇଥିବା ରାଜନେତାଙ୍କ ଠାରୁ କିଛି ଭିନ୍ନ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ସାଧାରଣତଃ ମୁଖ୍ୟମନ୍ତ୍ରୀ ଭାବେ ରାଜନେତାମାନେ ରାଜଭବନରେ ଶପଥ ନିଅନ୍ତି। ହେଲେ ମାନ ଶପଥ ପାଠ କାର୍ଯ୍ୟକ୍ରମ ସ୍ୱାଧୀନତା ସଂଗ୍ରାମୀ ଭଗବତ ସିଂହ ଗାଁରେ କରିବେ। ଏଥିପାଇଁ ନୱାନଶହର ଜିଲ୍ଲାରେ ଥିବା ଖାଟକର କଲାନରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ ହେବ। ଏହି କାର୍ଯ୍ୟକ୍ରମରେ ଭଗୱନ୍ତ ସିଂହ ମାନ ପଞ୍ଜାବାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ଖାଟକର କଲାନ ହେଉଛି ଭଗତ ସିଂହଙ୍କ ପୈତୃକ ଗାଁ।

ସେହିପରି ତାଙ୍କ ଶାସନକାଳରେ ପଞ୍ଜାବର କୌଣସି ସରକାରୀ ଅଫିସରେ ମୁଖ୍ୟମନ୍ତ୍ରୀଙ୍କ ଫଟୋ ରହିବ ନାହିଁ ବୋଲି ସେ କହିଛନ୍ତି। ପୂର୍ବରୁ ପଞ୍ଜାବରେ ଏହି ପରମ୍ପରା ରହି ଆସିଥିଲା। ଆଜି ମାନ ଧୁରୀ ଆସନରୁ ୫୮ ହଜାର ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି।

ନିଜର ବିଜୟୀ ଭାଷଣରେ ସେ କହିଛନ୍ତି, “ଶପଥ ପାଠ କାର୍ଯ୍ୟକ୍ରମ ରାଜ ଭବନରେ ହେବନାହିଁ। ଶପଥପାଠ କାର୍ଯ୍ୟକ୍ରମ ଖାଟଖରକାଲାନରେ ହେବ। ଶପଥପଠ କାର୍ଯ୍ୟକ୍ରମ କେବେ ହେବ, ତା’ର ତାରିଖ ପରବର୍ତ୍ତୀ ଅବସ୍ଥାରେ ଘୋଷଣା କରାଯିବ। କୌଣସି ସରକାରୀ ଅଫିସରେ ମୁଖ୍ୟମନ୍ତ୍ରୀଙ୍କ ଫଟୋ ରହିବ ନାହିଁ। ମୁଖ୍ୟମନ୍ତ୍ରୀଙ୍କ ବଦଳରେ ଭଗତ ସିଂହ ଓ ବିଆର ଆମ୍ବେଦକରଙ୍କ ଫଟୋ ରହିବ।”

ଆମ ଆଦମୀ ପାର୍ଟିର ବିପୁଳ ବିଜୟରେ ଉତ୍ସାହିତ ହୋଇ ମାନ ବିରୋଧୀଙ୍କୁ ସମାଲୋଚନା କରିବାକୁ ପଛେଇ ନାହାନ୍ତି। ସେ କହିଛନ୍ତି, “ବଡେ ବାଦଲ(ପ୍ରକାଶ ସିଂହ ବାଦଲ) ହାରିଛନ୍ତି। ସୁଖବୀର ସିଂହ ବାଦଲ ମଧ୍ୟ ଜଲାଲାବାଦରୁ ପରାସ୍ତ ହୋଇଛନ୍ତି। ପଟିଆଲାରୁ କ୍ୟାପ୍ଟେନ ହାରିଛନ୍ତି, ସିଦ୍ଧୁ ଓ ମାଜିଥିଆ ବି ହାରିଛନ୍ତି। ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଚନ୍ନି ମଧ୍ୟ ଉଭୟ ଆସନରୁ ପରାସ୍ତ ହୋଇଛନ୍ତ।

ଏଥରୁ ଆପ୍‌ ପ୍ରତି ପଞ୍ଜାବବାସୀଙ୍କ ଭଲ ପାଇବା କେତେ ରହିଛନ୍ତି, ସେକଥା ଜଣାପଡ଼ୁଛି। ଦାୟିତ୍ୱ ନେବା ପରେ ପ୍ରଥମେ ସ୍କୁଲ, ହସ୍ପିଟାଲ, ଶିଳ୍ପ ଓ ପଞ୍ଜାବକୁ ଫାଇଦା ଦେବା ଭଳି ପଦକ୍ଷେପ ନିଆଯିବ। ମହିଳାଙ୍କ ସୁରକ୍ଷା ଓ କ୍ରୀଡ଼ା ଭିତ୍ତିଭୂମିର ବିକାଶ କରାଯିବ। ଆପଣମାନେ ମାସକ ମଧ୍ୟରେ ପଞ୍ଜାବରେ ପରିବର୍ତ୍ତନ ଦେଖିବେ। ଆପଣ ମାନେ ଏତେ ମାତ୍ରାରେ ଭଲ ପାଇବା ଦେଇଥିବାରୁ ଧନ୍ୟବାଦ୍ ।