ରାଜ୍ୟରେ ଆରମ୍ଭ ହୋଇଗଲାଣି ଗ୍ରୀଷ୍ମ ପ୍ରବାହ | ମାସ ଆରମ୍ଭରୁ ରାଜ୍ୟରେ ଟାଣ ଖରା ଦେଖା ଦେଲାଣି | ଦିନର ତାପମାତ୍ର ବଢୁଥିବା ବେଳେ, ଗତ ୨୪ ଘଂଟାରେ ଅନୁଗୁଳ ରାଜ୍ୟର ସବୁଠୁ ଉତପ୍ତ ସହର ହୋଥିବା ନେଇ ରେକଡ଼ କରାଯାଇଛି | ଅନୁଗୁଳରେ ୩୯ ଦଶମିକ ୭ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ୧୩ଟି ସ୍ଥାନରେ ୩୮ ଡିଗ୍ରୀ କିମ୍ବା ତାଠାରୁ ଅଧିକ ଦିନ ତାପମାତ୍ରା ରେକର୍ଡ କରାଯାଇଛି । ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ୧୮ ତାରିଖ ଯାଏଁ ରାଜ୍ୟର କିଛି ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହ ସମ୍ଭାବନା ରହିଛି । ଏହା ସହ ରାଜ୍ୟର କିଛି ସ୍ଥାନରେ ଦିନ ତାପମାତ୍ରା ସ୍ୱାଭାବିକ ତାପମାତ୍ରାଠାରୁ ୩ରୁ ୫ ଡିଗ୍ରୀ ଅଧିକ ରହିବା ସମ୍ଭାବନା ରହିଛି ।
ଆସନ୍ତା ୩ ଦିନ ପ୍ରଚଣ୍ଡ ରୌଦ୍ରତାପ ଜନଜୀବନକୁ ଅସ୍ତବ୍ୟସ୍ତ କରିବ। ତାପମାତ୍ରା ୪୦ ଡିଗ୍ରି ଅତିକ୍ରମ କରିବ ଓ ସକାଳ ୮ଟାରୁ ସୂର୍ଯ୍ୟଙ୍କ ପ୍ରଖର କିରଣ ଅସହ୍ୟ ହେବ। ଏଣୁ ଆସନ୍ତା ୩ଦିନ ପାଇଁ ରାଜ୍ୟର ବିଭିନ୍ନ ସ୍ଥାନରେ ଗ୍ରୀଷ୍ମ ପ୍ରବାହକୁ ନଜରରେ ରଖି ୟେଲୋୱାର୍ଣ୍ଣିଂ ଜାରି କରାଯାଇଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ମୁତାବକ, ଆସନ୍ତା ୨ରୁ ୩ଦିନ ମଧ୍ୟରେ ରାଜ୍ୟ ତାପମାତ୍ରା ୩ରୁ ୪ଡିଗ୍ରି ବୃଦ୍ଧି ପାଇବ। ରାଜ୍ୟର ଅନେକ ସ୍ଥାନରେ ସର୍ବନିମ୍ନ ତାପମାତ୍ରା ସ୍ବାଭାବିକଠାରୁ ୩ରୁ ୫ଡିଗ୍ରି ପର୍ଯ୍ୟନ୍ତ ଅଧିକ ରହିବ। ଫଳରେ ଖରା ଅସହ୍ୟ ହେବ ବୋଲି କେନ୍ଦ୍ର ସତର୍କ କରିଛି।
କେନ୍ଦ୍ର କହିଛି, ଆସନ୍ତାକାଲି ସୋନପୁର, ବୌଦ୍ଧ, ବଲାଙ୍ଗୀର, ଅନୁଗୁଳ, ନୟାଗଡ଼, ଖୋର୍ଧା, ବାଲେଶ୍ବର ଓ ମୟୂରଭଞ୍ଜ ଆଦି ଜିଲ୍ଲାରେ ତାପମାତ୍ରା ୪୦ ଡିଗ୍ରି ଛୁଇଁବ। ଗୀଷ୍ମ ପ୍ରବାହ ଯୋଗୁଁ ଅଂଶୁଘାତର ଆଶଙ୍କା ବଢ଼ିବ। ଏଣୁ ଖରାକୁ ନ ବାହାରିବାକୁ ପରାମର୍ଶ ଦେଇଛି। ଏଥିସହ ୧୭ ଓ ୧୮ ତାରିଖ ଦିନ ସୋନପୁର, ବୌଦ୍ଧ, ବଲାଙ୍ଗୀର, ଅନୁଗୁଳ, ନୟାଗଡ଼, ଖୋର୍ଧା, ବାଲେଶ୍ବର ଓ ମୟୂରଭଞ୍ଜ ଆଦି ଜିଲ୍ଲା ସମେତ ସମ୍ବଲପୁର ଓ ଝାରସୁଗୁଡ଼ା ଆଦି ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହ ସମ୍ଭାବନାକୁ ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।





