ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): କୋଟିଆରେ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ । କୋଟିଆରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର କାର‌୍ୟ୍ୟ ନେଇ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି ମୁଖ୍ୟ ଶାସନ ସଚିବ। ବିଭିନ୍ନ ପ୍ରକଳ୍ପ ସ୍ଥାନ ଗସ୍ତ କରି ଏହାର ଅଗ୍ରଗତିର ସମୀକ୍ଷା କରିଛନ୍ତି। ସେହିପରି ଏନଏଚଆଇଏ ପକ୍ଷରୁ ହେଉଥିବା ଭାରତମାଳା କାର‌୍ୟ୍ୟର ସମୀକ୍ଷା କରିଛନ୍ତି। ଏହି ପ୍ରୋଜେକ୍ଟରେ ଓଡ଼ିଶା ଦେଇ ରାୟପୁର-ବିଶାଖାପାଟଣା ଅର୍ଥନୈତିକ କରିଡର୍ ଯିବ। ମୌସୁମୀ ପୂର୍ବରୁ ପ୍ରଥମ ପର‌୍ୟ୍ୟାୟ କାର‌୍ୟ୍ୟ ଶେଷ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ପ୍ରକଳ୍ପ ଯୋଗୁଁ କ୍ଷତିପୁରଣ ପାଇବାକୁ ଥିବା ଲୋକଙ୍କୁ ତୁରନ୍ତ କ୍ଷତିପୁରଣ ପ୍ରଦାନ ଏବଂ ଏନଏଚଆଇଏକୁ ଜମି ହସ୍ତାନ୍ତର ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ସଚିବ। ସେପଟେ କୋଟିଆ ଗସ୍ତ ପୂର୍ବରୁ ଦେଓମାଳୀ ଯାଇ ସ୍ଥିତି ସମୀକ୍ଷା କରିଥିଲେ ମୁଖ୍ୟ ସଚିବ। ସେଠାରେ ମହିଳା ସ୍ବୟଂ ସହାୟିକା ଗୋଷ୍ଠୀ ସଦସ୍ୟାଙ୍କ ସହ ଆଲୋଚନା କରିଛନ୍ତି ମୁଖ୍ୟ ଶାସନ ସଚିବ। ଦେଓମାଳିକୁ ଇକୋ ଟୁରିଜିମରେ ସାମିଲ କରାଯିବ ବୋଲି କହିଥିବାର ଦେଖିବାକୁ ମିଳିଛି ।