ଭୁବନେଶ୍ୱର: ଆଜି ପ୍ରବାଦ ପୁରୁଷ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ତିରୋଧାନ ଦିବସ । ସେ ଦିନ ଥିଲା ଆଜିର ଦିନ ୧୭ ଏପ୍ରିଲ ୧୯୯୭ ମସିହା । ଆଜିକୁ ଠିକ୍ ୨୫ ବର୍ଷ ତଳେ ଘଟିଥିଲା ଏହି ଦୁଃଖଦ ଖବର । ଯେତେବେଳେ ଦିଲ୍ଲୀରୁ ଆସିଥିବା ଏକ ଦୁଃସମ୍ବାଦ ଶୁଣି ପୂରା ଓଡ଼ିଶା ନିସ୍ତବ୍ଧ, ନିର୍ବାକ ଓ ସ୍ଥାଣୁ ପାଲଟିଯାଇଥିଲା । କାରଣ ଦିଲ୍ଲୀରୁ ଆସିଥିବା ଖବରଟିକୁ ବିଶ୍ୱାସ କରିବା ସହଜ ନଥିଲା । ବିଜୁଳି ବେଗରେ ଦିଲ୍ଲୀରୁ ଆସିଥିବା ଖବରଟି ବ୍ୟାପିଯିବା ପରେ ଆଉ କୋହ ସମ୍ଭାଳିପାରିନଥିଲେ ଓଡ଼ିଶାବାସୀ । କୋଟି କୋଟି ଓଡିଆଙ୍କ ଆଖିରୁ ଲୁହ ଝରୁଥିଲା, ଆଉ ଲାଗୁଥିଲା ଯେମିତି ପୂରା ଓଡ଼ିଶା କାନ୍ଦୁଛି । କାରଣ ସବୁଦିନ ପାଇଁ ବୀର ପୁଅକୁ ହରାଇ ସାରିଥିଲା ଓଡ଼ିଶା । ଝଡର ଇଗଲଙ୍କୁ ଶେଷରେ ମୃତ୍ୟୁର ପଞ୍ଝା କବଳିତ କରି ନେଇଥିଲା । ଚିରନିଦ୍ରାରେ ଶୋଇ ଯାଇଥିଲେ ବୀର କଳିଙ୍ଗ ପୁଅ ବିଜୁ ପଟ୍ଟନାୟକ । କଳିଙ୍ଗର ମୁକୁଟବିହୀନ ଶେଷ ସମ୍ରାଟଙ୍କୁ ଛୁଇଁ ସାରିଥିଲା ମୃତ୍ୟୁ । କେହି ବିଶ୍ୱାସ କରିବା ଆଗରୁ ହିଁ ବିଜୁ ସାଜି ସାରିଥିଲେ ଅଫେରା ରାଇଜର ଅତିଥି । ଆଉ ଏହାସହ ସମ୍ଭାବନାର ସୂର୍ଯ୍ୟ ଅସ୍ତଗାମୀ ହେଉଥିବା ବେଳେ ଆଶାର ଆଲୋକ ଧୀରେ ଧୀରେ ଲିଭି ଆସୁଥିଲା । ଏହି କଠୋର ସତ୍ୟକୁ ଗ୍ରହଣ କରିବା ରାଜ୍ୟବାସୀଙ୍କ ପାଇଁ ସହଜ ନଥିଲା । ଦିଲ୍ଲୀରୁ ଆସିଥିବା ଏହି ଖବର ଯେତେବେଳେ ଓଡ଼ିଶାର ଗାଁରେ ଗାଁରେ ପହଞ୍ଚିଲା ତାହା ପରର ଦୃଶ୍ୟ ଥିଲା ଅବିଶ୍ୱସନୀୟ ଓ ଅକଳ୍ପନୀୟ ।
ସେପଟେ ଆଜିର ଦିନକୁ ନିରାଡ଼ମ୍ବର ଭାବେ ପାଳନ କରିବ ବିଜେଡି । ବିଜୁବାବୁଙ୍କ ଶ୍ରାଦ୍ଧ ଦିବସରେ ଓଡ଼ିଶାବାସୀଙ୍କ ସେବାରେ ନିଜକୁ ଉତ୍ସର୍ଗ କରିବା ପାଇଁ ସଂକଳ୍ପବଦ୍ଧ ହେବାକୁ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ନିବେଦନ କରିଛନ୍ତି । ଫରେଷ୍ଟ ପାର୍କ ଓ ଭୁବନେଶ୍ବର ଏୟାର ପୋର୍ଟ ଛକରେ ଥିବା ବିଜୁବାବୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କାର୍ଯ୍ୟକ୍ରମ ରହିଛି ।
ସେହିଭଳି ବିଜୁ ଯୁବ ଜନତା ଦଳ କାର୍ଯ୍ୟାଳୟରେ ସକାଳ ୯ଟାରେ କାର୍ଯ୍ୟକ୍ରମ ରହିଛି । ବିଜୁବାବୁଙ୍କ ତିରୋଧାନ ଦିବସରେ ରାଜ୍ୟବାସୀଙ୍କ ପ୍ରତି ବିଜେଡିର ସାମାଜିକ ଦାୟିତ୍ୱ ଓ ପ୍ରତିବଦ୍ଧତା ଦୃଷ୍ଟିରୁ ପ୍ରତ୍ୟେକ ଜିଲ୍ଲା ଓ ସମସ୍ତ ନିର୍ବାଚନ ମଣ୍ଡଳୀରେ ଓଡ଼ିଶା ମୋ ପରିବାର ପକ୍ଷରୁ ଜୀବନବିନ୍ଦୁ କାର୍ଯ୍ୟକ୍ରମ ଜରିଆରେ ସମୂହ ରକ୍ତଦାନ ଶିବିର ଆୟୋଜନ କରାଯିବ । ଏହି ରକ୍ତଦାନ କାର୍ଯ୍ୟକ୍ରମ ୧୫ ଦିନ ଧରି ଚାଲିବ । ପ୍ରଥମ ଦିନରେ ୧୦ ହଜାର ୟୁନିଟ୍ ରକ୍ତ ସଂଗ୍ରହ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି |





