ନୂଆଦିଲ୍ଲୀ: ଦିଲ୍ଲୀ ଜାହାଙ୍ଗିରପୁରୀରେ ହନୁମାନ ଜୟନ୍ତୀ ଅବସରରେ ହୋଇଥିବା ହିଂସା ଘଟଣାର ଅଭିଯୁକ୍ତଙ୍କ ବିରୋଧରେ କେନ୍ଦ୍ର ଗୃହ ମନ୍ତ୍ରାଳୟର ବଡ଼ କାର୍ଯ୍ୟାନୁଷ୍ଠାନ । ୫ ଅଭିଯୁକ୍ତଙ୍କ ବିରୋଧରେ ଜାତୀୟ ସୁରକ୍ଷା ଆଇନ ବଳରେ ମାମଲା ରୁଜୁ ହେବା ସହ ଏହି କଠୋର ଆତଙ୍କବାଦୀ ନିରୋଧୀ ଆଇନ୍ ବଳରେ କୌଣସି ଅଭିଯୋଗ ବିନା ଅଭିଯୁକ୍ତମାନଙ୍କୁ ମାସ ମାସ ଧରି ଅଟକ ରଖାଯାଇପାରିବ ।
ଏହି ଅଭିଯୁକ୍ତମାନେ ହେଲେ ଅନସାର, ସଲିମ, ଇମାମ୍, ଦିଲସାଦ ଓ ଅହିର। ଏହି ହିଂସା ଘଟଣାକୁ ନେଇ କେନ୍ଦ୍ରର ଗୃହମନ୍ତ୍ରୀ ଅମିତ ଶାହ ଦିଲ୍ଲୀ ପୁଲିସ କମିଶନରଙ୍କୁ ଅଭିଯୁକ୍ତଙ୍କ ବିରୋଧରେ କଡ଼ା କାର୍ଯାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଇଥିଲେ। ପରେ ପୁଲିସ ଅଭିଯୁକ୍ତମାନଙ୍କ ବିରୋଧରେ ଏହି ପଦକ୍ଷେପ ନେଇଛି ।
ସେପଟେ ଦିଲ୍ଲୀ ଜାହାଙ୍ଗିରପୁରୀ ଅଞ୍ଚଳରେ କୌଣସି ଅପ୍ରୀତିକର ପରିସ୍ଥିତି ଦେଖିବାକୁ ମିଳିନଥିବାବେଳେ ସ୍ଥିତି ନିୟନ୍ତ୍ରଣାଧୀନ ରହିଛି ବୋଲି ଦିଲ୍ଲୀ ପୁଲିସ ପକ୍ଷରୁ କୁହାଯାଇଛି । ଗତ ଶନିବାର ହିଂସାକାଣ୍ଡ ପରଠରୁ ସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖାଯାଇଛି । ସ୍ଥିତିକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା ବଢାଯିବା ସହ ଅଧିକ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି ।
ପୁଲିସ ପକ୍ଷରୁ ଫ୍ଲାଗମାର୍ଚ୍ଚ ନିୟମିତ ଭାବେ କରାଯାଉଛି । ସେପଟେ ହିଂସା ଘଟଣାର ତଦନ୍ତ ପାଇଁ କ୍ରାଇମ ବ୍ରାଞ୍ଚର ଏକ ଟିମ୍ ଘଟଣାସ୍ଥଳକୁ ଯାଇ ତନାଘନା କରିଛି । ଦିଲ୍ଲୀ ପୁଲିସ ପକ୍ଷରୁ ଡ୍ରୋନ୍ ସହାୟତାରେ ମଧ୍ୟ ତୀକ୍ଷ୍ଣ ନଜର ରଖାଯାଇଛି । ଜାମା ମସଜିଦ୍ଦ ଅଞ୍ଚଳରେ ପୁଲିସ ଡ୍ରୋନ୍ ଉଡ଼ାଇ ସ୍ଥିତି ଉପରେ ନଜର ରଖିଛି ।ଅନ୍ୟପଟେ ଜାହାଙ୍ଗିରପୁରୀ ଅଞ୍ଚଳରେ ଆଜିଠୁ ଦୁଇ ଦିନ ଧରି ସରକାରୀ ଜମିରେ ଥିବା ବେଆଇନ ନିର୍ମାଣ ହଟାଯିବାକୁ ଯୋଜନା ରହିଛି ।ଏଥିଲାଗି କଡ଼ା ସୁରକ୍ଷା ବ୍ୟବସ୍ଥା କରିବାକୁ ନର୍ଥ ଦିଲ୍ଲୀ ମେୟର ଦାବି କରିଛନ୍ତି।
ଅନ୍ୟପଟେ ସିସିଟିଭି ଫୁଟେଜ୍ ଆଧାରରେ ଦିଲ୍ଲୀ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିବାରେ ଲାଗିଛି । ମଙ୍ଗଳବାର ଦିଲ୍ଲୀ ପୋଲିସ କ୍ରାଇମ ବ୍ରାଞ୍ଚ ହିଂସା ଅଭିଯୋଗରେ ଗୁଲାମ ରସୁଲ ଓରଫ ଗୁଲିଙ୍କୁ ଗିରଫ କରିଛି।
ଗୁଲାମ ରସୁଲ ସୋନୁ ଶେଖଙ୍କୁ ଆକ୍ରମଣ ପାଇଁ ଅସ୍ତ୍ରଶସ୍ତ୍ର ଯୋଗାଇଥିଲା। ଏହି ଘଟଣାରେ ଏ ପର୍ଯ୍ୟନ୍ତ ଉଭୟ ସମ୍ପ୍ରଦାୟରୁ ୨୩ ଜଣଙ୍କୁ ଗିରଫ କରାଯାଇଛି। ଗିରଫ ବ୍ୟକ୍ତିମାନଙ୍କଠାରୁ ୩ଟି ଦେଶୀ ବନ୍ଧୁକ ଏବଂ ୫ଟି ଖଣ୍ଡା ଜବତ କରାଯାଇଛି। ଗିରଫ ଅଭିଯୁକ୍ତମାନଙ୍କୁ ଅଦାଲତରେ ହାଜର କରାଯାଇଛି ।





