ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ମନି ଲଣ୍ଡରିଂ ମାମଲାରେ ନବାବ ମଲିକଙ୍କ ଜାମିନ ଆବେଦନର ଶୁଣାଣି କରିବାକୁ ମନାକଲେ ସୁପ୍ରିମକୋର୍ଟ । ସେପଟେ ଜାମିନ ପାଇଁ ସେ ‘ଟ୍ରାଏଲ୍ କୋର୍ଟ’ରେ ଆବେଦନ କରନ୍ତୁ ବୋଲି ସୁପ୍ରିମ୍ କୋର୍ଟ ତାଙ୍କୁ ପରାମର୍ଶ ଦେଇଛନ୍ତି। ତେବେ ମଲିକ୍ଙ୍କ ତରଫରୁ ହାଜର ହୋଇଥିବା ବରିଷ୍ଠ ଆଡ୍ଭୋକେଟ୍ କପିଲ୍ ସିବଲ ୧୯୯୯ ମସିହାରେ ଘଟିଥିବା ଅପରାଧ ନିମନ୍ତେ ୨୦୨୨ ଫେବ୍ରୁଆରିରେ ମଲିକଙ୍କୁ ଗିରଫ କରାଯିବାର ବୈଧ୍ୟତା ଉପରେ ସନ୍ଦେହ ପ୍ରକାଶ କରିଥିଲେ।
ଦାଉଦ୍ ଇବ୍ରାହିମ୍ ଏବଂ ଅଣ୍ଡର୍ୱାର୍ଲଡ୍ ସହ ଜଡ଼ିତ ‘କଳାଟଙ୍କା ଧଳା କରାଯିବା’ ଘଟଣାରେ ମଲିକ୍ଙ୍କ ସମ୍ପୃକ୍ତି ସଂକ୍ରାନ୍ତରେ ତଦନ୍ତ କରିବା ପରେ ଗତ ଫେବ୍ରୁଆରି ୨୩ ତାରିଖ ଦିନ ପ୍ରବର୍ତ୍ତନ ନିର୍ଦେଶାଳୟ ତାଙ୍କୁ ଗିରଫ କରିଥିଲା।ଜାମିନ ଆବେଦନ ଖାରଜ କରି ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ କହିଲେ, ଏବେ ମାମଲାର ପ୍ରାରମ୍ଭିକ ପର୍ୟ୍ୟାୟ ଆରମ୍ଭ ହୋଇଛି। ଏଥିରେ ଆମର ହସ୍ତକ୍ଷେପ ଅନୁଚିତ। ଉପଯୁକ୍ତ ଅଦାଲତଙ୍କୁ ଆପଣ ଜାମିନ ପାଇଁ ଆବେଦନ କରିପାରିବେ। ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶର ରାଜନୈତିକ ମାହୋଲ ବେଶ ଚଳଚଞ୍ଚଳ ହୋଇ ଉଠିଛି ।
