ଶ୍ରୀଲଙ୍କାର ନୂତନ ପ୍ରଧାନମନ୍ତ୍ରୀ ଭାବରେ ଆଜି ଶପଥ ନେବେ ରନିଲ ବିକ୍ରମସିଂଘେ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଶ୍ରୀଲଙ୍କାର ନୂତନ ପ୍ରଧାନମନ୍ତ୍ରୀ ଭାବରେ ଆଜି ଶପଥ ନେବେ ରନିଲ ବିକ୍ରମସିଂଘେ । ସନ୍ଧ୍ୟା ସାଢେ ୬ଟାରେ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ବୋଲି ତାଙ୍କ ପାର୍ଟି ପୁଷ୍ଟି କରିଛି। ସେପଟେ ବିଦାୟୀ ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପକ୍ଷେ ଓ ତାଙ୍କ ସହଯୋଗୀଙ୍କ ଦେଶ ଛାଡି ଉପରେ ଶ୍ରୀଲଙ୍କା କୋର୍ଟ ରୋକ ଲଗାଇଛନ୍ତି। ଦେଶରେ ସରକାର ବିରୋଧୀ ବିକ୍ଷୋଭ ଉପରେ ମହିନ୍ଦା ରାଜପକ୍ଷେଙ୍କ ସମର୍ଥକଙ୍କ ଆକ୍ରମଣ ଦେଶରେ ହିଂସାକୁ ଉସକାଇଥିଲା। ଯାହା ଏବେ ବି ଶାନ୍ତ ହୋଇ ନାହିଁ। ଅନ୍ୟପଟେ ବିକ୍ଷୋଭକାରୀ ମହିନ୍ଦା ରାଜପକ୍ଷେଙ୍କ ପୈତୃକ ବାସଭବନ ଟେମ୍ପଲ ଟ୍ରିରେ ବ୍ୟାପକ ପୋଡା ଜଳା କରିଛନ୍ତି।

ଏଥିରେ ରାଜପକ୍ଷେ ଓ ତାଙ୍କ ପରିବାର ସଦସ୍ୟଙ୍କୁ ହେଲିକପ୍ଟର ଯୋଗେ ଉଦ୍ଧାର କରି ତ୍ରିଙ୍କୋମାଳିସ୍ଥିତ ନୌସେନା ଘାଟିକୁ ପଠାଇ ଦିଆଯାଇଛି। ଗତ ୧୦ ତାରିଖରୁ ରାଜପକ୍ଷେ ଓ ତାଙ୍କ ପରିବାର ନୌସେନା କ୍ୟାମ୍ପରେ ଶରଣ ନେଇ ରହିଛନ୍ତି। ଅନ୍ୟପକ୍ଷେ ରାଜପକ୍ଷେଙ୍କ ପରିବାର ନୌସେନା ଘାଟିରେ ଆତ୍ମଗୋପନ କରିଥିବା ଜଣାପଡିବା ପରେ ଲୋକେ ସାମରିକ ଘାଟିକୁ ଘେରାଉ କରି ରଖିଛନ୍ତି। ଏଥିରେ ରାଜପକ୍ଷେ ଓ ତାଙ୍କ ପରିବାର ଗୋପନାରେ ଭାରତ ଚାଲିଯାଇଥିବାର ଗୁଜବ ରଟିବା ଦେଶର ପରିସ୍ଥିତିକୁ ଅଧିକ ଜଟିଳ କରିଛି। ଏଣୁ ମାମଲାରେ ଭାରତୀୟ ଉଚ୍ଚାୟୁକ୍ତ ଟ୍ୱିଟ୍ କରି ଖବରକୁ ଖଣ୍ଡନ କରିଛନ୍ତି।

Related Posts