ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): କଂଗ୍ରେସ ଦଳର ଚିନ୍ତନ ଶିବୀର ଆରମ୍ଭ ହେବାକୁ ଗୋଟିଏ ଦିନ ବାକି ରହିଛି । ଏହି ସମୟରେ ବରିଷ୍ଠ ଆଡଭୋକେଟ ତଥା କଂଗ୍ରେସ ନେତା କପିଲ ସିବଲଙ୍କ ଏହି କାର୍ୟ୍ୟକ୍ରମରେ ଯୋଗଦାନ ଉପରେ ସନ୍ଦେହ ସୃଷ୍ଟି ହୋଇଛିା ସେପଟେ ସେ ଏପର୍ୟ୍ୟନ୍ତ ତାଙ୍କ ଉପସ୍ଥିତିକୁ ନିଶ୍ଚିତ କରିନାହାଁନ୍ତି। ବିଶେଷ କଥା ହେଉଛି ଦୀର୍ଘ ଦିନ ଧରି ଦଳର ନେତୃତ୍ୱରେ ପରିବର୍ତ୍ତନ ଆଣିବାକୁ ଦାବି କରୁଥିବା ସିବଲଙ୍କୁ ଏହି କାର୍ୟ୍ୟକ୍ରମରେ ନିମନ୍ତ୍ରଣ କରାଯାଇଥିବା ଅଲ ଇଣ୍ଡିଆ କଂଗ୍ରେସ କମିଟିର ୪୦୦ ଜଣଙ୍କ ତାଲିକାରେ ଅନ୍ତର୍ଭୁକ୍ତ କରାଯାଇଛି। ଅନ୍ୟପଟେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ରାଜ୍ୟସଭା ସାଂସଦ ତାଙ୍କ ଅଂଶଗ୍ରହଣ ସମ୍ପର୍କରେ କୌଣସି ଉତ୍ତର ଦେଇନାହାଁନ୍ତି । ଏଆଇସିସି ଅଧିକାରୀ ମଧ୍ୟ ସମାନ କଥା କହିଛନ୍ତି । ତେବେ, ସିବଲ ସର୍ବଦା ନିଜକୁ ‘ପ୍ରତିବଦ୍ଧ କଂଗ୍ରେସ କର୍ମୀ’ ଭାବରେ ପ୍ରୋଜେକ୍ଟ କରନ୍ତି ।
କଂଗ୍ରେସକୁ ପୁନର୍ଜୀବିତ କରିବା ପାଇଁ ସେ ନେତୃତ୍ୱର ପରିବର୍ତ୍ତନ ଏବଂ ସଂସ୍କାରକୁ ସର୍ବଦା ସମର୍ଥନ କରିଆସୁଛନ୍ତି। ସେପଟେ ସୁପ୍ରିମକୋର୍ଟ ଦେଶଦ୍ରୋହ ଆଇନକୁ ସ୍ଥଗିତ ରଖିଛନ୍ତି। କୋର୍ଟରେ ଏହି ନିୟମକୁ ରଦ୍ଧ କରିବାରେ କପିଲ ସିବଲଙ୍କ ଦୃଢ଼ ଭୂମିକା ଥିଲା । ଗୋଟିଏ ପଟେ ରାହୁଲ ଗାନ୍ଧୀ ଏବଂ ରଣଦୀପ ସୁରଜେୱାଲା କୋର୍ଟଙ୍କ ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି। ଏଥିସହିତ ସେ ସିବଲଙ୍କ ଭୂମିକାରେ ଚୁପ୍ ରହିଥିଲେ । ତେବେ ବର୍ତ୍ତମାନ ଦେଖିବାକୁ ବିଷୟ କଂଗ୍ରେସର ବରିଷ୍ଠ ନେତା କପିଲ ସିବଲ ଚିନ୍ତନ ଶିବିରରେ ଯୋଗ ଦେଉଛନ୍ତି ନା ନାହିଁ ।





