ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ନାଟୋରେ ସାମିଲ ହେବାକୁ ଆବେଦନ କରିବ ଫିନଲ୍ୟାଣ୍ଡ । ସେହିପରି ସ୍ୱିଡେନ ମଧ୍ୟ କିଛି ଦିନ ମଧ୍ୟରେ ଏନେଇ ପ୍ରକ୍ରିୟା ଆରମ୍ଭ କରିବ। ୟୁକ୍ରେନ ପୂର୍ବରୁ ନାଟୋରେ ସାମିଲ ହେବାକୁ ଇଚ୍ଛା ପ୍ରକାଶ କରିବାରୁ ଦୀର୍ଘ ୨ ମାସରୁ ଅଧିକ ଦିନ ହେଲା ରୁଷ ସେନା କିଭ୍ ଉପରେ ଆକ୍ରମଣ କରି ଚାଲିଛି।ଏବେ ଫିନଲ୍ୟାଣ୍ଡର ଏପରି ଘୋଷଣା ରୁଷର ଚିନ୍ତାକୁ ବଢ଼ାଇ ଦେଇଛି। ଏଥିପାଇଁ ରୁଷ ପକ୍ଷରୁ ଫିନଲ୍ୟାଣ୍ଡକୁ ଧମକ ଦିଆଯାଇଛି।

ଫିନଲ୍ୟାଣ୍ଡ ନାଟୋରୁ ଦୂରେଇ ରହୁ ନଚେତ ଏହାପର ପରିଣାମ ସ୍ୱରୂପ ସାମରିକ କାର୍ୟ୍ୟାନୁଷ୍ଠାନ ନିଆଯିବ ବୋଲି କ୍ରେମେଲିନ ପକ୍ଷରୁ ଚେତାବନୀ ଦିଆଯାଇଛି।ଫିନଲ୍ୟାଣ୍ଡର ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତି ଘୋଷଣା କରିଛନ୍ତି ଯେ ନୋରଡିକ ଦେଶଗୁଡ଼ିକ ନାଟୋ ସଦସ୍ୟତା ହାସଲ କରିବା ପାଇଁ ଆବେଦନ କରିବାର ଅଧିକାର ରଖିଛନ୍ତି। ନିଜ ଦେଶର ସୁରକ୍ଷା ପାଇଁ ସମସ୍ତେ ଅଧିକାର ପାଇଛନ୍ତି। ରୁଷ ନିଜେ ହିଁ ଏସବୁ କରିବା ପାଇଁ ବାଧ୍ୟ କରିଛି। ରୁଷ ପ୍ରଥମେ ନିଜକୁ ଆଇନାରେ ଦେଖୁ ବୋଲି ଫିନଲ୍ୟାଣ୍ଡର ରାଷ୍ଟ୍ରପତି ସାଉଲି ନିନିଷ୍ଟୋ କହିଛନ୍ତି।