ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ମୋବାଇଲ ଟାୱାର ନିର୍ମାଣ ଦାବିରେ ୫ ପଞ୍ଚାୟତବାସୀଙ୍କ ୧୨ଘଣ୍ଟିଆ ସମ୍ବଲପୁର – ଦେବଗଡ଼ ଜାତୀୟ ରାଜପଥ ଅବରୋଧ । ତେବେ ଦେବଗଡ଼ ଜିଲ୍ଲା ତିଲେଇବଣୀ ବ୍ଲକ ଅନ୍ତର୍ଗତ କୈଳାଶ ଛକରେ ୪୯ ନମ୍ବର ଜାତୀୟ ରାଜପଥରେ ରାସ୍ତାରୋକ କରାଯାଇଛି। ଦେବଗଡ଼ ଜିଲ୍ଲାର ଅପହଞ୍ଚ ଇଲାକା ଭାବେ ପରିଚିତ ଲଇମୁରା ଅଞ୍ଚଳର ପାଞ୍ଚଟି ଗ୍ରାମ ପଞ୍ଚାୟତର ଅଧିବାସୀମାନେ ଏହି ରାସ୍ତାରୋକ କରିଛନ୍ତି। ଲଇମୁରା ଅଞ୍ଚଳରେ ଥିବା ପାରପୋଷୀ, ଝରାଗୋଗୁଆ, ଗଣ୍ଡମ, ଝାରମୁଣ୍ଡା ଓ ଡିମିରିକୁଦା ଗ୍ରାମ ପଞ୍ଚାୟତର ଅଧିବାସୀମାନେ ମୋବାଇଲ ଟାୱାର ନିର୍ମାଣ ଦାବି କରି ଏହି ରାସ୍ତାରୋକ କରିଛନ୍ତି।
ଏଥର ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନ ସମୟରେ ସମ୍ପୃକ୍ତ ଅଞ୍ଚଳରେ ମୋବାଇଲ ଟାୱାର ନଥିବାରୁ ଗ୍ରାମ ପଞ୍ଚାୟତ ଅଧିବାସୀମାନେ ନିର୍ବାଚନ ବର୍ଜନ ନିଷ୍ପତ୍ତି ନେଇଥିଲେ। ପରେ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ପ୍ରତିଶୃତି ଦେବା ପରେ ଦ୍ବିତୀୟ ପର୍ୟ୍ୟାୟରେ ପ୍ରାର୍ଥୀ ପତ୍ର ଦାଖଲ ହୋଇଥିଲା । ଏହାମଧ୍ୟରେ ଦୁଇ ମାସ ବିତି ଯାଇଥିଲେ ସୁଦ୍ଧା ମୋବାଇଲ ଟାୱାର ବସାଇବା ପାଇଁ କୌଣସି ପଦକ୍ଷେପ ଗ୍ରହଣ କରା ଯାଉନଥିବାରୁ ଗାଁଲୋକମାନେ ଅସନ୍ତୋଷ ପ୍ରକାଶ କରି ରାସ୍ତା ରୋକ କରିଛନ୍ତି। ଏଥିପାଇଁ ବୁଧବାର ପାଞ୍ଚଟି ଗ୍ରାମ ପଞ୍ଚାୟତ ଅଧିବାସୀମାନେ କୈଳାଶ ଛକଠାରେ ୪୯ ନମ୍ବର କୋଲକାତା-ମୁମ୍ବାଇ ଜାତୀୟ ରାଜପଥରେ ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ୟ୍ୟନ୍ତ ବାର ଘଣ୍ଟିଆ ରାସ୍ତା ରୋକ କରିଛନ୍ତି। ରାସ୍ତା ରୋକ ଯୋଗୁଁ ରାସ୍ତାର ଉଭୟ ପାଖରେ ଶହ ଶହ ସଂଖ୍ୟାରେ ଯିବା ଆସିବା ବାଧାପ୍ରାପ୍ତ ହୋଇଥିଲା।





