ନୂଆଦିଲ୍ଲୀ: ଭାରତୀୟ ରପ୍ତାନୀକାରୀଙ୍କୁ ଘାରିଲାଣି ଚିନ୍ତା | ଗହମ ପରେ ଏବେ ଚିନ୍ତାରେ ଭାରତୀୟ ଚା’ ରପ୍ତାନିକାରୀ । ବିଦେଶରୁ ଫେରିଆସିଲା ବିପୁଳ ଚା’ । ନିର୍ଦ୍ଧାରିତ ସୀମାଠାରୁ ଅଧିକ କୀଟନାଶକ ଏବଂ ରସାୟନ ଥିବା ଦର୍ଶାଇ ବିଭିନ୍ନ ଅନ୍ତର୍ଜାତୀୟ ଓ ଘରୋଇ କ୍ରେତା ବିପୁଳ ମାତ୍ରାରେ ଚା’ ଫେରାଇ ଦେଇଛନ୍ତି ।
ଶ୍ରୀଲଙ୍କାରେ ଉପୁଜିଥିବା ସ୍ଥିତି ଯୋଗୁ ସେଠାରୁ ଚା’ ରପ୍ତାନୀ କମିଯାଇଛି । ଯାହାର ଲାଭ ଭାରତୀୟ ବ୍ୟବସାୟୀମାନେ ଉଠାଇବାକୁ ଚାହୁଁଥିଲେ ।
ହେଲେ ବର୍ତ୍ତମାନ ଚା’ର ମାନକୁ ନେଇ ସୃଷ୍ଟି ହୋଇଥିବା ପ୍ରଶ୍ନବାଚୀ ସବୁ କିଛି ଫିକା କରିଦେଇଛି । ଚା’ ଖେପଗୁଡିକ ଅଗ୍ରାହ୍ୟ ହେବା ଫଳରେ ରାପ୍ତାନୀ ହ୍ରାସ ପାଇଛି । ୨୦୨୧ରେ ଭାରତ ୧୯ ଦଶମିକ ୫୯ କୋଟି କିଲୋଗ୍ରାମ ଚା’ ରପ୍ତାନୀ କରିଥିଲା । ଗତବର୍ଷ ଏହାର ପ୍ରମୁଖ କେତ୍ରା ସ୍ୱତନ୍ତ୍ର ରାଜ୍ୟଗୁଡ଼ିକର ରାଷ୍ଟ୍ରମଣ୍ଡଳ ଏବଂ ଇରାନ ରହିଥିଲେ । ଏ ବର୍ଷ ୩୦ କୋଟି କିଲୋ ଚା’ ରପ୍ତାନୀ କରିବାକୁ ଲକ୍ଷ୍ୟ ରଖାଯାଇଛି । କିନ୍ତୁ ବର୍ତମାନ ସ୍ଥିତିରେ ଲକ୍ଷ ହାସଲ ହେବାକୁ ନେଇ ଆଶଙ୍କା ଦେଖାଦେଇଛି ।
ଚା’ ବୋର୍ଡର ଜଣେ ବରିଷ୍ଠ ଅଧିକାରୀଙ୍କ କହିବା ଅନୁସାରେ ଚା’ ରପ୍ତାନିକାରୀଙ୍କଠାରୁ ଅନେକ ଅଭିଯୋଗ ମିଳିଛି । ବର୍ତମାନର ଏଫ୍ଏସ୍ଏସ୍ଆଇର ମାନଦଣ୍ଡକୁ କଡ଼ାକଡ଼ା ଭାବେ ପାଳନ କରିବା ପାଇଁ ଉତ୍ପାଦନକାରୀଙ୍କୁ ବାରମ୍ବାର କୁହାଯାଉଛି । ପୂର୍ବରୁ ଭାରତୀୟ ଗହମର ମାନକୁ ନେଇ ତୁର୍କୀ ପ୍ରଶ୍ନ ଉଠାଇଥିଲା । ରୁବେଲା ଭାଇରସ୍ ଚିନ୍ତା ଦର୍ଶାଇ ଭାରତୀୟ ଗହମର ଏକ ବଡ଼ ଖେପକୁ ଫେରାଇ ଦେଇଥିଲା ।
ସୂଚନାଯୋଗ୍ୟ, ଗତକିଛି ଦିନ ତଳେ ଭାରତକୁ ତୁର୍କୀ ଗହମ ଫେରାଇ ଦେଇଥିଲା | ତୁର୍କୀ କହିଛି ଯେ, ଭାରତରେ ଗହମରୁ ରୁବେଲା ଭାଇରସ୍ ମିଳିଛି । ଭାରତର ଗହମରେ ଫାଇଟୋସେନିଟାରୀ ସମସ୍ୟା ରହିଛି । ଏହାପରେ ଗତ ୨୯ ତାରିଖରେ ଭାରତରୁ ଯାଇଥିବା ଗହମ ଫେରାଇ ଦେଇଛି ।
ଏସଆଣ୍ଡପି ଗ୍ଲୋବାଲ କମୋଡିଟି ଇନସାଇଟ୍ସର ରିପୋର୍ଟ ମୁତାବକ, ଜାହାଜରେ ୫୬,୮୭୭ ଟନ୍ ଗହମ ଭାରତରୁ ତୁର୍କୀକୁ ରପ୍ତାନୀ ହୋଇଥିଲା । ଏବେ ଏହି ଜାହାଜକୁ ତୁର୍କୀରୁ ଗୁଜୁରାଟର କାନ୍ଧଲା ବନ୍ଦରକୁ ଫେରାଇ ଦିଆଯାଇଛି । ଇସ୍ତାନବୁଲର ଜଣେ ବ୍ୟବସାୟୀ କହିଛନ୍ତି ଯେ, ଭାରତର ଗହମରେ ରୁବେଲା ଭାଇରସ୍ ମିଳିଛି । ଏହି କାରଣରୁ ତୁର୍କୀର କୃଷି ମନ୍ତ୍ରଣାଳୟ ଏହି ଗହମ ଜାହାଜକୁ ଗ୍ରହଣ କରିବାକୁ ମନାକରିଦେଇଛନ୍ତି ।
ଚଳିତ ବର୍ଷ ଲୁ ପ୍ରବାହ ଯୋଗୁଁ ଦେଶରେ ଗହମ ରପ୍ତାନୀ ହ୍ରାସ ପାଇଥିବାବେଳେ ବିଦେଶକୁ ଗହମ ରପ୍ତାନୀ ଉପରେ ରୋକ ଲଗାଇଥିଲେ ଭାରତ ସରକାର । ହେଲେ ଇଣ୍ଟରନ୍ୟାସନାଲ ମନିଟାରୀ ଫଣ୍ଡର ଇକୋନୋମିକ୍ ଫୋରୋମରେ ଏହାର ମୁଖ୍ୟ ଭାରତର ଏପରି ଅଭିମୁଖ୍ୟକୁ ଭୁଲ ବୋଲି ଦର୍ଶାଇବା ସହ ଏହା ଉପରେ ପୁନର୍ବାର ବିଚାର କରିବାକୁ ମୋଦୀ ସରକାରଙ୍କୁ ନିବେଦନ କରିଥିଲେ । କାରଣ ଭାରତର ଏପରି ନିଷ୍ପତ୍ତିରେ ପରୋକ୍ଷ ଭାବେ ଅନେକ ରାଷ୍ଟ୍ରରେ ଖାଦ୍ୟ ସମସ୍ୟା ଉପୁଜିବାର ଆଶଙ୍କା ରହିଥିବା ସେ କହିଥିଲେ ।
ଏହାପରେ ଭାରତ ସରକାର ପୁଣି ଥରେ ବିଭିନ୍ନ ଦେଶକୁ ଗହମ ରପ୍ତାନୀ ଆରମ୍ଭ କରିଥିଲେ | ତୁର୍କୀ ସହ ମିଶରକୁ ଭାରତ ୬୦୦୦୦ ଟନ୍ ଗହମ ପଠାଇଛି ।





