ଅଘୋଷିତ ବିଜୁଳି କାଟ ବନ୍ଦ ପାଇଁ ନୂତନ ଶକ୍ତିମନ୍ତ୍ରୀଙ୍କ ହସ୍ତକ୍ଷେପ ଦାବି କଲା ସମାଜବାଦୀ ପାର୍ଟି

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଗତକାଲି ନୂତନ ମନ୍ତ୍ରୀମଣ୍ଡଳ ଗଠନ ହୋଇଛି । ସେପଟେ ନୂତନ କରି ପ୍ରତାପ ଦେବଙ୍କୁ ଶକ୍ତି ବିଭାଗର ଦାୟିତ୍ୱ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଏହା ମଧ୍ୟରେ ଅଘୋଷିତ ବିଜୁଳିକାଟ ବନ୍ଦ ପାଇଁ ନୂତନ ଶକ୍ତିମନ୍ତ୍ରୀ ପ୍ରତାପ ଦେବଙ୍କ ହସ୍ତକ୍ଷେପ ଦାବି କରିଛି ସମାଜବାଦୀ ପାର୍ଟି। ତେବେ ନୂତନ ଶକ୍ତିମନ୍ତ୍ରୀ ଭାବେ ପ୍ରତାପ ଦେବ ଶପଥ ଗ୍ରହଣ ପରେ ସମାଜବାଦୀ ପାର୍ଟି ରାଜ୍ୟ ସଭାପତି ରବି ବେହେରା ଅଭିନନ୍ଦନ ଜଣାଇଛନ୍ତି। ଏଥିସହ ବିଜୁଳି କମ୍ପାନିମାନଙ୍କ ଅଘୋଷିତ ବିଦ୍ୟୁତ୍ କାଟ ବନ୍ଦ କରିବା ପାଇଁ ଦାବି କରିଛନ୍ତି।ଶ୍ରୀ ବେହେରା କହିଛନ୍ତି, ରାଜ୍ୟରେ ଅସହ୍ୟ ଗ୍ରୀଷ୍ମ ପ୍ରବାହ ଓ ଝାଞ୍ଜି ପବନ ଲାଗି ରହିଥିବା ବେଳେ ଅଘୋଷିତ ବିଜୁଳି କାଟ ଯମ ଯନ୍ତ୍ରଣାକୁ ବଳିଯାଇଛି।

ଏସଂକ୍ରାନ୍ତରେ ଶକ୍ତି ବିଭାଗ, ଟାଟା ପାଓ୍ବାର କାର‌୍ୟ୍ୟନିର୍ବାହୀ ଅଧିକାରୀ, ଓଇଆରସି କର୍ତ୍ତୃପକ୍ଷ, ଗ୍ରୀଡ୍କୋ, ଓଏଚ୍ପିସି ଓ ଅନ୍ୟ ବିଦ୍ୟୁତ୍ କମ୍ପାନିମାନଙ୍କ ମୁଖ୍ୟ ଅଧିକାରୀଙ୍କୁ ନେଇ ଏକ ବୈଠକ ଡାକି ଅଘୋଷିତ ବିଜୁଳି କାଟକୁ ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦେବାକୁ ସେ ଦାବି କରିଛନ୍ତି। ବିଜୁଳି ଭଳି ଏକ ମୌଳିକ ସାମଗ୍ରୀର ଗୁଣାତ୍ମକ ଓ ନିରବଚ୍ଛିନ୍ନ ସେବାକୁ ସୁନିଶ୍ଚିତ କରିବା ପାଇଁ ଶକ୍ତି ବିଭାଗ ନୂଆ ମନ୍ତ୍ରୀ ପଦକ୍ଷେପ ନେବେ ବୋଲି ଶ୍ରୀ ବେହେରା ଆଶା ପ୍ରକାଶ କରିଛନ୍ତି। ଏ ଖବର ସାମ୍ନାକୁ ଆସିବା ପରେ ସାରା ରାଜ୍ୟରେ ଏନେଇ ଚର୍ଚ୍ଚା ଜୋର ଧରିବାରେ ଲାଗିଛି ।

Related Posts