ନୂଆଦିଲ୍ଲୀ: ଆଫ୍ରିକୀୟ ଦେଶ ନାଇଜେରିଆରେ ଏକ ଭୟଙ୍କର ଗୁଳିକାଣ୍ଡ ଘଟିଛି । ଆଖିବୁଜା ଗୁଳି ମାଡ଼ରେ ପ୍ରାୟ ୫୦ ଜଣ ପ୍ରାଣ ହରାଇଛନ୍ତି । ଦେଶର ଓଣ୍ଡୋ ପ୍ରଦେଶରେ ଥିବା ସେଣ୍ଟ ଫ୍ରାନ୍ସିସ୍ କ୍ୟାଥୋଲିକ୍ ଚର୍ଚ୍ଚ ଉପରେ ଆତତାୟୀମାନେ ଆକ୍ରମଣ କରିଥିଲେ । ପ୍ରଥମେ ସେମାନେ ଲୋକଙ୍କ ଉପରେ ଆଖିବୁଜା ଗୁଳି ମାଡ଼ କରିଥିଲେ । ଏହାପରେ ବିସ୍ଫୋରଣ ଘଟାଇଥିଲେ । ମୃତକଙ୍କ ମଧ୍ୟରେ ଅନେକ ପିଲା ରହିଥିବା ଜଣାପଡ଼ିଛି ।
ଘଟଣା ପରେ ଟ୍ୱିଟ୍ କରି ଓଣ୍ଡୋ ଗଭର୍ଣ୍ଣର ରୋତିମି ଆକେରେଡୋଲୁ କହିଛନ୍ତି, ଘଟଣାରେ ଆମେ ଅତ୍ୟନ୍ତ ମର୍ମାହତ । ଶାନ୍ତି ଓ ସୌହାର୍ଦ୍ଦ୍ୟ ଉପରେ ଆକ୍ରମଣ ହୋଇଛି । ଅନ୍ୟପକ୍ଷରେ ଗୁଳିକାଣ୍ଡ ଯୋଗୁ ପ୍ରକୃତରେ କେତେ ପ୍ରାଣ ହରାଇଛନ୍ତି, ସେ ବାବଦରେ ସରକାରୀ ଭାବେ କିଛି ଘୋଷଣା କରାଯାଇ ନାହିଁ । କିନ୍ତୁ ୫୦ରୁ ଅଧିକ ପ୍ରାଣ ହରାଇଥିବା ବେଳେ ଅନେକ ଲୋକ ଆହତ ହୋଇଥିବା କୁହାଯାଉଛି ।
ତେବେ ଆଗକୁ ମଧ୍ୟ ଆହୁରି ମୃତାହତଙ୍କ ସଂଖ୍ୟା ବଢିବା ନେଇ ଆଶଂକା ପ୍ରକାଶ ପାଇଛି ।





