ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ପୁରୀ ଜିଲ୍ଲା ଅବକାରୀ ମୋବାଇଲ୍ ୟୁନିଟ୍ର ଇନସ୍ପେକ୍ଟର ସଞ୍ଜୟ କୁମାର ପଣ୍ଡା ଅବକାରୀ କମିସନରଙ୍କ ନିକଟରେ ଅଭିଯୋଗ କରିବା ପରେ ସାରା ରାଜ୍ୟରେ ଚର୍ଚ୍ଚା ଜୋର ଧରିବାରେ ଲାଗିଛି । ତେବେ ପୁରୀ ଥାନା ପୁଲିସ ନିଶା ମାଫିଆଙ୍କ ନିକଟରୁ ମାସିକିଆ ଟଙ୍କା ସଂଗ୍ରହ କରୁଛି ବୋଲି ଅବକାରୀ କମିଶସନର ଆଶିଷ କୁମାର ସିଂହଙ୍କୁ ପୁରୀ ଜିଲ୍ଲା ଅବକାରୀ ମୋବାଇଲ୍ ୟୁନିଟ୍ର ଇନସ୍ପେକ୍ଟର ସଞ୍ଜୟ କୁମାର ପଣ୍ଡା ଅଭିଯୋଗ କରିଥିଲେ । ବାସ ଏହା ପରେ ସାରା ରାଜ୍ୟରେ ଏନେଇ ହଟଚମଟ ସୃଷ୍ଟି ହୋଇଯାଇଥିଲା । ଏହା ମଧ୍ୟରେ ଏହି ପ୍ରସଙ୍ଗକୁ ଗୁରୁତର ସହିତ ଗ୍ରହଣ କରିଛନ୍ତି ରାଜ୍ୟ ସରକାର । ତେବେ ଅବକାରୀ କମିସନରଙ୍କ କାର୍ୟ୍ୟାଳୟରୁ ପୁରୀ ଜିଲ୍ଲାପାଳଙ୍କୁ ଏହି ଘଟଣାର ତଦନ୍ତ ରିପୋର୍ଟ ମଗାଯାଇଛି। ଶ୍ରୀ ପଣ୍ଡା ଯେଉଁ ଟଙ୍କା କାରବାର ଅଭିଯୋଗ ଆଣିଛନ୍ତି, ଏ ନେଇ ପୁଙ୍ଖାନୁପୁଙ୍ଖ ତଦନ୍ତ କରିବାକୁ କୁହାଯାଇଛି। ପୁରୀ ଜିଲ୍ଲା ପୁଲିସ ବି ସମାନ୍ତରାଳ ଭାବେ ଏହି ଘଟଣାର ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି।
ସେପଟେ ସଞ୍ଜୟ ପଣ୍ଡା ଅବକାରୀ କମିସନର ଆଶିଷ କୁମାର ସିଂହଙ୍କୁ ଲେଖିଥିବା ଚିଠିକୁ ନେଇ ଓଡ଼ିଶା ପୁଲିସ ଓ ଅବକାରୀ ବିଭାଗର ଅଧିକାରୀଙ୍କ ଭିତରେ ଅସନ୍ତୋଷ ସୃଷ୍ଟି ହୋଇଛି। ପୁରୀ ଜିଲ୍ଲାପାଳ ଏହି ସମ୍ବେଦନଶୀଳ ଘଟଣାର ତଦନ୍ତ ରିପୋର୍ଟ ଅବକାରୀ କମିସନରଙ୍କ କାର୍ୟ୍ୟାଳୟରେ ଦାଖଲ କଲେ ଦୋଷୀ ଅଫିସରଙ୍କ ବିରୋଧରେ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ। ଇତିମଧ୍ୟରେ ଇନସ୍ପେକ୍ଟର ପଣ୍ଡା ଅଭିଯୋଗ କରିଛନ୍ତି ଯେ ସଚ୍ଚୋଟପଣିଆ ଯୋଗୁଁ ତାଙ୍କୁ ବାରମ୍ବାର ଉଦ୍ଦେଶ୍ୟମୂଳକ ଭାବେ ବଦଳି କରାଯାଉଛି। ୨୦୨୦ ଅକ୍ଟୋବରରେ ଏସଆଇରୁ ଇନସ୍ପେକ୍ଟର ପାହ୍ୟାକୁ ପଦୋନ୍ନତି ସମୟରେ ବିଭାଗରେ କିଛି ଗୋଷ୍ଠୀ ସିସିଆର୍ (ବୃତ୍ତିଗତ ଚରିତ୍ର ସଂହିତା) ଫାଇଲକୁ ହଜାଇ ଦେଇଥିଲେ। ଉଦ୍ଦେଶ୍ୟମୂଳକ ଭାବେ ବିଭାଗର କିଛି ଅଧିକାରୀ ତାଙ୍କ ପଛରେ ପଡ଼ିଯାଇଛନ୍ତି। ପୁରୀ ଅବକାରୀ ମୋବାଇଲ୍ ୟୁନିଟରେ ଏବେ ତାଙ୍କୁ ମିଶାଇ ଦୁଇ ଅଫିସର ଓ ଜଣେ କନଷ୍ଟେବଳ ଅଛନ୍ତି। ମହିଳା କନଷ୍ଟେବଳ ଏପ୍ରିଲ ୧୮ ତାରିଖରୁ ମାତୃତ୍ବ ପାଇଁ ଛୁଟିରେ ଥିବା ବେଳେ ଜଣେ ମହିଳା ଏସଆଇ ଅନ୍ୟ ଏକ ୟୁନିଟ ଦାୟିତ୍ବରେ ଅଛନ୍ତି। ଚଢ଼ଉ କ୍ଷେତ୍ରରେ ମହିଳା କର୍ମଚାରୀଙ୍କ ଆବଶ୍ୟକତା ରହିଛି। କିନ୍ତୁ ତାଙ୍କୁ କୌଣସି ପ୍ରକାର ସହଯୋଗ ମିଳୁନାହିଁ ବୋଲି କହିଥିଲେ । ଏ ଖବର ସାମ୍ନାକୁ ଆସିବା ପରେ ସାରା ରାଜ୍ୟରେ ଏନେଇ ଚର୍ଚ୍ଚା ଜୋର ଧରିବାରେ ଲାଗିଛି ।





