ଭୁବନେଶ୍ଵର(ସତ୍ୟପାଠ ବ୍ୟୁରୋ): ବନ୍ଧା ହେଲେ ବେଆଇନ ଭାବେ ଭାରତରେ ପଶିଥିବା ୨ ଚାଇନିଜ ନାଗରିକ । ବିନା ଭିସାରେ ଭାରତରେ ପ୍ରବେଶ କରି ବେଆଇନ ଭାବେ ୧୫ ଦିନ କାଳ ଲୁଚି ରହିଥିବା ୨ ଜଣ ଚାଇନିଜ ନାଗରିକଙ୍କୁ ଗିରଫ କରିଛି ପୁଲିସ୍। ଏମାନେ ଦିଲ୍ଲୀ-ଏନସିଆର ରିଜନରେ ପ୍ରାୟ ୧୫ ଦିନ କାଳ ରହିଥିଲେ। କିନ୍ତୁ ସେମାନେ ବିହାର ସୀମା ଦେଇ ନେପାଳରେ ପ୍ରବେଶ କରିବାକୁ ଚାହୁଁଥିବା ବେଳେ ସୁରକ୍ଷାକର୍ମୀଙ୍କ ହାତରେ ଧରାପଡ଼ିଛନ୍ତି। ବିହାରର ସିତାମରହିର ଏସପି ହରିକିଶୋର ରାୟ କହିଛନ୍ତି, ଦୁଇ ବିଦେଶୀ ନାଗରିକଙ୍କୁ ରବିବାର ସଶସ୍ତ୍ର ସୀମା ବଳ(ଏସଏସବି) ପ୍ରଥମେ ଅଟକ ରଖିଥିଲା।
ଗିରଫ ୨୮ ବର୍ଷୀୟ ଲୁ ଲାଙ୍ଗ ଓ ୩୪ ବର୍ଷୀୟ ୟୁଆନ ହାଇଲଙ୍ଗଙ୍କ ଠାରୁ ଚାଇନିଜ ପାସପୋର୍ଟ ମିଳିଛି। କିନ୍ତୁ ସେମାନଙ୍କ ପାଖରେ କୌଣସି ଭିସା ନଥିଲା। ସେମାନେ ଗୋଟିଏ ଟ୍ୟାକ୍ସି ଯୋଗେ ପ୍ରଥମେ ବିହାର-ନେପାଳ ସୀମାନ୍ତରେ ପହଞ୍ଚିଥିଲେ। ଏହାପରେ ଚାଲିଚାଲି ସୀମା ପାର କରିବାକୁ ଚେଷ୍ଟା କରୁଥିବା ବେଳେ ଏସଏସବି ଉଭୟଙ୍କୁ ଧରିବାକୁ ସକ୍ଷମ ହୋଇଥିଲା।
