ଭୁବନେଶ୍ଵର (ସତ୍ୟପାଠ ବ୍ୟୁରୋ): ଉତ୍ତରାଖଣ୍ଡ ଆପକୁ ବଡ଼ ଝଟକା । ଆପ ଛାଡି ବିଜେପିର ହାତ ଧରିଲେ ପ୍ରଦେଶ ଅଧ୍ୟକ୍ଷ ଦୀପକ ବାଲି । ସେପଟେ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ଏବଂ ବିଜେପିର ପ୍ରଦେଶ ଅଧ୍ୟକ୍ଷ ମଦନ କୌଶିକଙ୍କ ସମେତ ରାଜ୍ୟ କାର୍ଯ୍ୟାଳୟର ଅଧିକାରୀଙ୍କ ଉପସ୍ଥିତିରେ ବାଲି ବିଜେପିରେ ଯୋଗ ଦେଇଛନ୍ତି। ପ୍ରାୟ ଦେଢ଼ ମାସ ପୂର୍ବେ ଉତ୍ତରାଖଣ୍ଡରେ ଆପର ଦାୟିତ୍ୱ ଗ୍ରହଣ କରିଥିବା ଦୀପକ ବାଲି ଦଳର ପ୍ରଦେଶ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇ ତାଙ୍କ ଇସ୍ତଫା ପତ୍ର ଆପ ମୁଖ୍ୟ ଅରବିନ୍ଦ କେଜ୍ରିୱାଲଙ୍କ ନିକଟକୁ ପଠାଇଛନ୍ତି। ଅରବିନ୍ଦ କେଜ୍ରିୱାଲଙ୍କ ନିକଟକୁ ପଠାଯାଇଥିବା ଚିଠିରେ ସେ ଲେଖିଛନ୍ତି ଯେ ଆମ୍ ଆଦମୀ ପାର୍ଟିର କାର୍ଯ୍ୟ ପ୍ରାଣାଳୀକୁ ନେଇ ମୁଁ ଅସହଜ ଅନୁଭବ କରୁଛି ଏବଂ ସେଥିପାଇଁ ଆମ୍ ଆଦମୀ ପାର୍ଟିର ଉତ୍ତରାଖଣ୍ଡ ପ୍ରଦେଶ ଅଧ୍ୟକ୍ଷ ପଦରୁ ଏବଂ ଦଳର ସଦସ୍ୟତାରୁ ମୁଁ ଇସ୍ତଫା ଦେଉଛି।

ଦୟାକରି ମୋର ଇସ୍ତଫା ଗ୍ରହଣ କରନ୍ତୁ। ତେବେ କାଶୀପୁରର ଜଣେ ବଡ ବ୍ୟବସାୟୀ ଥିବା ବାଲି ପ୍ରାୟ ଦୁଇ ବର୍ଷ ପୂର୍ବେ ଆପରେ ଯୋଗ ଦେଇଥିଲେ। ଗତ ବିଧାନସଭା ନିର୍ବାଚନରେ ​​ତାଙ୍କୁ ଉତ୍ତରାଖଣ୍ଡରେ ନିର୍ବାଚନ ପ୍ରଚାର କମିଟିର ସଭାପତି କରାଯାଇଥିଲା। ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶର ରାଜନୈତିକ ମାହ ଲ ବେଶ୍ ଚଳଚଞ୍ଚଳ ହୋଇ ଉଠିଛି ।