ପ୍ୟାରିସ୍‌: ଫ୍ରାନ୍‌ସ୍‌ ନିର୍ବାଚନ ରେ ସମ୍ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ହରାଇଛନ୍ତି ଫ୍ରାନ୍‌ସ୍‌ର ରାଷ୍ଟ୍ରପତି ଇମ୍ମାନୁଏଲ୍‌ ମାକ୍ରୋନ୍‌ । ନବଗଠିତ ବାମପନ୍ଥୀ ମେଣ୍ଟ ରବିବାର ଦିନ ଆୟୋଜିତ ନିର୍ବାଚନରେ ଗୁରୁତ୍ବପୂର୍ଣ୍ଣ ସଫଳତା ହାସଲ କରିଛି ।

ଫଳତଃ, ସେ ପରିକଳ୍ପନା କରିଥିବା ଦ୍ବିତୀୟ ପାଳିର ପ୍ରମୁଖ ସଂସ୍କାର ଯୋଜନା ପ୍ରତି ଶକ୍ତ ଧକ୍କା ଲାଗିଛି।
ମାକ୍ରୋନ୍‌ ଅନ୍ୟ କୌଣସି ରାଜନୈତିକ ଦଳଗୁଡ଼ିକ ସହିତ ମେଣ୍ଟ କରିବା ଲାଗି ବୁଝାମଣା ନ କରିବା ପର୍ଯ୍ୟନ୍ତ ଦେଶରେ ରାଜନୈତିକ ଅଚଳାବସ୍ଥା ସୃଷ୍ଟି ହୋଇପାରେ ବୋଲି ବିଶେଷଜ୍ଞମାନେ କହୁଛନ୍ତି।

ଅବସର ବୟସସୀମା ବୃଦ୍ଧି, ଟିକସ କାଟ, ଜନକଲ୍ୟାଣମୂଳକ ସଂସ୍କାର ଏବଂ ୟୁରୋପୀୟ ସଂଘର ଐକ୍ୟବଦ୍ଧତାକୁ ଆହୁରି ନିବିଡ଼ କରିବା ଲାଗି ଚାହୁଁଥିବା ମାକ୍ରୋନ୍‌ଙ୍କ ‘ସେଣ୍ଟ୍ରିଷ୍ଟ୍‌ ଏନ୍‌ସେମ୍ବଲ୍‌ କୋଏଲିସନ୍‌’ ରବିବାର ଦିନ ଆୟୋଜିତ ନିର୍ବାଚନରେ ସବୁ ଆସନ ହାସଲ କରିବା ଦିଗରେ ଅଗ୍ରସର ହେଉଥିଲା।

କିନ୍ତୁ, ଚୂଡ଼ାନ୍ତ ଫଳାଫଳ ବାହାରିଲା ବେଳକୁ ‌ଜଣାପଡ଼ିଲା, ସେମାନେ ସଂସଦକୁ ନିୟନ୍ତ୍ରଣ କରିବା ପାଇଁ ଆବଶ୍ୟକ ପୂର୍ଣ୍ଣ ସଂଖ୍ୟା ଗରିଷ୍ଠତା ହାସଲ କରିବାରେ ବିଫଳ ହୋଇଛନ୍ତି।

ପ୍ରତିକ୍ରିୟା ବ୍ୟକ୍ତ କରି ଅର୍ଥମନ୍ତ୍ରୀ ବ୍ରୁନୋ ଲି ମେୟାର୍‌ ନିର୍ବାଚନ ଫଳାଫଳକୁ ‘ଗଣତାନ୍ତ୍ରିକ ଆଘାତ’ ବୋଲି କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ, ଯଦି ଅନ୍ୟ ଦଳ ସବୁ ସହଯୋଗ ନ କରନ୍ତି ତେବେ, ଫ୍ରନ୍‌ସ୍‌କୁ ସଂସ୍କାର ଏବଂ ସୁରକ୍ଷା କରିବା ନିମନ୍ତେ ଆମର କ୍ଷମତା ମଧ୍ୟ ଅବରୋଧ ହୋଇଯିବ।

ପ୍ୟାରିସ୍‌ ପାନ୍ଥେଅନ୍‌-ସର୍ବୋନ୍‌ ବିଶ୍ବବିଦ୍ୟାଳୟର ଆଇନ ବିଭାଗ ପ୍ରଧ୍ୟାପକ ଡୋମିନିକି ରୁଷୋ କହିଛନ୍ତି, ନିର୍ବାଚନ ଫଳାଫଳ ସଂସ୍କାରକୁ ଜଟିଳ କରିପକାଇବ। ଶାସନ କରିବା ଖୁବ୍‌ କଷ୍ଟକର ହୋଇପଡ଼ିବ।