ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଆତ୍ମହତ୍ୟା ପୂର୍ବରୁ ଥରେ ମଞ୍ଚେଶ୍ୱର ଥାନାକୁ ଯାଇଥିଲେ ରାଇମୋହନ । ରାଇମୋହନ ଥାନାକୁ ଯିବା ନେଇ ସୂଚନା ଦେଇଛନ୍ତି ଭୁବନେଶ୍ୱର ଡିସିପି ପ୍ରତୀକ ସିଂହ। ହେଲେ ସେ କାହିଁକି ଥାନାକୁ ଯାଇଥିଲେ, ସେ ସମ୍ପର୍କରେ ଡିସିପି କିଛି କହି ନାହାନ୍ତି। ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନରେ ସେ କହିଛନ୍ତି, ବ୍ୟକ୍ତିଗତ କାମ ପାଇଁ ରାଇମୋହନ ପରିଡ଼ା ଥାନାକୁ ଯାଇଥିଲେ। ତା’ ସହିତ ଏହାର(ଆତ୍ମହତ୍ୟାର) କିଛି ସମ୍ପର୍କ ନାହିଁ। ସେ କେଉଁ କାରଣରୁ ଥାନାକୁ ଆସିଥିଲେ, ସେ ବିଷୟରେ କହିପାରିବୁ ନାହିଁ। ଡିସିପି ଆହୁରି କହିଛନ୍ତି ଯେ ରାଇମୋହନ ଡ୍ରିପେସନ୍ରେ ଥିବା ପରି ତଦନ୍ତରୁ ଜଣାପଡ଼ିଛି। ତେବେ ସେ ଡିପ୍ରେସନରେ ଥିବା ପଛର କାରଣ ସଂପର୍କରେ ତାଙ୍କ ପରିବାର ଲୋକେ ନିର୍ଦ୍ଦିଷ୍ଟ ଭାବେ କିଛି କହିପାରୁ ନାହାନ୍ତି। ଏଠି ପ୍ରଶ୍ନ ଉଠୁଛି, କ’ଣ ସେହି ବ୍ୟକ୍ତିଗତ କାରଣ? ସତରେ କ’ଣ ସେହି କାରଣ ସହିତ ତାଙ୍କ ଆତ୍ମହତ୍ୟାର କିଛି ସଂପର୍କ ନାହିଁ? ସେହି ବ୍ୟକ୍ତିଗତ କାରଣ ସହିତ ଡିପ୍ରେସନ୍ର କିଛି ଲିଙ୍କ୍ ଥିଲା କି ନାହିଁ? ଅନ୍ୟପକ୍ଷରେ ରାଇମୋହନଙ୍କ ଆତ୍ମହତ୍ୟାର କାରଣ ପାରିବାରିକ ଗଣ୍ଡଗୋଳ ନା ଅନ୍ୟକିଛି, ଏପରି ନାନା କଳ୍ପନାଜଳ୍ପନା ଲାଗି ରହିଛି। ଡିସିପି କହିଛନ୍ତି, ମଞ୍ଚେଶ୍ୱର ଆଇଆଇସିଙ୍କ ଦ୍ୱାରା ବିଭିନ୍ନ ଦିଗରୁ ତଦନ୍ତ କରାଯାଉଛି। ପରିବାର, ପଡ଼ୋଶୀ, ଡ୍ରାଇଭର ଓ ପରିଚିତ ଲୋକଙ୍କୁ ପଚରାଉଚରା କରାଯାଇଛି।
ମୃତ୍ୟୁ ପୂର୍ବରୁ ରାଇମୋହନଙ୍କ ବ୍ୟବହାର କେମିତି ଥିଲା? ତାଙ୍କ କଥାବାର୍ତ୍ତା କେମିତି ଥିଲା? ଏମିତି ଅନେକ ପ୍ରଶ୍ନ ପଚରାଯାଉଛି। ଏହାଛଡ଼ା ସାଇଣ୍ଟିଫିକ୍ ତଦନ୍ତ ମଧ୍ୟ ଚାଲୁଛି। ରାଇମୋହନଙ୍କ ଫୋନ ଜବତ କରାଯାଇଛି। ସେଥିରୁ କିଛି ସୁରାକ ମିଳିପାରେ ବୋଲି କହିଛନ୍ତି। ପୋଷ୍ଟମର୍ଟମ ରିପୋର୍ଟ ଆସିଲେ, ମୃତ୍ୟୁର କାରଣ ଅଧିକ ସ୍ପଷ୍ଟ ହେବ। ରାଇମୋହନ ପରିଡ଼ା ହେଉଛନ୍ତି ଜଣେ ମଲ୍ଟି ଟ୍ୟାଲେଣ୍ଟେଡ୍ ଅଭିନେତା। ସେ କେବଳ ଓଲିଉଡ୍ରେ ସକ୍ରିୟ ନଥିଲେ। ଟିଭି ସିରିଏଲ୍ ଓ ଯାତ୍ରା ଇଣ୍ଡଷ୍ଟ୍ରୀରେ ବ୍ୟସ୍ତ ଥିଲେ। ଯାତ୍ରାରେ ଅଭିନୟ ସହିତ ନିର୍ଦ୍ଦେଶନା ଦେଉଥିଲେ। ତାଙ୍କ ନାଁରେ ମଞ୍ଚ ପାଖକୁ ଭିଡି ହୋଇ ଆସୁଥିଲେ ଦର୍ଶକ। ରାତି ରାତି ଅନିଦ୍ରା ରହି ଦେଖୁଥିଲେ ନାଟକ। ଏଥିପାଇଁ ତାଙ୍କୁ ଭଲ ପାରିଶ୍ରମିକ ମିଳୁଥିବା ଆଲୋଚନା ହେଉଛି। ଏପରି ଜଣେ ସଫଳ ଅଭିନେତା କାହିଁକି ଅବସାଦରେ ରହିଲେ? ତାହା ଏବେ ସନ୍ଦେହ ଘେରରେ ରହିଛି।
