ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଆସନ୍ତୁ ଜୁଲାଇ ୧ ତାରିଖରୁ ସାରା ଦେଶରେ ନିଷିଦ୍ଧ ହେବ ସିଙ୍ଗଲ ୟୁଜ ପ୍ଲାଷ୍ଟିକ । ତେବେ ପ୍ଲାଷ୍ଟିକ ଯୋଗୁଁ ହେଉଥିବା ପରିବେଶ ପ୍ରଦୂଷଣକୁ ରୋକିବା ଓ ନିଜର ଅନ୍ତର୍ଜାତୀୟ ପରିବେଶ ସୁରକ୍ଷା ଲକ୍ଷ୍ୟ ହାସଲ ପାଇଁ ଭାରତ ଏହି ପଦକ୍ଷେପ ନେବାକୁ ଯାଉଛି । ଏକ ନିର୍ଦ୍ଦିଷ୍ଟ ମାନଦଣ୍ଡ ବିଶିଷ୍ଟ ସିଙ୍ଗଲ ୟୁଜ୍ ପ୍ଲାଷ୍ଟିକର ଉତ୍ପାଦନ, ଆମଦାନୀ, ବିକ୍ରି ଓ ବ୍ୟବହାର ଉପରେ ନିଷେଧାଜ୍ଞା ଲାଗିବ । ସେପଟେ ସରକାରଙ୍କ ଏହି ନିଷ୍ପତ୍ତିକୁ ବିରୋଧକରିଛି ପ୍ଲାଷ୍ଟିକ ସାମଗ୍ରୀ ଉତ୍ପାଦନକାରୀ ଶିଳ୍ପ ସଂଘ ଆଇଏଟିଏ । ସରକାର ଗୋଟିଏ ଥରରେ ସବୁପ୍ରକାରର ସିଙ୍ଗଲ ୟୁଜ୍ ପ୍ଲାଷ୍ଟିକ ଉପରେ ନିଷେଧାଜ୍ଞା ଲଗାଇବା ବଦଳରେ ପର୍ୟ୍ୟାୟକ୍ରମେ କଟକଣା ଲଗାନ୍ତୁ ବୋଲି ସଂଘ ଦାବି କରିଛି । ସୂଚନାଯୋଗ୍ୟ ଯେ, ସମଗ୍ର ବିଶ୍ବରେ ସିଙ୍ଗଲ ୟୁଜ୍ ପ୍ଲାଷ୍ଟିକ ଏକ ବଡ଼ ପରିବେଶ ସମସ୍ୟା ଭାବେ ଦେଖାଦେଇଛି ।
ଏହା କେବଳ ସ୍ଥଳଭାଗ ନୁହେଁ, ସମୁଦ୍ରକୁ ମଧ୍ୟ ପ୍ରଦୂଷିତ କରୁଛି । ପୂର୍ବରୁ କେନ୍ଦ୍ର ସରକାର ଓ ରାଜ୍ୟ ସରକାରମାନେ ଏ ଧରଣର ପ୍ଲାଷ୍ଟିକ ଉପରେ କଟକଣା ଲଗାଇବାକୁ ଉଦ୍ୟମ କରିଥିଲେ ବି ତାହା ବିଶେଷ ଫଳପ୍ରସୂ ହୋଇପାରି ନାହିଁ । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏନେଇ ଚର୍ଚ୍ଚା ଜୋର ଧରିବାରେ ଲାଗିଛି ।
