ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଅବକାରୀ ବିଭାଗର ତିନି ପାହ୍ୟାକୁ ଖାକି ପୋଷାକ । ତେବେ ଅବକାରୀ ବିଭାଗରେ ବରିଷ୍ଠ ଅଧିକାରୀ ପାହ୍ୟାରେ ଥିବା ଅତିରିକ୍ତ କମିସନର, ଯୁଗ୍ମ କମିସନର ଏବଂ ଡେପୁଟି କମିସନର ପାହ୍ୟାର ଅଧିକାରୀଙ୍କୁ ଖାକି ପୋଷାକ ପିନ୍ଧିବାକୁ ଗୃହ ବିଭାଗ ନିର୍ଦ୍ଦେଶନାମା ଜାରି କରିଛି। ଏହି ତିନୋଟି ପାହ୍ୟାରେ ଥିବା ୧୧ ବରିଷ୍ଠ ଅବକାରୀ ଅଧିକାରୀଙ୍କୁ ପୋଷାକ ପିନ୍ଧିବାକୁ ନିର୍ଦ୍ଦେଶନାମାରେ ଦର୍ଶାଯାଇଛି। ଏମାନଙ୍କୁ ପୁଲିସ ଭଳି ପ୍ରତ୍ୟେକ ବର୍ଷ ପୋଷାକ ଭତ୍ତା ପ୍ରଦାନ କରାଯିବା ନେଇ ନିଷ୍ପତ୍ତି ହୋଇଥିବା ସୂଚନା ମିଳିଛି। ଅବକାରୀ ବିଭାଗ ଆରମ୍ଭ ପରଠାରୁ ଡେପୁଟି ଅବକାରୀ କମିସନର ପଦବି ଥିବାବେଳେ ସେମାନଙ୍କୁ କିନ୍ତୁ ଖାକି ପୋଷାକ ପିନ୍ଧିବାକୁ ଅନୁମତି ମିଳି ନଥିଲା। ସମୟକ୍ରମେ ବିଭାଗ ସହିତ ଯୁଗ୍ମ କମିସନର, ଅତିରିକ୍ତ କମିସନର ପଦବି ଯୋଡ଼ି ହୋଇଥିଲା।
ଏହି ତିନୋଟି କ୍ୟାଡରରେ ଥିବା ୧୧ ଜଣ ଅବକାରୀ ଅଧିକାରୀଙ୍କୁ ଖାକି ପୋଷାକ ପିନ୍ଧିବାକୁ ଅନୁମତି ମିଳି ନଥିବା ସଂକ୍ରାନ୍ତରେ ‘ସମ୍ବାଦ’ରେ ଗଲା ଏପ୍ରିଲ ୬ ତାରିଖରେ ଏକ ରିପୋର୍ଟ ପ୍ରକାଶ ପାଇଥିଲା। ଏହି ରିପୋର୍ଟ ପ୍ରକାଶ ପାଇବା ପରେ ଅବକାରୀ ବିଭାଗ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଥିବା ସୂଚନା ମିଳିଛି। ଅବକାରୀ ବିଭାଗ ଏସପି ପାହ୍ୟାରୁ କନଷ୍ଟେବଳ ପାହ୍ୟା ପର୍ୟ୍ୟନ୍ତ ୨୧ ଶହ ୯୫ ଅଧିକାର ଓ କର୍ମଚାରୀଙ୍କୁ ବି ଖାକି ପୋଷାକ ବାବଦ ଭତ୍ତା ପ୍ରଦାନ କରାଯିବାକୁ ଏହି ଚିଠିରେ ଦର୍ଶାଯାଇଛି। ଏସ୍ପି ଓ ଡିଏସପି ପାହ୍ୟାର ଅଧିକାରୀଙ୍କୁ ଏଥିରୁ ବାଦ୍ ଦିଆଯାଇଥିଲା ବେଳେ ପୁନଃବିଚାରବିମର୍ଶ କରି ଏ ସଂକ୍ରାନ୍ତରେ ଗୃହ ବିଭାଗ ଅନୁମୋଦନ କରିଛି। ଏ ଖବର ସାମ୍ନାକୁ ଆସିବା ପରେ ସାରା ରାଜ୍ୟରେ ଏନେଇ ଚର୍ଚ୍ଚା ଜୋର ଧରିବାରେ ଲାଗିଛି ।
