ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ମୃତ୍ୟୁକାଳୀନ ସହାୟତା ରାଶି ବାବଦକୁ ରିପୋର୍ଟ ଦେବା ପାଇଁ ଜଣେ ବ୍ୟକ୍ତିଙ୍କ ଠାରୁ ୧୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ରାଜସ୍ୱ ନିରୀକ୍ଷକ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି। ଅଭିଯୁକ୍ତ ରାଜସ୍ୱ ନିରୀକ୍ଷକ ହେଲେ ଡଲି ସେଠୀ। ତେବେ ବଇଞ୍ଚା ଆର୍ଆଇ ଡଲି ସେଠୀ ମୃତ୍ୟୁକାଳୀନ ସହାୟତାର ରାଶି ବାବଦକୁ ରିପୋର୍ଟ ଦେବା ପାଇଁ ୩୦ ହଜାର ଟଙ୍କା ଦାବି କରିଥିଲେ।ପ୍ରଥମ ପର୍ଯ୍ୟାୟରେ ୧୦ ହଜାର ଟଙ୍କା ନେଉଥିବା ବେଳେ ଭିଜିଲାନ୍ସ ବିଭାଗର ଅଧିକାରୀମାନେ ଅତର୍କିତ ଭାବେ ଚଢ଼ଉ କରି ତାଙ୍କୁ ଗିରଫ କରିଛନ୍ତି।
ସୂଚନା ଅନୁସାରେ ବାଲେଶ୍ଵର ସଦର ବ୍ଲକ ପାଖରାବାଡ଼ ପଞ୍ଚାୟତର ନୀଶ୍ଚିନ୍ଦା ଗ୍ରାମର ଦୀନବନ୍ଧୁ ବେହେରାଙ୍କ ସାଢେ଼ ୩ ବର୍ଷର ପୁଅ ଦାଣ୍ଡରେ ଖେଳୁଥିବା ସମୟରେ ପୋଖରୀରେ ବୁଡି ମୃତ୍ୟୁ ହୋଇଥିଲା। ଏହି ଘଟଣା ଗତ ଏପ୍ରିଲ ମାସ ୧୨ରେ ଘଟିଥିଲା ।ତେବେ ପୁଅର ମୃତ୍ୟୁକାଳୀନ ସହାୟତା ରାଶି ପାଇଁ ଦୀନବନ୍ଧୁ ସ୍ଥାନୀୟ ବଇଞ୍ଚା ଆର୍ଆଇଙ୍କ ନିକଟକୁ ଯାଇଥିଲେ। ବଇଞ୍ଚା ଆର୍ଆଇ ଡଲି ସେଠୀ କଗଜ ପାତ୍ର ବାବଦକୁ ଦୀନବନ୍ଧୁଙ୍କୁ ୩୦ ହଜାର ଟଙ୍କା ଦାବି କରିଥିବା ବେଳେ ପ୍ରଥମ ପର୍ଯ୍ୟାୟରେ ୧୦ ହଜାର ଟଙ୍କା ମାଗିଥିଲେ। ପରେ ଦୀନବନ୍ଧୁ ଭିଜିଲାନ୍ସର ଦ୍ବାରସ୍ଥ ହୋଇ ଅଭିଯୋଗ କରିଥିଲେ । ଆଜି ଯୋଜନା ଅନୁସାରେ ଦୀନବନ୍ଧୁ ଆର୍ଆଇ ଡଲି ସେଠୀଙ୍କ ଦାବି ମୁତାବକ ୧୦ ହଜାର ଟଙ୍କା ନେଇ ପହଞ୍ଚି ଥିଲେ। ଶ୍ରୀମତୀ ସେଠିଙ୍କ ନିକଟକୁ ଦୀନବନ୍ଧୁ ପହଞ୍ଚିବାର ଅଳ୍ପ ସମୟ ପରେ ଭିଜିଲାନ୍ସ ଅଧିକାରୀମାନେ ଅତର୍କିତ ଭାବେ ଚଢ଼ଉ କରି ତାଙ୍କୁ ଗିରଫ କରିଥିଲେ।
