ନୂଆଦିଲ୍ଲୀ: ଦେଶରେ ଭୂତଳ ଜଳ ଏବେ ଧିରେ ଧିରେ ଅତି ଖରାପ ହେବାରେ ଲାଗିଛି। ବିଭିନ୍ନ ରାଜ୍ୟରେ ଭୂତଳ ଜଳର ମାତ୍ର କମୁଥିବା ବେଳେ, ଏବେ ଦୂଷିତ ହେବାରେ ମଧ୍ୟ ଲାଗିଛି । ନିର୍ଦ୍ଧାରିତ ମାନକଠାରୁ ମଧ୍ୟ ଭୂତଳ ଜଳରେ ଅଧିକ ପରିମାଣରେ ବିଷାକ୍ତ ଧାତବ ପଦାର୍ଥ ରହୁଥିବାରୁ ଏହା ସ୍ବାସ୍ଥ୍ୟ ପାଇଁ ଅତ୍ୟନ୍ତ କ୍ଷତିକାରକ।

ତେବେ ଦୂଷିତ ଜଳ ପିଇବାକୁ ନେଇ କେନ୍ଦ୍ର ସରକାର ରାଜ୍ୟସଭାରେ ଏ ବାବଦରେ ବିସ୍ତୃତ ତଥ୍ୟ ଉପସ୍ଥାପନ କରିଛନ୍ତି।। କେନ୍ଦ୍ର ଜଳ ଶକ୍ତି ମନ୍ତ୍ରାଳୟର ତଥ୍ୟ ଅନୁଯାୟୀ ଦେଶରେ ୮୦ ପ୍ରତିଶତରୁ ଅଧିକ ଲୋକ ଭୂତଳ ଜଳ ପିଉଛନ୍ତି। ‌ଯଦି ଭୂତଳଜଳରେ ଧାତୁର ପରିମାଣ ନିର୍ଦ୍ଧାରିତ ମାନକଠାରୁ ଅଧିକ ରହୁଛି ତେବେ ଏହାର ଅର୍ଥ ହେଉଛି ୮୦ ପ୍ରତିଶତ ଲୋକ ଦୂଷିତ ଜଳ ପିଉଛନ୍ତି।
ସରକାରଙ୍କ ତଥ୍ୟ ଅନୁଯାୟୀ ପ୍ରାୟ ସବୁ ରାଜ୍ୟରେ ଅଧିକାଂଶ ଜିଲ୍ଲାରେ ଭୂତଳ ଜଳରେ ଅତି ମାତ୍ରାରେ ବିଷାକ୍ତ ଧାତୁ ରହୁଛି। ୨୫ଟି ରାଜ୍ୟରେ ୨୦୯ ଜିଲ୍ଲାର କିଛି ଅଂଶରେ ଭୂତଳ ଜଳରେ ଆର୍ସେନିକ ପରିମାଣ ପ୍ରତି ଲିଟର ପିଛା ୦.୦୧ ମିଲିଗ୍ରାମରୁ ଅଧିକ ଅଛି। ସେହିପରି ୨୯ ରାଜ୍ୟରେ ୪୯୧ ଜିଲ୍ଲାର କିଛି ଅଂଶରେ ଭୂତଳ ଜଳରେ ଆଇରନ ପରିମାଣ ପ୍ରତି ଲିଟର ପିଛା ୧ ମିଲିଗ୍ରାମରୁ ଅଧିକ ରହିଛି। ୧୧ ରାଜ୍ୟର ୨୯ ଜିଲ୍ଲାର କିଛି ଅଂଶରେ ଭୂତଳ ଜଳରେ କାଡମିୟମ ପରିମାଣ ପ୍ରତି ଲିଟର ପିଛା ୦.୦୦୩ ମିଲିଗ୍ରାମରୁ ଅଧିକ ରହିଛି। ୧୬ ରାଜ୍ୟର ୬୨ ଜିଲ୍ଲାର କିଛି ଅଂଶରେ ଭୂତଳ ଜଳରେ କ୍ରୋମିୟମ ପରିମାଣ ପ୍ରତି ଲିଟର ପିଛା ୦.୦୫ ମିଲିଗ୍ରାମରୁ ଅଧିକ ଅଛି। ୧୮ ରାଜ୍ୟର ୧୫୨ ଜିଲ୍ଲାରେ କିଛି ଅଂଶରେ ମଧ୍ୟ ଭୂତଳ ଜଳରେ ୟୁରାନିୟମ ପରିମାଣ ପ୍ରତି ଲିଟର ପିଛା ୦.୦୩ ମିଲିଗ୍ରାମରୁ ଅଧିକ ଅଛି।

ଦେଶର ୬୭୧ଟି ଅଞ୍ଚଳ ‌ଫ୍ଲୋରାଇଡ୍‌ ଦ୍ବାରା ପ୍ରଭାବିତ। ୮୧୪ ଅଞ୍ଚଳ ଆାର୍ସେନିକ, ୧୬,୦୭୯ ଅଞ୍ଚଳ ଆଇରନ, ୯,୯୩୦ ଅଞ୍ଚଳ ସାଲିନିଟି, ୫୧୭ ଅଞ୍ଚଳ ନାଇଟ୍ରେଟ୍‌ , ୧୧୧ ଅଞ୍ଚଳ ଭାରି ଧାତୁ ଦ୍ବାରା ପ୍ରଭାବିତ। ସହର ତୁଳନା‌ରେ ଗାଁରେ ଏହି ସମସ୍ୟା ଅଧିକ। ଭାରତର ଅଧା ଜନସଂଖ୍ୟା ଗାଁରେ ରହୁଛନ୍ତି। ଏଠାରେ ପାନୀୟ ଜଳର ମୁଖ୍ୟ ଉତ୍ସ ହେଉଛି ହ୍ୟାଣ୍ଡ ପମ୍ପ୍‌, କୂଅ , ନଦୀ ଏବଂ ପୋଖରୀ। ଏଠାରେ ଜଳ ସିଧାସଳଖ ମାଟିରୁ ଆସୁଛି। ଗାଁରେ ପାନୀୟ ଜଳ ବିଶୁଦ୍ଧ କରିବାପାଇଁ କୌଣସି ଉପାୟ ମଧ୍ୟ ନାହିଁ। ‌ତେଣୁ ଲୋକମାନେ ବିଷାକ୍ତ ଜଳ ପିଇବାପାଇଁ ବାଧ୍ୟ ହେଉଛନ୍ତି।

ଭୂତଳଜଳ କିଭଳି ସ୍ବାସ୍ଥ୍ୟ ପାଇଁ କ୍ଷତିକାରକ
– ଅତ୍ୟଧିକ ଆର୍ସେନିକ ଦ୍ବାରା ଚର୍ମ ରୋଗ ଏବଂ କର୍କଟ ହେବା ବିପଦ ଅଧିକ ରହିଛି
– ଅତିରିକ୍ତ ଆଇରନ ଅଲ୍‌ଜାଇମର ଏବଂ ପାର୍କିନସନ ଭଳି ରୋଗ ବଢ଼ାଇବ
– ଜଳରେ ଅତି ପରିମାଣରେ ଶିସା ରହିବା ଦ୍ବାରା ଏହା ଆମ ସ୍ନାୟୁ ବ୍ୟବସ୍ଥା ଉପରେ ପ୍ରଭାବ ପକାଇବ
– ଉଚ୍ଚ ସ୍ତରର କାଡମିୟମ କିଡ୍‌ନି ରୋଗର ବିପଦ ବଢ଼ାଇବ
– ଅତ୍ୟଧିକ କ୍ରୋମିୟମ ଟ୍ୟୁମର ବିପଦ ବଢ଼ାଇବ
– ଅତ୍ୟଧିକ ପରିମାଣ ୟୁରାନିୟମ ମଧ୍ୟ କିଡନି ରୋଗ ଏବଂ କର୍କଟ ରୋଗ ଭଳି ବିପଦ ବଢ଼ାଇବ।