ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଗତ ସୋମବାର କେନ୍ଦୁଝର ଜିଲାର ତେଲକୋଇ ବ୍ଲକରେ ଏସ୍‌ଟି କମିଶନ ସଦସ୍ୟ ଅନନ୍ତ ନାୟକ ଆଦିବାସୀଙ୍କ ବିଭିନ୍ନ ସମସ୍ୟାକୁ ନେଇ ଜନଶୁଣାଣି ପାଇଁ ଯାଇଥିଲେ। ଏହି ସମୟରେ ବଳଭଦ୍ରପୁର ଏବଂ ଓରିଆ ଅଞ୍ଚଳରେ ଶାସକ ଦଳର ନେତାଙ୍କ ଦ୍ୱାରା କିଛି ପ୍ରାୟୋଜିତ ଆଦିବାସୀ ଲୋକ ଅନନ୍ତ ନାୟକଙ୍କୁ ଅଟକାଇବା ସହ ତାଙ୍କ ବିରୋଧରେ ସ୍ଲୋଗାନ ଦେଇଥିଲେ ବୋଲି ଅଭିଯୋଗ ହୋଇଥିଲା।ଏହାପରେ ଏହି ଘଟଣାକୁ ନେଇ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝି ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟସରକାରଙ୍କୁ ଟାର୍ଗେଟ କରିଛନ୍ତି। ଘଟଣାକୁ ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି କହିବା ସହ ରାଜ୍ୟରେ ସାମ୍ବିଧାନିକ ଶାସନ ଚାଲୁନଥିବା ମୋହନ କହିଛନ୍ତି।

ଏସ୍‌ଟି କମିଶନ ସଦସ୍ୟଙ୍କୁ ଜିଲା ପ୍ରଶାସନ ସୁରକ୍ଷା ଦେବାରେ ବିଫଳ ହୋଇଛି। ରାଜ୍ୟର ଗୁଇନ୍ଦା ବିଭାଗ ବାରମ୍ବାର ବିଫଳ ହେଉଛି କାହିଁକି ।କାଞ୍ଜିପାଣି ପୋଲିସ ଷ୍ଟେଶନର ୧୦୦ ମିଟର ଦୂରରେ ଘଟଣା ଘଟିବା ଓ ପୂର୍ବରୁ ଅନୁମତି ନ ନେଇ ଏତେ ଲୋକ ରୁଣ୍ଡ ହେବା ପୋଲିସ ବିଭାଗ କେମିତି ଜାଣିପାରିଲା ନାହିଁ ବୋଲି ମୋହନ ପ୍ରଶ୍ନ କରିଛନ୍ତି। ସରକାର ଏବଂ ସ୍ଥାନୀୟ ପ୍ରଶାସନର ଅସଲ ମୁଖା ଖୋଲିଯିବା ଭୟରେ ଅସ୍ତବ୍ୟସ୍ତ ହୋଇ ଜିଲା ପ୍ରଶାସନ ଏଭଳି ଘଟଣା ଘଟାଇବାରେ ପ୍ରଚ୍ଛଦପଟ ନାୟକ ସାଜିଛି ବୋଲି ସେ ଅଭିଯୋଗ କରିଛନ୍ତି। ଏକ ସପ୍ତାହ ତଳେ ହରିଚନ୍ଦନପୁରରେ ମଧ୍ୟ ଶ୍ରୀ ନାୟକଙ୍କୁ ବିରୋଧ କରାଯାଇଥିଲା । ଶାସକ ବିଜେଡିର କିଛି ନେତା ଓ କର୍ମୀ ପ୍ରାୟୋଜିତ ଭାବେ ଏଭଳି ବିରୋଧ କରିବା ସହିତ ଜନଜାତି କମିଶନଙ୍କ କାମରେ ବାଧା ସୃଷ୍ଟି କରୁଛନ୍ତି ବୋଲି ମୋହନ କହିଛନ୍ତି। ଜନଜାତି ସ୍ବାର୍ଥ ବିରୋଧୀ କାର୍ଯ୍ୟରୁ ରାଜ୍ୟ ସରକାର ନିବୃତ୍ତ ନ ହେଲେ ଭାଜପା ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରିବ ବୋଲି ମାଝି କହିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ଉପସଭାପତି ତଥା ରେଙ୍ଗାଲି ବିଧାୟକ ନାଉରୀ ନାୟକ, ଆଦିବାସୀ ମୋର୍ଚ୍ଚାର ରାଜ୍ୟ ସଭାପତି ତଥା ବିଧାୟକ ନିତ୍ୟାନନ୍ଦ ଗଣ୍ଡ ପ୍ରମୁଖ ଉପସ୍ଥିତ ଥିଲେ।