ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ପାତ୍ରା ଚଲ ଜମି ଦୁର୍ନୀତି ମାମଲାରେ ସଞ୍ଜୟ ରାୱତଙ୍କ ପାଇଁ ଅଡୁଆ ବଢିବାରେ ଲାଗିଛି । ଏବେ ଇଡି ପକ୍ଷରୁ ସଞ୍ଜୟ ରାୱତଙ୍କ ରିମାଣ୍ଡ ଅବଧି ଅଗଷ୍ଟ ୮ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । ଇଡି ତରଫରୁ ସଞ୍ଜୟ ରାୱତଙ୍କ କଷ୍ଟଡି ଅବଧି ଅଗଷ୍ଟ ୧୦ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ କୋର୍ଟରେ ଆବେଦନ କରିଥିଲେ । ସୂଚନା ଅନୁସାରେ ଆଜି ସଞ୍ଜୟ ରାୱତଙ୍କ ରିମାଣ୍ଡ ଅବଧି ସମାପ୍ତ ହେଉଥିବାରୁ ଇଡି ତରଫରୁ ତାଙ୍କୁ ସ୍ପେଶାଲ କୋର୍ଟରେ ହାଜର କରାଯାଇଥିଲା । ଏହାପରେ ଅଦାଲତ ତରଫରୁ ତାଙ୍କ ରିମାଣ୍ଡ ଅବଧି ୫ ଦିନ ଅର୍ଥାତ ଅଗଷ୍ଟ ୮ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି ।
ଉଲ୍ଲେଖଯୋଗ୍ୟ ଯେ, ପାତ୍ରା ଚଲ ଜମି ଦୁର୍ନୀତି ମାମଲାରେ ଇଡି ବାରମ୍ବାର ନୋଟିସ କରିବା ପରେ ସଞ୍ଜୟ ରାୱତ ଇଡିରେ ହାଜର ହୋଇ ନଥିଲେ । ଏହାପରେ ଜୁଲାଇ ୩୧ ତାରିଖ ଦିନ ଇଡି ପକ୍ଷରୁ ଦିନ ତମାମ ସଞ୍ଜୟ ରାୱତଙ୍କ ବିଭିନ୍ନ ଠିକଣାରେ ଚଢାଉ କରିବା ସହ ସନ୍ଧ୍ୟାରେ ସଂଜୟଙ୍କୁ ହେପାଜତକୁ ନେଇ ପଚରା ଉଚରା କରିଥିଲା ।ମାତ୍ର ଏହି ଦୁର୍ନୀତିରେ ତାଙ୍କର ସଂପର୍କ ନଥିବା କଥା ସଞ୍ଜୟ ବାରମ୍ବାର ଗଣମାଧ୍ୟମ ଆଗରେ କହିଛନ୍ତି । ଏହାସହ ସେ କେନ୍ଦ୍ର ସରକାରଙ୍କୁ ବି ଟାର୍ଗେଟ କରିଛନ୍ତି । ସେ କହିଛନ୍ତି କି ରାଜନୈତିକ ବିରୋଧୀଙ୍କ ସ୍ୱରକୁ ଚପାଇବା ପାଇଁ କେନ୍ଦ୍ର ସରକାର ଜାତୀୟ ଏଜେନ୍ସିଗୁଡିକର ଅପବ୍ୟବହାର କରୁଛନ୍ତି । ଏହାସହ କୌଣସି ପରିସ୍ଥିତିରେ ସେ ଶିବସେନା ଛାଡିବେ ନାହିଁ ବୋଲି ସଞ୍ଜୟ ରାୱତ ସ୍ପଷ୍ଟ କରିଥିଲେ ।
