ନୂଆଦିଲ୍ଲୀ: ବାଂଲାଦେଶ ଓ ମିଆଁମାର୍‌ ଉପକୂଳ ଅନ୍ତର୍ଗତ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଏବଂ ସଂଲଗ୍ନ ଅଞ୍ଚଳ ଉପରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଆଜି ଭୋର୍‌ ୫.୩୦ରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଥିବା କଥା ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଛି।

ଉପରୋକ୍ତ ଲଘୁଚାପ କ୍ଷେତ୍ର ପଶ୍ଚିମ-ଉତ୍ତରପଶ୍ଚିମ ଦିଗ ଆଡ଼କୁ ଗତିକରି ଆଗାମୀ ୧୨ ଘଣ୍ଟା ମଧ୍ୟରେ ଆହୁରି ସୁଦୃଶ ହେବା ସହିତ ପରବର୍ତ୍ତୀ ୨୪ ଘଣ୍ଟା ମଧ୍ୟରେ ଘନୀଭୂତ ହୋଇ ଗଭୀର ଅବପାତ ହୋଇଯିବାର ସମ୍ଭାବନା ଅଛି।

ଏହି ଲଘୁଚାପ କ୍ଷେତ୍ର ବା ଘୂର୍ଣ୍ଣିବଳୟ କ୍ରମଶଃ ସକ୍ରିୟ ହେଉଥିବାରୁ ଓଡ଼ିଶାରେ ଆଜିଠାରୁ ବର୍ଷାର ବିସ୍ତୃତି ବୃଦ୍ଧି ପାଇବାର ସମ୍ଭାବନା ରହିଛି। ଏଥିପାଇଁ ଉପକୂଳ ଅଞ୍ଚଳ ସମେତ ତାହାର ପାଶ୍ବବର୍ତ୍ତୀ କେତେକ ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ ବୋଲି ସତର୍କ କରାଇ ଦିଆଯାଇଛି।

ଅଗଷ୍ଟ ୧୯ ତାରିଖ ଦିନ ଏହି ଲଘୁଚାପ କ୍ଷେତ୍ରର ପ୍ରଭାବ ରାଜ୍ୟ ଉପରେ ଅଧିକ ରହିବାର ସମ୍ଭାବନା ଥିବାରୁ ଉପକୂଳ ଏବଂ ଅଭ୍ୟନ୍ତରୀଣ ଓଡ଼ିଶାରେ ଅତି ପ୍ରବଳ ବର୍ଷା ହୋଇପାରେ। ସେଥିଲାଗି ଉପରୋକ୍ତ ଅଞ୍ଚଳଗୁଡ଼ିକ ପ୍ରତି ‘ଅରେଞ୍ଜ୍‌ ଆଲର୍ଟ’ ଜାରି କରାଯାଇଛି।

ଏହା ବ୍ୟତିରେକେ, ଅଗଷ୍ଟ ୨୦ ତାରିଖ ଦିନ ପଶ୍ଚିମ ଓଡ଼ିଶାରେ ଅତି ପ୍ରବଳ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ସତର୍କ କରାଇ ଦେଇଛି।