ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ବାଲେଶ୍ଵର ଜିଲ୍ଲାରେ ଲଗାଣ ବର୍ଷା ଫଳରେ ସୁବର୍ଣ୍ଣରେଖା ନଦୀର ଜଳସ୍ତର ବୃଦ୍ଧି ପାଇ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଏହାପରେ ମୟୂରଭଞ୍ଜ ଜିଲ୍ଲାରେ ମଧ୍ୟ ସୁବର୍ଣ୍ଣରେଖାର ଜଳସ୍ତର ବଢ଼ିଛି। ଫଳରେ, ଜିଲ୍ଲାର କିଛି ଅଞ୍ଚଳ ପ୍ରଭାବିତ ହୋଇଛି। ହସ୍ତଗତ ସୂଚନା ଅନୁସାରେ, ସାରସକଣା ବ୍ଲକ୍‌ ଶୀର୍ଷା ପଞ୍ଚାୟତର ନେଦା ଗାଁରେ ସୁବର୍ଣ୍ଣରେଖା ବନ୍ୟାଜଳ ପ୍ରବେଶ କରିଛି। ଗତରାତିରେ ସେଠାରେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରାଯିବା ବେଳେ ହଠାତ୍‌ ବନ୍ୟାପାଣି ମାଡ଼ି ଆସିଥିଲା।ଫଳରେ, ଉଦ୍ଧାର ପାଇଁ ଯାଇଥିବା ସାରସକଣା ଅଗ୍ନିଶମ ଟିମ୍‌ ଦୀର୍ଘ ସମୟ ଧରି ସେଠାରେ ଫସି ରହିଥିଲେ।

ଆଜି ବନ୍ୟାଜଳ ଅଧିକ ଅଞ୍ଚଳକୁ ମାଡ଼ିଯାଇଛି। ନେଦା ଗାଁକୁ ଯାଇଥିବା ମୁଖ୍ୟରାସ୍ତା ବୁଡ଼ିଯିବା ସହ ଏହା ଉପରେ ୮ ଫୁଟ୍‌ର ବନ୍ୟାଜଳ ପ୍ରବାହିତ ହେଉଛି। ଗାଁରେ ବସବାସ କରୁଥିବା ୧୨୦ ପରିବାର ପାଣି ଘେରରେ ରହିଛନ୍ତି। ଓଡ୍ରାଫ୍‌ ଟିମ୍‌ ଗ୍ରାମବାସୀଙ୍କୁ ଉଦ୍ଧାର କରି ସୁରକ୍ଷିତ ସ୍ଥାନକୁ ନେଇଛି। ଗ୍ରାମର ଦୁଇଜଣ ଗର୍ଭବତୀଙ୍କୁ ଓଡ୍ରାଫ୍‌ ଟିମ୍‌ ସହଯୋଗରେ ଉଦ୍ଧାର କରାଯିବା ସହ ଶୀର୍ଷା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେହିପରି ରତିଲା ଗ୍ରାମର ୮ଟି ଘରେ ବନ୍ୟାଜଳ ପଶିଛି।