ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମରାନ୍ ଖାନଙ୍କ ମୁଣ୍ଡ ଉପରେ ଝୁଲୁଛି ଖଣ୍ଡା: କେତେବେଳେ ବି ହୋଇପାରନ୍ତି ଗିରଫ

ନୂଆଦିଲ୍ଲୀ : ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମରାନ୍ ଖାନ ଙ୍କ ପାଇଁ ବଢ଼ିଛି ଅଡ଼ୁଆ । କେତେବେଳେ କୌଣସି ମୁହୂର୍ତ୍ତରେ ବି ହୋଇପାରନ୍ତି ସେ ଗିରଫ । ତାଙ୍କ ବିରୋଧରେ ଆଣ୍ଟି ଟେରରିଜିମ୍ ଆକ୍ଟ ଅଧୀନରେ ଏକ ମାମଲା ରୁଜୁ କରାଯାଇଛି । ଫଳରେ ତାଙ୍କୁ କେଉଁ ମୁହୂର୍ତ୍ତରେ ଗିରଫ କରାଯାଇପାରେ । ଜଣେ ବିଚାରପତି ଏବଂ ପାକିସ୍ତାନ ସରକାରରେ ଦୁଇ ଜଣ ଶୀର୍ଷ ଅଧିକାରୀଙ୍କୁ ଧମକ ଦେବାକୁ ନେଇ ଏହି ମାମଲା ରୁଜୁ କରାଯାଇଛି। ତେବେ ଏହି ଘଟଣାକୁ ନେଇ ଇମରାନଙ୍କ ସହକର୍ମୀ ଓ ପିଟିଆଇ ସମର୍ଥକ ରାଜରାସ୍ତାକୁ ଓହ୍ଲାଇଛନ୍ତି ।

ପିଟିଆଇର ବରିଷ୍ଠ ନେତା ଫବାଦ ଚୌଧରୀ କହିଛନ୍ତି ଯେ, ଇମରାନଙ୍କ ସମର୍ଥକ ଓ୍ୱାନୀଗାଲାରେ ପହଁଚିଛନ୍ତି । ପୂର୍ବରୁ ଏଠାରେ ଅନେକ ସମର୍ଥକ ରହିଥିଲେ । କିଛି ଘଣ୍ଟାରେ ହଜାର ହଜାର ସମର୍ଥକ ଏକାଠି ହୋଇଯାଇଛନ୍ତି ।

ସେହିପରି ପିଟିଆଇ ନେତା ହମ୍ମାଦ ଅଜହର କହିଛନ୍ତି ଯେ, ସରକାର ସାରା ଦେଶକୁ ଅସ୍ଥିର କରିବା ପାଇଁ ଚେଷ୍ଟା କରୁଛନ୍ତି । ଓ୍ୱାନିଗାଲିରେ କିଛି ଅଘଟଣ ଘଟିଲେ ସରକାର ଦାୟୀ ରହିବେ । ସେମାନେ ପାକିସ୍ତାନ ସରକାରଙ୍କ କିଛି ଷଡଯନ୍ତ୍ରକୁ ସଫଳ ହେବା ପାଇଁ ଦେବେନାହିଁ ।

ରାଲିରେ ଦେଇଥିଲେ ଧମକ

ଇସଲାମାବାଦରେ ଏକ ଜନସଭାକୁ ସମ୍ୱୋଧିତ କରିବା ସମୟରେ ପିଟିଆଇ ଅଧ୍ୟକ୍ଷ ଇମରାନ ଖାନ ଅଧିକାରୀଙ୍କୁ ଧମକ ଦେଇଥିବା ଅଭିଯୋଗ ହୋଇଥିଲା । ଏହା ପୂର୍ବରୁ ପାକିସ୍ତାନର ବୈଦ୍ୟୁତିକ ଗଣମାଧ୍ୟମ ଉପରେ ନଜର ରଖୁଥିବା ସଂସ୍ଥା ଇମରାନ ଖାନଙ୍କ ଭାଷଣର ସିଧାପ୍ରସାରଣ ଉପରେ ରୋକ ଲଗାଇଥିଲା। ପାକିସ୍ତାନ ଇଲେକ୍ଟ୍ରୋନିକ ମିଡିଆ ରେଗୁଲେଟାରୀ ଅଥରିଟୀ(ପିଇଏମଆରଏ) କହିଥିଲା, ସମସ୍ତ ଯାଞ୍ଚ କରାଯିବା ପରେ ଇମରାନ ଖାନଙ୍କ ରେକର୍ଡ ହୋଇଥିବା ଭାଷଣକୁ ପ୍ରସାରଣ ପାଇଁ ଅନୁମତି ଦିଆଯାଇଥିଲା ।

Related Posts