ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଜାତୀୟ ମେଡିକାଲ କମିସନ(ଏନ୍‌ଏମ୍‌ସି)ଙ୍କ ଡାକ୍ତରୀ ମୂଲ୍ୟାଙ୍କନ୍ ଓ ମୂଲ୍ୟାୟନ ବୋର୍ଡ ପକ୍ଷରୁ କେନ୍ଦୁଝର ମେଡିକାଲ କଲେଜକୁ ଏଲଓଆଇ ବା ପ୍ରସ୍ତାବ ପତ୍ର ଦିଆଯାଇଛି। ଯାହାଫଳରେ ଚଳିତ ୨୦୨୨-୨୩ ଶିକ୍ଷାବର୍ଷରୁ କେନ୍ଦୁଝର ମେଡିକାଲ କଲେଜରେ ୧୦୦ ସିଟ୍‌ରେ ପାଠପଢ଼ା ପାଇଁ ବାଟ ଫିଟିଛି। ତେବେ ଏନ୍‌ଏମ୍‌ସିରୁ ଅନୁମୋଦନପତ୍ର ଆସିବା ପରେ ହିଁ ପାଠପଢ଼ା ଆରମ୍ଭ ହେବ।ଏନ୍‌ଏମ୍‌ସି ପକ୍ଷରୁ କେନ୍ଦୁଝର ମେଡିକାଲ କଲେଜର ଭିତ୍ତିଭୂମି ସହିତ ଲାଇବ୍ରେରି, ହଷ୍ଟେଲ, ଅଧ୍ୟାପକଙ୍କ ନିଯୁକ୍ତି ଓ ସେମାନଙ୍କ ଅଭିଜ୍ଞତା, ରେସିଡେଣ୍ଟେ/ଟ୍ୟୁଟର, ନର୍ସିଂ ଓ ‌କର୍ମଚାରୀ ସଂଖ୍ୟାର ଯାଞ୍ଚ କରାଯାଇଥିଲା। ପରବର୍ତୀ ସମୟରେ ଏମ୍‌ଏଆରବି ପକ୍ଷରୁ ଯେଉଁ ଯେଉଁ କ୍ଷେତ୍ରରେ ଅଭାବ ରହିଥିଲା ତାହାକୁ ପୂରଣ କରିବା ପାଇଁ କରିବାକୁ କୁହାଯାଇଥିଲା। ଏହାର ଅନୁଧ୍ୟାନ ପରେ ଏନ୍‌ଏମ୍‌ଆରବି ଏଲଓଆଇ ପ୍ରଦାନ କରିଛି। ତୁରନ୍ତ ମେଡିକାଲ କଲେଜ ପକ୍ଷରୁ ଅଧ୍ୟାପକ/ଅଣ-ଅଧ୍ୟାପକଙ୍କ ବିଲ୍ଡିଂ, ଯନ୍ତ୍ରପାତି ଓ ହସ୍ପିଟାଲ ସୁବିଧା ପୂରଣ କରିବା ଲାଗି କୁହାଯାଇଛି।

ଉଲ୍ଲେଖଯୋଗ୍ୟ ଯେ, ନିକଟରେ ଏନ୍‌ଏମ୍‌ସି ପକ୍ଷରୁ ସୁନ୍ଦରଗଡ଼ ମେଡିକାଲ କଲେଜକୁ ଅନୁମୋଦନ ଦିଆଯାଇଛି। ଏହାର କିଛିଦିନ ପୂର୍ବରୁ ଅର୍ଥାତ୍ ଜୁଲାଇ ୩୧ତାରିଖରେ ଏଥିପାଇଁ ଏଲଓଆଇ ପ୍ରଦାନ କରାଯାଇଥିଲା। ତେଣୁ କେନ୍ଦୁଝର ମେଡିକାଲକୁ ଖୁବଶୀଘ୍ର ଅନୁମୋଦନପତ୍ର ମିଳିପାରେ ବୋଲି ଅନୁମାନ କରାଯାଉଛି।